ୟୁକ୍ରେନ୍‌କୁ ଦୂରଗାମୀ କ୍ଷେପଣାସ୍ତ୍ର ଦେବ ଆମେରିକା

ୱାସିଂଟନ : ୟୁକ୍ରେନ୍‌କୁ ଦୂରଗାମୀ କ୍ଷେପଣାସ୍ତ୍ର ଦେବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରାଜି ହୋଇଛନ୍ତି। ରୁଷିଆ ଭିତରକୁ ପ୍ରୟୋଗ ନ କରିବା ଲାଗି ପ୍ରତିଶ୍ରୁତି ଦେବା ପରେ ଆମେରିକା ୟୁକ୍ରେନ୍‌କୁ ହାଇ ମୋବିଲିଟି ଆର୍ଟିଲେରି ରକେଟ୍ ସିଷ୍ଟମ୍ ଯୋଗାଇବାକୁ ଯାଉଛି ଯାହା ୮୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ ବୋଲି ଆମେରିକାର ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି।

ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ନିବନ୍ଧ ଅନୁସାରେ ବାଇଡେନ କହିଲେ ଯେ କଥାବାର୍ତ୍ତା ଓ କୂଟନୀତି ମାଧ୍ୟମରେ ୟୁକ୍ରେନ୍-ରୁଷିଆ ଯୁଦ୍ଧର ଅବସାନ ହେବ। କିନ୍ତୁ ଏହି କଥାବାର୍ତ୍ତା-ଟେବୁଲରେ ୟୁକ୍ରେନ୍‌ ଅତ୍ୟନ୍ତ ଦୁର୍ବଳ ପକ୍ଷ ହୋଇ ନ ପଡ଼ିବା ଲାଗି ଆମେରିକା ଏହାକୁ ଗୁରୁତ୍ବପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ଦେବ। ସେଥିପାଇଁ ବାଇଡେନ ୟୁକ୍ରେନ୍‌କୁ ଅଧିକ ଦୂରଗାମୀ ଓ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆମେରିକା ୟୁକ୍ରେନ୍‌କୁ ୭୦୦ ନିୟୁତ ଡଲାରର ଅସ୍ତ୍ରଶସ୍ତ୍ର ଯୋଗାଇଦେବ। ତା’ ଭିତରେ ଦୂରଗାମୀ କ୍ଷେପଣାସ୍ତ୍ର ସହ ଏୟାର ସର୍ଭେଲାନ୍ସ ରାଡାର, ଜାଭେଲିନ କମାଣ-ବିଧ୍ବଂସୀ କ୍ଷେପଣାସ୍ତ୍ର ଏବଂ ସାଞ୍ଜୁଭେଦୀ ଅସ୍ତ୍ରଶସ୍ତ୍ର ପ୍ରଭୃତି ଅନ୍ତର୍ଭୁକ୍ତ ଅଛି।

ତେବେ ରୁଷିଆକୁ ମାଡ଼ କରିବା ପାଇଁ ୟୁକ୍ରେନ୍‌କୁ ଅସ୍ତ୍ରଶସ୍ତ୍ର ଦେଉନାହାନ୍ତି ବୋଲି ବାଇଡେନ ମଙ୍ଗଳବାର ସାମ୍ବାଦିକମାନଙ୍କ ଆଗରେ ପ୍ରକାଶ କରିଥିଲେ। ୟୁକ୍ରେନ୍ ଯେପରି ଆତ୍ମରକ୍ଷା କରିବାକୁ ସମର୍ଥ ହେବ ସେଥିପାଇଁ ତାକୁ ସାହାଯ୍ୟ କରିବାକୁ ଆମେରିକା ଚାହୁଛି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର