ସ୍ୱପ୍ନ ଦେଖାଇ ଏହାକୁ ପୂରଣ କରୁନଥିବା ନେତାଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ

ମହାରାଷ୍ଟ୍ର : ଗତ କିଛି ଦିନ ଧରି ନିଜ ବୟାନକୁ ନେଇ ଚର୍ଚ୍ଚାରେ ଥିବା କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ରବିବାର ପୁଣି ଏକ ବଡ ବୟାନ ଦେଇଛନ୍ତି । ମହାରାଷ୍ଟ୍ରରେ ଏକ ସଭାରେ ନିର୍ବାଚନ ପୂର୍ବରୁ ଦିଆଯାଇଥିବା ପ୍ରତିଶୃତିକୁ ମନେ ପକାଇ କହିଛନ୍ତି, ସ୍ୱପ୍ନ ଦେଖାଉଥିବା ନେତାଙ୍କୁ ଲୋକ ଭଲ ପାଇଥାନ୍ତି, କିନ୍ତୁ ଦେଖାଇଥିବା ସ୍ୱପ୍ନ ଯଦି ପୂରଣ ନ ହୁଏ ତେବେ ସେହି ଲୋକ ନେତାଙ୍କୁ ପିଟିଥାନ୍ତି । ତେଣୁ ସେହି ସ୍ୱପ୍ନ ଦେଖାଅ ଯାହାକୁ ପୂରା କରିପାରିବ । କିନ୍ତୁ ମୁଁ ସେହି ସ୍ୱପ୍ନ ଦେଖାଇବା ବ୍ୟକ୍ତି ନୁହେଁ । ଏଭଳି କହି ସ୍ୱପ୍ନ ଦେଖାଉଥିବା ନେତାଙ୍କୁ ଟାର୍ଗେଟ କରିଛନ୍ତି ନୀତିନ ।

ଏହି କାର୍ଯ୍ୟକ୍ରମରେ ବଲିଉଡ ହିରୋଇନ ଇଶା କୋପ୍ସିକରଙ୍କୁ ବିଜେପିରେ ସାମିଲ କରିଛନ୍ତି ନୀତିନ । ଏହାପୂର୍ବରୁ ନୀତିନ ଗଡକରୀ ବିଜେପିର ଅଚ୍ଛେଦିନ ସ୍ଲୋଗାନ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ଏହାସହ ଶନିବାର ଗଡକରୀ କହିଥିଲେ, ତାଙ୍କ ସମୟରେ ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ଟଙ୍କାର କାମ ହୋଇଛି । କିନ୍ତୁ କେହି ଜଣେ ବି ତାଙ୍କ ବିରୋଧରେ ଏକ ଟଙ୍କାର ଦୁର୍ନୀତି ଅଭିଯୋଗ ଲଗାଇ ପାରିବେ ନାହିଁ । ଯାହା ମୁୁଁ କୁହେ ତାହାକୁ ମୁୁଁ କରିକି ଦେଖାଏ ।

ଶନିବାର ଗଡକରୀ କହିଛନ୍ତି, ଦିଲ୍ଲୀରୁ ମେରଠ ଏକ୍ସପ୍ରେସ ହାଇୱେ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୧ ଏପ୍ରିଲରୁ ୧୪ ଲେନ୍ ବିଶିଷ୍ଟ ଏହି ସଡକ ଉଦଘାଟନ କରାଯିବ । ଏକଥା କହି ଏପ୍ରିଲ ଫୁଲ କରୁନାହିଁ । ବାସ୍ତବରେ ୧ ଅପ୍ରେଲରୁ ଦିଲ୍ଲୀରୁ ମେରଠ କେବଳ ୪୦ ମିନିଟ ମଧ୍ୟରେ ପହଞ୍ଚିପାରିବେ ।

ସମ୍ବନ୍ଧିତ ଖବର