ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା ପରେ କୁହୁଳୁଛି ଅସନ୍ତୋଷ, ନିତିନ ପଟେଲଙ୍କୁ ନେଇ ଜୋରଦାର ଚର୍ଚ୍ଚା

ନୂଆଦିଲ୍ଲୀ: ଗୁଜୁରାଟରେ ବିଜୟ ରୂପାନୀଙ୍କ ଇସ୍ତଫା ପରଠାରୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲଙ୍କ ସମେତ ବହୁ ଭେଟେରାନଙ୍କ ନାମକୁ ନେଇ କଳ୍ପନାଜଳ୍ପନା ଚାଲିଥିଲା | କିନ୍ତୁ ଭୁପେନ୍ଦ୍ର ପଟେଲଙ୍କ ନାମରେ ମୋହର ବାଜିଥିବାବେଳେ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଆଶାରେ ଥିବା ନିତିନ ପଟେଲଙ୍କ ଅସନ୍ତୋଷ ପ୍ରସଙ୍ଗ ସାମ୍ନାକୁ ଆସୁଛି। ନୂତନ ଭାବେ ନିଯୁକ୍ତ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ପରେ ଭୁପେନ୍ଦ୍ର ପଟେଲ ଆଜି ସନ୍ଧ୍ୟାରେ ରାଜଭବନରେ ପହଞ୍ଚିଥିଲେ ଏବଂ ସରକାର ଗଠନ ପାଇଁ ଦାବି କରିଥିଲେ। ତେବେ ଏହି ସମୟରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲ ଅନୁପସ୍ଥିତ ରହିଥିଲେ |

ଆଉ ଚର୍ଚ୍ଚା ମୁତାବକ ଏହି ଭେଟେରାନ ନେତା ଜଣକ ଅସନ୍ତୋଷ ଥିବାରୁ ରାଜଭବନକୁ ଯାଇନାହାନ୍ତି | ସୂଚନା ମୁତାବକ ବିଧାୟକ ଦଳ ବୈଠକ ପୂର୍ବରୁ ସେ ସାମ୍ବାଦିକମାନଙ୍କୁ ମଧ୍ୟ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଜଣେ ଅଭିଜ୍ଞ ବିଧାୟକ ହେବା ଉଚିତ। ଆଉ ଭୁପେନ୍ଦ୍ର ପଟେଲଙ୍କ ନାମ ଘୋଷଣା ହେବା ପରେ ସେ ସିଧାସଳଖ ନିଜ ଘରକୁ ପଳାଇଯାଇଥିଲେ |

ସାଧାରଣତଃ ସାମ୍ବାଦିକଙ୍କ ସହ କଥାବାର୍ତ୍ତା କରୁଥିବା ନିତିନ ସାମ୍ବାଦିକମାନଙ୍କ ସହ ମଧ୍ୟ କଥାବାର୍ତ୍ତା କରିନାହାଁନ୍ତି। ଚର୍ଚ୍ଚା ମୁତାବକ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସହ ତାଙ୍କର ଭଲ ସମ୍ପର୍କ ନଥିଲା। ରୂପାନୀ ଅମିତ ଶାହାଙ୍କ ପ୍ରିୟ ହୋଇଥିବାବେଳେ ନିତିନ ପଟେଲଙ୍କୁ ଗୁଜୁରାଟ ରାଜନୀତିରେ ଶାହଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିବେଚନା କରାଯାଉଥିବା ଆନନ୍ଦିବେନ୍ ପଟେଲଙ୍କ ନିକଟତର ବୋଲି ଜଣାଯାଏ |

ସମ୍ବନ୍ଧିତ ଖବର