ନିତି ଆୟୋଗର ‘ଇଣ୍ଡିଆ ଇନୋଭେସନ ଇଣ୍ଡେକ୍ସ’ : ଓଡ଼ିଶାର ପ୍ରଦର୍ଶନ ନୈରାଶ୍ୟଜନକ

ଦୁଇ ପାହାଚ ତଳକୁ ଖସି ୧୪ତମ ସ୍ଥାନରେ

ନୂଆଦିଲ୍ଲୀ : ବୁଧବାର ନିତି ଆୟୋଗ ପକ୍ଷରୁ ଜାରି କରାଯାଇଥିବା ଇଣ୍ଡିଆ ଇନୋଭେସନ ଇଣ୍ଡେକ୍ସର ଦ୍ବିତୀୟ ସଂସ୍କରଣରେ ଓଡ଼ିଶାର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ଦେଶର ୧୭ଟି ବୃହତ ରାଜ୍ୟ ବର୍ଗରେ ଓଡ଼ିଶା ୧୪ତମ ସ୍ଥାନରେ ରହିଛି। ଗତବର୍ଷ ସୂଚୀ ତୁଳନାରେ ଓଡ଼ିଶା ଦୁଇଟି ପାହାଚ ତଳକୁ ଖସିଛି। ୨୦୧୯ ସୂଚୀରେ ଓଡ଼ିଶା ଦ୍ବାଦଶ ସ୍ଥାନରେ ଥିଲା।

News On AIR

ସଦ୍ୟତମ ସୂଚୀରେ କର୍ଣ୍ଣାଟକ ବୃହତ ରାଜ୍ୟ ବର୍ଗରେ ପ୍ରଥମ ସ୍ଥାନରେ ରହିଛି। ୨୦୧୯ରେ ଇନୋଭେସନ ସ୍କୋର ଅନୁସାରେ ଓଡ଼ିଶା ଦ୍ବାଦଶ ଓ ଏନାବଲର୍‌ (କାର୍ଯ୍ୟକାରୀ କରାଇବାରେ) ସ୍କୋର ଅନୁସାରେ ଦଶମ ସ୍ଥାନରେ ଥିଲା। ୨୦୨୦ ସୂଚୀରେ ଓଡ଼ିଶାର ଇନୋଭେସନ ସ୍କୋର ୧୮.୯୪ ଥିବା ବେଳେ ଏନାବଲର୍‌ ସ୍କୋର ୨୦.୯୩ ରହିଛି। ବିଭିନ୍ନ ମାପଦଣ୍ଡରେ ମଧ୍ୟ ରାଜ୍ୟର ପ୍ରଦର୍ଶନ ଏତେଟା ଭଲ ନାହିଁ। ମାନବ ପୁଞ୍ଜିରେ ୪୨.୧୦ ସ୍କୋର ସହ ଓଡ଼ିଶା ଦଶମ ସ୍ଥାନରେ ଥିବା ବେଳେ ପୁଞ୍ଜିନିବେଶରେ ୩.୨୪ ସ୍କୋର ସହ ୧୫ତମ ସ୍ଥାନରେ ରହିଛି। କାରବାର ବାତାବରଣରେ ୮.୯୪ ସ୍କୋ ସହ ୧୬ତମ, ନଲେଜ୍ ୱାର୍କସ୍‌ ୫.୬୬ ସ୍କୋର ସହ ୧୪ତମ, ନଲେଜ୍ ଆଉଟ୍‌ପୁଟ୍‌ରେ ୧୦.୮୨ ସ୍କୋର ସହ ଓଡ଼ିଶା ୧୫ତମ ସ୍ଥାନରେ ରହିଛି। ନିରାପତ୍ତା, ନ୍ୟାୟିକ ପରିବେଶ ଓ ଜ୍ଞାନର ପ୍ରସାର ‌କ୍ଷେତ୍ରରେ ରାଜ୍ୟର ପ୍ରଦର୍ଶନ ଭଲ ରହିଛି। ନିରାପତ୍ତା ଓ ନ୍ୟାୟିକ ପରିବେଶରେ ଓଡ଼ିଶା ୪୪.୭୧ ସ୍କୋର ସହ ଓଡ଼ିଶା ଦ୍ବାଦଶ ସ୍ଥାନରେ ଥିବା ବେଳେ ଜ୍ଞାନ ପ୍ରସାର କ୍ଷେତ୍ରରେ ୨୩.୦୬ ସ୍କୋର ସହ ବୃହତ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ଅଷ୍ଟମ ସ୍ଥାନରେ ରହିଛି।

ଇଣ୍ଡିଆ ଇନୋଭସେନ୍ ଇଣ୍ଡେକ୍ସର ଦ୍ବିତୀୟ ସଂସ୍କରଣରେ ୧୭ଟି ବୃହତ ରାଜ୍ୟ, ୧୦ଟି ପାର୍ବତ୍ୟାଞ୍ଚଳ ଓ ଓ ୯ଟି କେନ୍ଦ୍ର ଶାସିତ ଅଞ୍ଚଳ ଓ କ୍ଷୁଦ୍ର ରାଜ୍ୟ ଭଳି ତିନିଟି ବର୍ଗରେ ସୂଚୀ ଜାରି କରାଯାଇଛି। ବୃହତ ରାଜ୍ୟ ବର୍ଗରେ କର୍ଣ୍ଣାଟକ ପ୍ରଥମ ସ୍ଥାନରେ ଥିବା ବେଳେ ପାର୍ବତ୍ୟାଞ୍ଚଳ ବର୍ଗରେ ହିମାଚଳପ୍ରଦେଶ ଏକ ନମ୍ବର ସ୍ଥାନରେ ରହିଛି। କେନ୍ଦ୍ରଶାସିତ ଅଞ୍ଚଳ ଓ କ୍ଷୁଦ୍ର ରାଜ୍ୟ ବର୍ଗରେ ଦିଲ୍ଲୀ ପ୍ରଥମ ସ୍ଥାନ ଅଧିକାର କରିଛି।

ସମ୍ବନ୍ଧିତ ଖବର