୨ ଲକ୍ଷ ୫୦ ହଜାର ଶିକ୍ଷକଙ୍କୁ ‘ନିଷ୍ଠା’ ଅନ୍ତର୍ଗତ ପ୍ରଶିକ୍ଷଣ ଦିଆଯିବ

ନୂଆଦିଲ୍ଲୀ : ଆଜି ନୂଆଦିଲ୍ଲୀର ଆମ୍ବେଦକର ଭବନଠାରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କଙ୍କ ଦ୍ବାରା ‘ନ୍ୟାସନାଲ ଇନିସିଏଟିଭ୍ ଅନ୍ ସ୍କୁଲ ଟିଚର୍‌ସ ହେଡ୍ ହଲିଷ୍ଟିକ୍ ଆଡଭାନ୍‌ସମେଣ୍ଟ’ (ନିଷ୍ଠା) କାର୍ଯ୍ୟକ୍ରମକୁ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ଦ୍ବାରା ଦେଶର ୪୨ ଲକ୍ଷ ଶିକ୍ଷକମାନଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରାଯିବ। ଓଡ଼ିଶାର ପାଖାପାଖି ୨ ଲକ୍ଷ ୫୦ ହଜାର ଶିକ୍ଷକମାନଙ୍କୁ ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରଶିକ୍ଷଣ ଦିଆଯିବ ବୋଲି ଜଣାପଡ଼ିଛି। ଶିକ୍ଷକମାନଙ୍କୁ ଶିକ୍ଷାଦାନ ସହିତ ଜଟିଳ ପରିସ୍ଥିତିରେ କିଭଳି ନିଜର ଦାୟିତ୍ବ ସମ୍ପାଦନ କରି ଛାତ୍ରଛାତ୍ରୀଙ୍କୁ ଶିକ୍ଷାପ୍ରତି ପ୍ରୋତ୍ସାହିତ କରିପାରିବେ ସେନେଇ ତାଲିମ ଦିଆଯିବ। ଦେଶର ଶିକ୍ଷକମାନଙ୍କ ପ୍ରଶିକ୍ଷଣ ପାଇଁ ଏହା ବିଶ୍ବର ସବୁଠାରୁ ବଡ଼ କାର୍ଯ୍ୟକ୍ରମ ବୋଲି କୁହାଯାଉଛି। ଆଜିର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଓଡ଼ିଶାର ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ପ୍ରକଳ୍ପ ନିର୍ଦ୍ଦେଶକ ଭୂପିନ୍ଦର ସିଂହ ପୁନିଆ, ଯୁଗ୍ମ ନିର୍ଦ୍ଦେଶକ ସୂର୍ଯ୍ୟ ନାରାୟଣ ମିଶ୍ରଙ୍କ ସମେତ ପ୍ରଫେସର ବି ଏନ୍ ପଣ୍ଡା, ଡକ୍ଟର ଲକ୍ଷ୍ମୀଧର ବେହେରା ଓ ଗଙ୍ଗାଧର ସାହୁ ଯୋଗ ଦେଇ ରାଜ୍ୟରେ ଏହି ଟ୍ରେନିଂକୁ କିଭଳି ପର୍ଯ୍ୟାୟକ୍ର‌େମ ତ୍ବରାନ୍ବିତ କରାଯିବ ସେନେଇ ବରିଷ୍ଠ ଅଧିକାରୀମାନଙ୍କ ସହିତ ବିଚାରବିମର୍ଶ କରିଥିଲେ।

ସମ୍ବନ୍ଧିତ ଖବର