ନୀତା ମୁକେଶ ଅମ୍ବାନି କଲଚରାଲ୍ ସେଣ୍ଟରର ଆର୍ଟ ହାଉସ୍ କୋକିଳାବେନ୍‌ଙ୍କ ଦ୍ୱାରା ଉଦ୍‌ଘାଟିତ

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଚେୟାରମ୍ୟାନ୍ ମୁକେଶ ଅମ୍ବାନିଙ୍କ ମା’ କୋକିଳାବେନ୍ ରବିବାର ନୀତା ମୁକେଶ ଅମ୍ବାନି କଲଚରାଲ୍ ସେଣ୍ଟରରେ ୧୬ ହଜାର ବର୍ଗଫୁଟ ପରିବ୍ୟାପ୍ତ ଆର୍ଟ ହାଉସ୍‌କୁ ଉଦ୍‌ଘାଟନ କରିଛନ୍ତି । ଏହି କଲଚରାଲ୍ ସେଣ୍ଟରର ଉଦ୍‌ଘାଟନୀ ସମାରୋହର ଆଜି ତୃତୀୟ ଦିନରେ ଅମ୍ବାନି ପରିବାରର ଚାରି ପିଢ଼ିଙ୍କୁ ଏକସଙ୍ଗେ ଦେଖିବାକୁ ମିଳିଥିଲା । ମେଗା ଉଦଘାଟନୀ ସମାରୋହର ତୃତୀୟ ଦିନରେ ଆନ୍ତର୍ଜାତିକ ଫେସନ ଜଗତରେ ଭାରତୀୟ ଫେସନର ପ୍ରଭାବକୁ ପ୍ରଦର୍ଶିତ କରୁଥିବା ସ୍ୱତନ୍ତ୍ର କଫି-ଟେବୁଲ୍ ପୁସ୍ତକ “ଇଣ୍ଡିଆ ଇନ୍ ଫେସନ୍‌” କୁ ନୀତା ଅମ୍ବାନି ଓ ଇଶା ଅମ୍ବାନି ଉନ୍ମୋଚନ କରିଛନ୍ତି । ଏହି ପୁସ୍ତକର କିଛି ମହତ୍ୱପୂର୍ଣ୍ଣ ଭାଗକୁ ଇଶା ଅମ୍ବାନି ଉପସ୍ଥିତ ଦର୍ଶକଙ୍କୁ ପଢ଼ି ଶୁଣାଇଥିଲେ । ଏହି ଅବସରରେ ଗାୟକ ପ୍ରତୀକ କୁହାଡ଼ ନିଜ ମଧୂର ସ୍ୱରରେ ଉନ୍ମୋଚନ କାର୍ଯ୍ୟକ୍ରମରେ ଉପସ୍ଥିତ ଦର୍ଶକଙ୍କୁ ରୋମାଂଚିତ କରିଥିଲେ । ଆର୍ଟ ହାଉସ୍‌ରେ “ସଙ୍ଗମ’ ନାମରେ ଏକ ଉଦ୍‌ଘାଟନୀ କଳା ପ୍ରଦର୍ଶନୀ ଆୟୋଜନ କରାଯାଇଛି । ଭାରତର ବିଶିଷ୍ଟ ସାଂସ୍କୃତିକ ବିଚାରକ ରଣଜିତ ହୋସକୋଟେ ଓ ନ୍ୟୁୟର୍କ ସ୍ଥିତ କଳା ସଂଗ୍ରାହକ ଓ ଗ୍ୟାଲେରିଷ୍ଟ୍ ଜେଫ୍ରି ଡାଇଚ୍ ଏହାକୁ ଡିଜାଇନ୍ କରିଛନ୍ତି । ଏହି ପ୍ରଦର୍ଶନୀରେ ଦେଶବିଦେଶର ୧୦ ପ୍ରସିଦ୍ଧ କଳାକାରଙ୍କ ୫୦ରୁ ଅଧିକ କଳାକୃତିକୁ ସାମିଲ କରାଯାଇଛି ।

ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଫ୍ରାଂଚେସ୍କୋ କ୍ଲେମେଂଟ୍‌, ଅନ୍‌ସେଲ୍‌ମ୍ କିଫର ଏବଂ ସେସିଲି ବ୍ରାଉନ୍‌ଙ୍କ ଭଳି କଳାକାରମାନଙ୍କ କୃତିକୁ ପ୍ରଥମ ଥର ପାଇଁ ଭାରତରେ ପ୍ରଦର୍ଶିତ କରାଯାଇଛି । ଭାରତୀୟ କଳାକାର ଭୁପେନ୍ ଖଖର, ଶାନ୍ତିବାଇ, ରଞ୍ଜନୀ ସେଟ୍ଟାର ଓ ରତିଶ ଟି’ଙ୍କ କାମକୁ ମଧ୍ୟ ସେଥିରେ ସାମିଲ କରାଯାଇଛି । କଲ୍‌ଚରାଲ୍ ସେଂଟର୍‌ରେ ଥିବା ଆର୍ଟ ହାଉସ୍‌ର ବିଶେଷତ୍ୱ ହେଉଛି ଏହାକୁ ଆବଶ୍ୟକତା ଅନୁସାରେ ପ୍ରସ୍ତୁତ କରାଯାଇପାରିବ । ଚାରି ମହଲା ବିଶିଷ୍ଟ ଏହି ଆର୍ଟ ହାଉସ୍‌କୁ ତିଆରି କରିବା ଲାଗି ଅତ୍ୟାଧୁନିକ ପ୍ରଯୁକ୍ତି ବ୍ୟବହାର କରାଯାଇଛି । ବିଶ୍ୱସ୍ତରୀୟ କଳା ପ୍ରଦର୍ଶନୀଠାରୁ ଆରମ୍ଭ କରି ବୈଷୟିକ ଓ ଶିକ୍ଷା ସମ୍ପର୍କିତ କର୍ମଶାଳା ଭଳି କାର୍ଯ୍ୟକ୍ରମକୁ ମଧ୍ୟ ଏଠାରେ ଆୟୋଜନ କରାଯାଇପାରିବ । ନୂଆ ପ୍ରତିଭାମାନଙ୍କୁ ସାମ୍ନାକୁ ଆଣିବା ଏବଂ କଳାକୁ ଆଗକୁ ବଢ଼ାଇବାରେ ଏହି ଆର୍ଟ ହାଉସ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ବିଶ୍ୱସ୍ତରୀୟ ମଂଚ ମିଳିବା ଦ୍ୱାରା ଯୁବ କଳାକାରମାନଙ୍କ ପ୍ରତିଭାକୁ ସାରା ବିଶ୍ୱରେ ପରିଚୟ ମିଳିପାରିବ ।

ସମ୍ବନ୍ଧିତ ଖବର