ନିଠାରି ହତ୍ୟାକାଣ୍ଡର ନବମ ମାମଲା: ମନିନ୍ଦର -ସୁରିନ୍ଦରଙ୍କୁ ମୃତ୍ୟୁଦଣ୍ଡ

ପାଟନା: ୨୦୦୫ ଓ ୨୦୦୬ ମସିହାରେ ସଂଘଟିତ ବହୁ ଚର୍ଚ୍ଚିତ ନିଠାରି ଧାରାବାହିକ ହତ୍ୟାକାଣ୍ଡର ନବମ ମାମଲାରେ ଆଜି ସିବିଆଇର ଏକ ସ୍ୱତନ୍ତ୍ର ଅଦାଲତ ମୁଖ୍ୟ ହତ୍ୟାକାରୀ ମନିନ୍ଦର ସିଂହ ପାଣ୍ଢେର ଏବଂ ତା’ର ଘରୋଇ ସହାୟକ ସୁରିନ୍ଦର କୋଲିକୁ ମୃତ୍ୟୁ ଦଣ୍ଡାଦେଶ କରିଛନ୍ତି। ଜଣେ ୨୫ ବର୍ଷୀୟା ଘରୋଇ ସହାୟିକାକୁ ଦୁଷ୍କର୍ମ ପରେ ହତ୍ୟା ମାମଲାରେ ଅଭିଯୁକ୍ତ ଦ୍ୱୟଙ୍କୁ ଏହି ଦଣ୍ଡ ମିଳିଛି। ପୂର୍ବରୁ ଗତ ଜୁଲାଇ ୨୪ରେ ସିବିଆଇ ସ୍ୱତନ୍ତ୍ର ଅଦାଲତ ପିଙ୍କି ସରକାର(୨୦) ହତ୍ୟା ମାମଲାରେ ମଧ୍ୟ ଉଭୟ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ କରିଥିଲେ।

ଉଲ୍ଲେଖଯୋଗ୍ୟ, ୨୦୦୬ ମସିହାରେ ନୋଏଡ଼ାର ସେକ୍ଟର-୩୧ ସ୍ଥିତ ବ୍ୟବସାୟୀ ମନିନ୍ଦର ପାଣ୍ଢେର ଘର ପଛପଟୁୁ ପୁଲିସ ୧୬ ଜଣଙ୍କ ଖପୁରି ଏବଂ କଙ୍କାଳ ଜବତ କରିଥିଲା। ପରେ ଘଟଣାର ସିବିଆଇ ତଦନ୍ତ ଜାରି ରହିଥିବା ବେଳେ ପଚରା ଉଚୁରା ବେଳେ ଅଭିଯୁକ୍ତ ଦ୍ୱୟ ନିଜ ଦୋଷ ସ୍ୱୀକାର କରିଥିଲେ। ଏପରିକି ଏହି ନରରାକ୍ଷସ ଦ୍ୱୟ ମହିଳାମାନଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିବା ସହ ସେମାନଙ୍କ ମାଂସ ଭକ୍ଷଣ କରିଥିବା ସ୍ୱୀକାର କରିଥିଲେ। ଏହି ଘଟଣା ସେତେବେଳେ ଦେଶବ୍ୟାପୀ ଆଲୋଡ଼ନ ଆଣିଥିଲା।

ସମ୍ବନ୍ଧିତ ଖବର