ନିତି ଆୟୋଗ ବିକାଶ ସୂଚକାଙ୍କ : ଦ୍ରୁତ ବିକାଶ ସହ ୨୩ତମ ସ୍ଥାନରୁ ୧୫ତମ ସ୍ଥାନକୁ ଉଠିଲା ଓଡ଼ିଶା

ପ୍ରଥମ ସ୍ଥାନରେ କେରଳ, ଶେଷରେ ବିହାର

ନୂଆଦିଲ୍ଲୀ : ନିତି ଆୟୋଗ ପକ୍ଷରୁ ଆଜି ୨ୟ ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି) ଭାରତ ସୂଚକାଙ୍କ ପ୍ରକାଶ ପାଇଛି । ଏହି ତାଲିକାର ପ୍ରଥମ ସ୍ଥାନରେ କେରଳ ଥିବାବେଳେ ଶେଷ ସ୍ଥାନରେ ବିହାର ରହିଛି । ଓଡ଼ିଶା ମଧ୍ୟ ଦ୍ରୁତ ବିକାଶ ହାସଲ କରି ନିଜର ପ୍ରଦର୍ଶନରେ ଉଲ୍ଲେଖନୀୟ ଉନ୍ନତି ହାସଲ କରିପାରିଛି ବୋଲି ନିତି ଆୟୋଗ ରିପୋର୍ଟରେ କୁହାଯାଇଛି ।

ଏହି ସୂଚକାଙ୍କ ମାଧ୍ୟମରେ ଗୋଟିଏ ରାଜ୍ୟ ସାମାଜିକ, ଅର୍ଥନୈତିକ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ କେତେ ବିକାଶ ହାସଲ କରିଛି ତାହାର ମୂଲ୍ୟାଙ୍କନ କରାଯାଇଥାଏ । ଏହି ରିପୋର୍ଟରେ କୁହାଯାଇଛି ଯେ ଦେଶର ୩ଟି ରାଜ୍ୟ ଉତ୍ତରପ୍ରଦେଶ, ଓଡ଼ିଶା ଓ ସିକ୍କିମ ୨୦୧୮ ତୁଳନାରେ ଦ୍ରୁତ ବିକାଶ ହାସଲ କରି ନିଜର ସ୍ଥିତିରେ ଆଶ୍ଚର୍ଯ୍ୟଜନକ ଉନ୍ନତି ହାସଲ କରିପାରିଛନ୍ତି । ଓଡ଼ିଶା ୨୦୧୮ରେ ୨୩ତମ ସ୍ଥାନରେ ଥିବାବେଳେ ଏବର୍ଷ ୧୫ତମ ସ୍ଥାନକୁ ଉଠିପାରିଛି । ସେହିପରି ଉତ୍ତରପ୍ରଦେଶ ୨୯ତମ ସ୍ଥାନରୁ ୧୩ତମ ଓ ସିକ୍କିମ ୧୫ତମ ସ୍ଥାନରୁ ୭ମ ସ୍ଥାନକୁ ଉଠିପାରିଛି ।
କେରଳ ୭୦ ପଏଣ୍ଟ ପାଇ ୧ ନମ୍ବର ସ୍ଥାନରେ ଥିବାବେଳେ ୬୯ ପଏଣ୍ଟ ସହ ୨ୟ ସ୍ଥାନରେ ଅଛି । ୩ୟ ସ୍ଥାନରେ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଓ ତାମିଲନାଡ଼ୁ ଅଛନ୍ତି । କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କ ମଧ୍ୟରେ ଚଣ୍ଡିଗଡ଼ ୭୦ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି ।

ସମ୍ବନ୍ଧିତ ଖବର