ନାଗପୁର: କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ନିଜ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି। ଅନେକ ସମୟରେ ତାଙ୍କର ବୟାନକୁ ନେଇ ଖୁବ ଆଲୋଚନା ହୁଏ। ଏବେ ସେ ପୁଣି ସେଭଳି ଏକ ବୟାନ ଦେଇଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ନାଗପୁରରେ ଏକ କାର୍ଯ୍ୟକ୍ରମରେ ଗଡକରୀ ରାଜନେତାଙ୍କ ବିଷୟରେ ଏପରି ଏକ ବୟାନ ଦେଇଛନ୍ତି, ଯାହା ଆପଣ କୌଣସି କେନ୍ଦ୍ରମନ୍ତ୍ରୀଙ୍କ ମୁହଁରୁ ଶୁଣି ନଥିବେ। ଲୋକମାନେ କୁହନ୍ତି ଯେ ରାଜନେତାମାନେ ଭୋଟ ପାଇବା ପାଇଁ ମିଥ୍ୟା ପ୍ରତିଶ୍ରୁତିର ଜାଲରେ ଜନତାଙ୍କୁ ଫସାଇ ଦିଅନ୍ତି। ସେମାନେ ଜନତାଙ୍କୁ ମୂର୍ଖ ବୋଲି ଭାବି ତାଙ୍କୁ ବୋକା ବନାନ୍ତି। ଏହା ସତ୍ୟ ବୋଲି କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ଗଡ଼କରୀ।
ନାଗପୁରରେ ଏକ କାର୍ଯ୍ୟକ୍ରମରେ ନୀତିନ ଗଡକରୀ କହିଥିଲେ ଯେ, 'ଯେଉଁ ପେସାରେ ମୁଁ କାମ କରୁଛି, ସେଠାରେ ସମ୍ପୂର୍ଣ୍ଣ ହୃଦୟର ସହିତ ସତ୍ୟ କହିବା ନିଷେଧ। ଯିଏ ଲୋକଙ୍କୁ ସବୁଠାରୁ ଭଲ ଭାବରେ ବୋକା କରିପାରିବ, ସେ ସର୍ବୋତ୍ତମ ନେତା ହୋଇପାରିବ।' ଗଡକରୀଙ୍କ ଏହି କଥା ଶୁଣି କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକେ ସମସ୍ତେ ହସିବାକୁ ଲାଗିଥିଲେ। କେହି ଆଶା କରିନଥିଲେ ଯେ, ଗଡକରୀ ଏହା କହିପାରିବେ।
ଏତିକିରେ ନଅଟକି ସେ ଆହୁରି କହିଥିଲେ ଯେ, "ଯେକୌଣସି ଜିନିଷ ହାସଲ କରିବା ପାଇଁ ସର୍ଟକଟ୍ ଅଛି। ଜଣେ ବ୍ୟକ୍ତି ସର୍ଟକଟ୍ ମାଧ୍ୟମରେ ଶୀଘ୍ର ଗନ୍ତବ୍ୟସ୍ଥଳରେ ପହଞ୍ଚିଯାଏ। ଯଦି ଆପଣ ନିୟମ ଭାଙ୍ଗି ରାସ୍ତା ପାର କରିବାକୁ ଚାହାଁନ୍ତି, ତେବେ ନିୟମ ଭାଙ୍ଗି ଆପଣ ତାହା କରିପାରିବେ। କିନ୍ତୁ ସର୍ଟକଟ୍ର ଗୋଟିଏ ଅର୍ଥ ହେଉଛି ଏହା ଖୁବ କମ ସମୟ ପାଇଁ ରହିଥାଏ। ସେଥିପାଇଁ ଆମକୁ ସଚ୍ଚୋଟତା, ବିଶ୍ୱସନୀୟତା, ସମର୍ପଣ, ସତ୍ୟର ମୂଲ୍ୟ ବୁଝାଯାଇଛି। ଯେପରି ଶ୍ରୀକୃଷ୍ଣ କହିଛନ୍ତି, ଶେଷରେ ସତ୍ୟ ସବୁବେଳେ ଜିତେ।"
nitin gadkari