ତୈଳ ଦର ବୃଦ୍ଧି ପଛର କାରଣ କହି ଏହାର ସମାଧାନ ଆମ ପାଖରେ ନାହିଁ ବୋଲି କହିଲେ ନିତିନ ଗଡ଼କରୀ

ନୂଆଦିଲ୍ଲୀ: ଗତ ଚାରି ଦିନ ମଧ୍ୟରେ ତିନିଥର ବୃଦ୍ଧି ପାଇଲାଣି ତୈଳ ଦର। ନିର୍ବାଚନ ପରେ ପରେ ତୈଳ ଦର ବୃଦ୍ଧି ପାଇବ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ ତାହା ସତ ହେଉଥିବା ଦେଖାଯାଇଛି। କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ, ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ପାଇଁ ଅନ୍ତର୍ଜାତୀୟ ବଜାରରେ ତୈଳ ମୂଲ୍ୟରେ ବୃଦ୍ଧି ଘଟିଛି, ଯାହା ନିୟନ୍ତ୍ରଣ ବାହାରେ।

‌ସେ କହିଛନ୍ତି ଯେ, ଭାରତ ୮୦ ପ୍ରତିଶତ ତେଲ ଆମଦାନୀ କରିଥାଏ। ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି ପାଇଛି। ଏଥିପାଇଁ ଭାରତରେ ମଧ୍ୟ ଦର ବୃଦ୍ଧି ଘଟୁଛି। ଆମେ ଏନେଇ କିଛି କରିପାରିବୁ ନାହିଁ। ୨୦୦୪ ମସିହାରୁ ଆମେ ଭାରତକୁ ଆତ୍ମନିର୍ଭରଶୀଳ କରିବା ଉପରେ ଗୁରୁତ୍ୱ ଦେଇ ଆସୁଛୁ। ଆମକୁ ନିଜେ ଇନ୍ଧନ ତିଆରି କରିବାର ଆବଶ୍ୟକତା ରହିଛି।

ଏହା ପୂର୍ବରୁ ଦର ବୃଦ୍ଧି ନେଇ ବିଜେପିକୁ ସମାଲୋଚନା କରିବା ସହ ଏନସିପି ସାଂସଦ ସୁପ୍ରିୟା ସୁଲେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ସୁପ୍ରିୟା ଲୋକସଭାରେ କହିଥିଲେ ଯେ, କେବଳ ନିର୍ବାଚନ ଇନ୍ଧନ ମୂଲ୍ୟ ବୃଦ୍ଧିକୁ ରୋକିବାରେ ସକ୍ଷମ ହେବ। ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ମୂଲ୍ୟ ବୃଦ୍ଧି ନହେବା ପାଇଁ ପ୍ରତି ମାସରେ ନିର୍ବାଚନ ହେଉ। ସମ୍ପ୍ରତି ଇନ୍ଧନ ବୃଦ୍ଧି ଏବଂ ରନ୍ଧନ ଗ୍ୟାସ ମୂଲ୍ୟରେ ବୃଦ୍ଧି ପାଇଁ ଲୋକସଭାରେ ବିରୋଧୀ ଦଳ କ୍ଷମତାରେ ଥିବା ସରକାରଙ୍କୁ ସମାଲୋଚନା କରିଥିଲେ। କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମକେ, ଏନସିପି ଏବଂ ବାମପନ୍ଥୀମାନେ ସ୍ଲୋଗାନ ଦେବା ସହ ଇନ୍ଧନ ମୂଲ୍ୟ ଦର କମ କରିବାର ଦାବି କରି ଗୃହ ବର୍ଜନ କରିଥିଲେ।

ସମ୍ବନ୍ଧିତ ଖବର