ନିତି ଆୟୋଗଙ୍କ ‘ପରିବର୍ତ୍ତନ କାହାଣୀ’ ରିପୋର୍ଟ: ଓଡ଼ିଶାରୁ ସ୍ଥାନପାଇନି ସଫଳ କେସ୍‌ ଷ୍ଟଡି

ନୂଆଦିଲ୍ଲୀ: ନିତି ଆୟୋଗଙ୍କ ଦ୍ବାରା ସଦ୍ୟ ପ୍ରକାଶିତ ‘ପରିବର୍ତ୍ତନର କାହାଣୀ’ ଶୀର୍ଷକ ରିପୋର୍ଟରେ ଓଡ଼ିଶାର କୌଣସି ‘କେସ ଷ୍ଟଡି’କୁ ସାମିଲ କରାଯାଇନାହିଁ। ଆୟୋଗ ଦ୍ବାରା ‘ଆଜାଦୀ କା ଅମୃତ ମହୋତ୍ସବ’ ପରିପ୍ରେକ୍ଷୀ‌ରେ ଆକାଂକ୍ଷୀ ଜିଲ୍ଲାମାନଙ୍କରେ ଚାଲିଥିବା ଯୋଜନାକୁ ନେଇ ‘ସହଭାଗିତା ସେ ସମୃଦ୍ଧି’ ଶୀର୍ଷକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏଥିରେ ଅଧିକାଂଶ ଆକାଂକ୍ଷୀ ଜିଲ୍ଲାର ଜିଲ୍ଲାପାଳ ଓ କେନ୍ଦ୍ରୀୟ ଅଧିକାରୀ ଯୋଗଦେଇଥିଲେ।

ସମ୍ମିଳନୀର ବିଭିନ୍ନ ଅଧିବେଶନରେ ଶିକ୍ଷା, କୃଷି, କୌଶଳ ବିକାଶ ଓ ସ୍ବାସ୍ଥ୍ୟ ଭଳି ୫ ଟି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଶିକ୍ଷା ଅଧିବେଶନ ଆଲୋଚନା କାଳରେ ଓଡ଼ିଶାର ନୂଆପଡ଼ା ଜିଲ୍ଲା ଓ ତାମିଲନାଡ଼ୁର ବିରୁଧୁନଗର ଜିଲ୍ଲାରେ ‘ଲର୍ଣ୍ଣିଂ ଗ୍ୟାପ’କୁ ଦୂର କରିବା ତଥା ସ୍କୁଲକୁ ଆସୁନଥିବା ପିଲାମାନଙ୍କୁ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ନିଆଯାଉଥିବା ପଦକ୍ଷେପ ସଂପର୍କରେ ସମ୍ମିଳନୀରେ ସ୍ବତନ୍ତ୍ର ଉପସ୍ଥାପନା କରାଯାଇଥିଲା। ଏହି ଅବସରରେ ଦେଶର ଆକାଂକ୍ଷୀ ଜିଲ୍ଲାମାନଙ୍କରେ ସର୍ବୋତ୍ତମ କାର୍ଯ୍ୟ ପ୍ରଣାଳୀ ଉପରେ ଆଧାରିତ ଷ୍ଟୋରିଜ୍‌ ଅଫ ଚେଞ୍ଜ (ପରିବର୍ତ୍ତନ କାହାଣୀ) ରିପୋର୍ଟକୁ ଉନ୍ମୋଚନ କରାଯାଇଥିଲା। ରିପୋର୍ଟରେ ଆକାଂକ୍ଷୀ ଜିଲ୍ଲାମାନଙ୍କରୁ ୩୦ଟି ସଫଳ କାହାଣୀ ସ୍ଥାନପାଇଛି।

ଓଡ଼ିଶାର ୧୦ଟି ଆକାଂକ୍ଷୀ ଜିଲ୍ଲା ଥିଲେ ମଧ୍ୟ ଏଥିରେ କୌଣସି ଜିଲ୍ଲାର କେସ ଷ୍ଟଡିକୁ ସାମିଲ କରାଯାଇନାହିଁ। ଅନ୍ୟ ପକ୍ଷରେ ବିହାର ଓ ଉତ୍ତର ପ୍ରଦେଶର ନଅଟି ଲେଖାଏଁ, ମଧ୍ୟ ପ୍ରଦେଶର ଚାରିଟି, ମହାରାଷ୍ଟ୍ରର ଦୁଇଟି କେସ ଷ୍ଟଡି ଏଥିରେ ସ୍ଥାନପାଇଛି। ଦେଶର ୧୧୨ଟି ଆକାଂକ୍ଷୀ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ସରକାର ଗୁରୁତ୍ବ ଦେଉଛନ୍ତି। ଏହିକ୍ରମରେ ବିଜେପିର ଜାତୀୟ ସ୍ତରରେ ସାମାଜିକ ନ୍ୟାୟ ପକ୍ଷ ପାଳନ କରିବା ଅବସରରେ ଚଳିତ ମାସରେ କେନ୍ଦ୍ର ସରକାରଙ୍କ କିଛି ମନ୍ତ୍ରୀ ରାଜ୍ୟର ଆକାଂକ୍ଷୀ ଜିଲ୍ଲାଗୁଡିକୁ ଗସ୍ତ କରି ଜିଲ୍ଲାଗୁଡିକର ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନ, କୃଷି, ଦକ୍ଷତା ବିକାଶ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମଗୁଡ଼ିକର ସମୀକ୍ଷା କରିଥିଲେ।

ସମ୍ବନ୍ଧିତ ଖବର