ନିତ୍ୟାନନ୍ଦ ଆଶ୍ରମରେ ନାବାଳିକା ଅଟକ ମାମଲା : ୨ ମ୍ୟାନେଜର ଗିରଫ, ନାବାଳିକା ମୁକ୍ତ

ଅହମଦାବାଦ୍‌ : ଆତ୍ମଘୋଷିତ ଧର୍ମଗୁରୁ ସ୍ବାମୀ ନିତ୍ୟାନନ୍ଦଙ୍କ ଆଶ୍ରମ ପରିଚାଳନା କରୁଥିବା ୨ ଜଣ ମ୍ୟାନେଜରଙ୍କୁ ଆଜି ପୁଲିସ ଗିରଫ କରିଛି। ସ୍ବାମୀ ନିତ୍ୟାନନ୍ଦଙ୍କ ବିରୋଧରେ ମଧ୍ୟ ଏଫ୍‌ଆଇଆର ରୁଜୁ ହୋଇଛି। ନାବାଳିକାଙ୍କୁ ଅପହରଣ କରିନେଇ ଆଶ୍ରମରେ ବଳପୂର୍ବକ ରଖିବା ସହ ସେମାନଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହେବାପରେ ପୁଲିସ ଗତକାଲି ନିତ୍ୟାନନ୍ଦ ଆଶ୍ରମରେ ଚଢ଼ଉ କରିଥିଲା। ଅହମଦାବାଦଠାରୁ ୫୦ କିମି ଦୂର ହିରାପୁର ଗ୍ରାମରେ ଥିବା ଯୋଗିନୀ ସର୍ବଜ୍ଞପୀଠମ୍‌ ଆଶ୍ରମରେ ଗତକାଲି ଏକ ସ୍ବତନ୍ତ୍ର ପୁଲିସ ଟିମ୍‌ ପହଞ୍ଚି ଚଢ଼ଉ କରିଥିଲେ। ଆଶ୍ରମରେ ଥିବା ୨ ଜଣ ନାବାଳିକାଙ୍କୁ ପୁଲିସ ସୁରକ୍ଷିତ ଉଦ୍ଧାର କରିଛି। ସେମାନେ ଆଉ ଆଶ୍ରମରେ ରହିବାକୁ ଚାହୁନଥିବା କହିବାପରେ ସେମାନଙ୍କୁ ସେଠାରୁ ଉଦ୍ଧାର କରାଯାଇଛି। ତେବେ ନିତ୍ୟାନନ୍ଦଙ୍କ ଯେଉଁ ୨ ଜଣ ମ୍ୟାନେଜର ଗିରଫ ହୋଇଛନ୍ତି ସେମାନଙ୍କ ବିରୋଧରେ ଆଇପିସିର ଧାରା ୩୬୪, ୩୪୪, ୩୨୩, ୫୦୪ , ୫୦୬ (୨) ଅଧୀନରେ ମାମଲା ରୁଜୁ ହୋଇଛି। ଗିରଫ ହୋଇଥିବା ଦୁଇ ଜଣ ହେଉଛନ୍ତି ମହିଳା ସାଧ୍ବୀ। ସେମାନଙ୍କ ନାମ ପ୍ରାଣପ୍ରିୟା ଏବଂ ପ୍ରିୟତତ୍ତ୍ବ।

ଉଲ୍ଲେଖଯୋଗ୍ୟ ଜନାର୍ଦନ ଶର୍ମା ନାମକ ଜଣେ ବ୍ୟକ୍ତି ତାଙ୍କ ୪ ଝିଅଙ୍କୁ ବେଙ୍ଗାଲୁରୁ ସ୍ଥିତ ସ୍ବାମୀ ନିତ୍ୟାନନ୍ଦ ଆଶ୍ରମରେ ନାମ ଲେଖାଇଥିଲେ। ତେବେ ସେମାନଙ୍କୁ ଅହମଦାବାଦ୍‌ ସ୍ଥିତ ଅନ୍ୟ ଆଶ୍ରମକୁ ସ୍ଥାନାନ୍ତର କରାଯାଇଥିବା ଜାଣି ସେମାନେ ସେମାନଙ୍କ ଝିଅଙ୍କୁ ଭେଟିବାକୁ ଚାହିଥିଲେ। କିନ୍ତୁ ସେମାନଙ୍କୁ ଏଥିପାଇଁ ଅନୁମତି ମିଳିନଥିଲା। ପରେ ସେମା‌ନେ ଶିଶୁ ଅଧିକାର ଫୋରମ୍‌ରେ ଅଭିଯୋଗ କରିବାପରେ ପୁଲିସ ଆଶ୍ରମରେ ଚଢ଼ଉ କରି ୨ ନାବାଳିକାଙ୍କୁ ଉଦ୍ଧାର କରିଥିଲା। କିନ୍ତୁ ଜନାର୍ଦନଙ୍କ ଅନ୍ୟ ୨ ଜଣ ଝିଅଙ୍କୁ ଆଶ୍ରମ କର୍ତ୍ତୃପକ୍ଷ ନ ଛାଡ଼ିବାରୁ ସେ ଗୁଜରାଟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତାଙ୍କ ଝିଅଙ୍କୁ ବଳପୂର୍ବକ ଆଶ୍ରମରେ ଅଟକ ରଖାଯାଇଥିବା ସେ ଅଭିଯୋଗ କରିଥିଲେ। ଆଜି ମୁକ୍ତ ହୋଇଥିବା ୨ ଝିଅଙ୍କୁ ‘ଶିଶୁ ବିକାଶ କମିଟି’କୁ ହସ୍ତାନ୍ତର କରାଯାଇଛି। ଉଦ୍ଧାର ହୋଇଥିବା ଶିଶୁମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ବିଭିନ୍ନ ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିବାପାଇଁ ବା‌ଧ୍ୟ କରାଯାଉଥିଲା ଏବଂ ନିର୍ଯାତନା ଦିଆଯାଇଥିଲା।

ସମ୍ବନ୍ଧିତ ଖବର