କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀଙ୍କ ବିରୁଦ୍ଧରେ ଭାରତୀୟ ଜନତା ପାର୍ଟିର ଜଣେ ପୂର୍ବତନ ସାଂସଦଙ୍କୁ ପ୍ରାର୍ଥୀ କରିବ କଂଗ୍ରେସ !

ନାଗପୁର: ଆଗାମୀ ସାଧାରଣ ନିର୍ବାଚନରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀଙ୍କୁ ହରାଇବା ଲାଗି କଂଗ୍ରେସ ପକ୍ଷରୁ ଏକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଥିବା ଚର୍ଚ୍ଚା ହେଉଛି। ୨୦୧୯ ଲୋକସଭା ନିର୍ବାଚନରେ ନିତିନ ଗଡକରୀଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ନାଗପୁରକୁ କଂଗ୍ରେସ ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଉଛି। କାରଣ ନାଗପୁରଠାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ କାର୍ଯ୍ୟାଳୟ ରହିଛି।

କଂଗ୍ରେସର ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏଥର କଂଗ୍ରେସ ଭାରତୀୟ ଜନତା ପାର୍ଟିର ଜଣେ ପୂର୍ବତନ ସାଂସଦଙ୍କୁ ପ୍ରାର୍ଥୀ କରିବ। ଏହି ସାଂସଦ ଜଣକ ହେଲେ ନାନା ପଟୋଲ୍‌। ନାନା ସେତେବେଳେ ଚର୍ଚ୍ଚାରେ ଆସିଥିଲେ,ଯେତେବେଳେ ୨୦୧୭ରେ ନାଗପୁର ଡିଭିଜନର ଭଣ୍ଡାରା-ଗୋଳିଆ କ୍ଷେତ୍ରର ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ।

ନାନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜଣେ ସମାଲୋଚକ। ସେ ଭାଜପା ଶାସନରେ କୃଷକମାନଙ୍କର କଥା ଚିନ୍ତା କରାଯାଉନଥିବାର ଅଭିଯୋଗ ଆଣିଥିଲେ। ଭାଜପାରୁ ଇସ୍ତଫା ଦେଇ ନାନା କଂଗ୍ରେସରେ ଯୋଗ ଦେଇଥିଲେ। ତାଙ୍କୁ କଂଗ୍ରେସ ଦଳ କୃଷକ ମୋର୍ଚ୍ଚାର ସଭାପତି ଭାବେ ଅବସ୍ଥାପିତ କରିଥିଲା। ନାନା ପଟୋଲ ବି କହିଛନ୍ତି ଯେ ଦଳ ଚାହିଁଲେ ସେ ନିତିନ ଗଡ଼କରୀଙ୍କ ବିରୁଦ୍ଧରେ ପ୍ରାର୍ଥୀ ହେବାକୁ ପ୍ରସ୍ତୁତ।

ସମ୍ବନ୍ଧିତ ଖବର