ନିତି ଆୟୋଗ ଗଭର୍ଣ୍ଣିଂ କାଉନସିଲ୍ ବୈଠକ : ୫ ପ୍ରସଙ୍ଗରେ ମତ ରଖିବେ ନବୀନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନିତି ଆୟୋଗର ଗଭର୍ଣ୍ଣିଂ କାଉନସିଲ୍‌ ବୈଠକ ଶନିବାର ଦିଲ୍ଲୀରେ ଅନୁଷ୍ଠିତ ହେବ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ। ଏହି ଅବସର‌େର ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟ ମାନ୍ୟତା ଦାବି କରିବା ସହ ନିର୍ଦ୍ଧାରିତ ହୋଇଥିବା ୫ଟି ପ୍ରସଙ୍ଗ ଉପରେ ମତ ରଖିବେ ବୋଲି ଜଣାପଡ଼ିଛି। ଏଜେଣ୍ଡାରେ ସାମିଲ କରାଯାଇଥିବା ପ୍ରସଙ୍ଗଗୁଡ଼ିକ ହେଉଛି ମରୁଡ଼ି ଓ ରିଲିଫ୍, ବର୍ଷାଜଳ ସଂରକ୍ଷଣ, କୃଷିକ୍ଷେତ୍ରରେ ଢାଞ୍ଚାଗତ ପରିବର୍ତ୍ତନ ଓ କୃଷି ବଜାରର ସ୍ଥିତି, ଆକାଂକ୍ଷୀ ଜିଲ୍ଲାର ସ୍ଥିତି ତଥା ମାଓ ଉପଦ୍ରୁତ ଅଞ୍ଚଳର ସୁରକ୍ଷା ପ୍ରସଙ୍ଗ।

ମିଳିଥିବା ସୂଚନା ଅନୁଯାୟୀ ଚଳିତ ବର୍ଷ ଦେଶରେ ୨୫ ପ୍ରତିଶତ କମ୍ ପ୍ରାକ୍ ମୌସୁମୀ ବର୍ଷା ହୋଇଥିବାରୁ ଏହାର ପ୍ରଭାବରେ ଦେଶରେ ୫୦ କୋଟି ଲୋକ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏଭଳି ସ୍ଥିତିରେ ରାଜ୍ୟମାନଙ୍କୁ ରିଲିଫ୍ ଓ ସହାୟତା କିଭଳି ପ୍ରଦାନ କରାଯାଇପାରିବ ସେନେଇ ରାଜ୍ୟ ମୁଖ୍ୟମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ। ତେଣୁ ରାଜ୍ୟର ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ କିଛି ତଥ୍ୟ ଉପସ୍ଥାପନ କରିବେ ବୋଲି ଅନୁମାନ କରାଯାଉଛି। କେନ୍ଦ୍ର ସରକାର ବର୍ଷାଜଳ ସଂରକ୍ଷଣ ସହିତ କୃଷି କ୍ଷେତ୍ରର ଢାଞ୍ଚାଗତ ପରିବର୍ତ୍ତନ ଓ କୃଷି ବଜାର ସୃଷ୍ଟି ଉପରେ ଗୁରୁତ୍ବାରୋପ କରୁଥିବାରୁ ବୈଠକରେ ଏ ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପ୍ରସଙ୍ଗରେ ରାଜ୍ୟ ପରିପ୍ରେକ୍ଷୀରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇପାରନ୍ତି।

ଏହା ବ୍ୟତୀତ ବୈଠକର ଏଜେଣ୍ଡାରେ ସାମିଲ ଥିବା ଆକାଂକ୍ଷୀ ଜିଲ୍ଲାର ସ୍ଥିତି ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ରାଜ୍ୟମାନଙ୍କ ସହିତ ଆଲୋଚନା କରିବେ। ବିଶେଷକରି ରାଜ୍ୟର ୧୦ଟି ଆକାଂକ୍ଷୀ ଜିଲ୍ଲା- ଢେଙ୍କାନାଳ, କନ୍ଧମାଳ, ଗଜପତି, ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗିର, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ମାଲକାନାଗିରିର ଅଗ୍ରଗତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବୈଠକରେ ଅବଗତ କରାଇବେ। ଏସବୁ ଜିଲ୍ଲାମାନଙ୍କରେ ସ୍ବାସ୍ଥ୍ୟ, ଶିକ୍ଷା, କୃଷି, ଜଳସମ୍ପଦ, ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ଦକ୍ଷତା ବିକାଶ ଉପରେ କେନ୍ଦ୍ର ସରକାର ରୋଡମ୍ୟାପ୍ ପ୍ରସ୍ତୁତ କରୁଥିବା ବେଳେ କେନ୍ଦ୍ର ଓ ରାଜ୍ୟର ମିଳିତ ସହଭାଗିତା ନେଇ ମୁଖ୍ୟମନ୍ତ୍ରୀ କିଛି ସୁପାରିସ କରିପାରନ୍ତି ବୋଲି ସୂଚନା ମିଳୁଛି।

ଉଲ୍ଲେଖଯୋଗ୍ୟ ‌େଯ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଆକାଂକ୍ଷୀ ଯୋଜନା ୨୦୧୮, ଜାନୁଆରିରେ ଆରମ୍ଭ କରାଯାଇଥିଲା। ଦେଶର ଅନୁନ୍ନତ ଜିଲ୍ଲାଗୁଡ଼ିକରେ ସାମୂହିକ ବିକାଶ ଏହି ଯୋଜନାର ଲକ୍ଷ୍ୟ ରହିଛି। ଆରମ୍ଭରେ ଓଡ଼ିଶା ଏହି ଯୋଜନାରେ ସାମିଲ ହୋଇନଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଓଡ଼ିଶାର ୧୦ଟି ଜିଲ୍ଲା ଏଥିରେ ସାମିଲ ହୋଇଛି। ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ୍ ବୈଠକରେ ମାଓ ସମସ୍ୟା ଓ ସୁରକ୍ଷା ସମ୍ପର୍କରେ ମଧ୍ୟ ଆଲୋଚନା ହେବ। ଓଡ଼ିଶାର ମାଓପ୍ରବଣ ଅଞ୍ଚଳରେ ଭିତ୍ତିଭୂମି ପ୍ରତିଷ୍ଠା, ବିକାଶମୂଳକ କାର୍ଯ୍ୟକ୍ରମ ଓ ସୁରକ୍ଷା ସମ୍ପର୍କିତ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବୈଠକରେ ଅବଗତ କରାଇବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର