ନୀତି ଆୟୋଗର ସ୍ୱପ୍ନ: ୨୦୨୨ ସୁଦ୍ଧା ଗଠିତ ହେବ ଦୁର୍ନୀତି ଏବଂ ଦାରିଦ୍ର୍ୟ ମୁକ୍ତ ନୂତନ ଭାରତ!

ନୂଆଦିଲ୍ଲୀ: ମୋଦି ସରକାରଙ୍କ ଦ୍ୱାରା ନୂତନ ଭାବେ ଗଠିତ ନୀତି ଆୟୋଗ ଆସନ୍ତା ୨୦୨୨ ସୁଦ୍ଧା ଏକ ନୂତନ ଭାରତ ଗଠନ ପାଇଁ ସ୍ୱପ୍ନ ଦେଖୁଛନ୍ତି। ନୀତି ଆୟୋଗ ସ୍ୱପ୍ନ ଦେଖୁଥିବା ଏହି ନୂତନ ଭାରତ ଦାରିଦ୍ର୍ୟ, ଦୁର୍ନୀତି, ଆତଙ୍କବାଦ, ଜାତିପ୍ରଥା ଓ ସାଂପ୍ରଦାୟିକତାବାଦରୁ ମୁକ୍ତ ହେବା ସହ ସ୍ୱଚ୍ଛ ଏବଂ ସୁନ୍ଦର ହେବ।

ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ପ୍ରସ୍ତୁତ କରିଥିବା ନୂତନ ଭାରତ @୨୦୨୨ ଡକ୍ୟୁମେଣ୍ଟରେ ଏ ସଂପର୍କରେ ବିଶଦ ଭାବେ ବର୍ଣ୍ଣନା କରିଛନ୍ତି। ଏଥିସହ ୨୦୨୨ ସୁଦ୍ଧା ଭାରତ, ବିଶ୍ୱର ଶ୍ରେଷ୍ଠ ୩ ଅର୍ଥନୀତି ସମୃଦ୍ଧ ରାଷ୍ଟ୍ର ମଧ୍ୟରୁ ଅନ୍ୟତମ ହେବ। ଏଥିସହ, ସଂପ୍ରତି ଭାରତର ଯେଉଁ ଅଭିବୃଦ୍ଧି ୮ ପ୍ରତିଶତ ହାରରେ ହେଉଛି, ତାହା ମଧ୍ୟ ୨୦୪୭ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ମଧ୍ୟ ସେ ଆଶାବ୍ୟକ୍ତ କରିଛନ୍ତି।

ଖାଲି ଏତିକି ନୁହେଁ; ୨୦୨୨ ସୁଦ୍ଧା ଏକ ‘କୁ-ପୋଷଣ ମୁକ୍ତ ଭାରତ’ ଗଠିତ ହେବ, ଯେଉଁଠାରେ ଦାରିଦ୍ର୍ୟ ରହିବ ନାହିଁ ବୋଲି ମଧ୍ୟ ସ୍ୱପ୍ନ ଦେଖିଛନ୍ତି ନୀତି ଆୟୋଗ ଅଧ୍ୟକ୍ଷ। ଏଥିସହ ୨୫୦ରୁ ଅଧିକ ଜନସଂଖ୍ୟା ଥିବା ଦେଶର ପ୍ରତ୍ୟେକ ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ସହ ସବୁ ଦିନିଆ ସଡ଼କ ମାଧ୍ୟମରେ ସଂଯୋଗ କରାଯିବ। ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ଅନ୍ତର୍ଭୁକ୍ତ ଥିବା ପ୍ରତିଟି ଗ୍ରାମକୁ ୨୦୨୨ ସୁଦ୍ଧା ଏକ ମଡେଲ୍‌ ଗ୍ରାମରେ ପରିଣତ କରାଯିବ।

ଏତଦ୍‌ବ୍ୟତୀତ ୨୦୨୨ ସୁଦ୍ଧା ଭାରତରେ ୨୦ଟି ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ମଧ୍ୟ ସ୍ୱପ୍ନ ଦେଖିଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର।

ସମ୍ବନ୍ଧିତ ଖବର