ଯେପର୍ଯ୍ୟନ୍ତ ଦେଶରେ ହିନ୍ଦୁ ସଂଖ୍ୟାଗରିଷ୍ଠ ରହିବେ, ସମ୍ବିଧାନ ତିଷ୍ଠି ରହିବ: ଗୁଜୁରାଟ ଉପ-ମୁଖ୍ୟମନ୍ତ୍ରୀ

ଅହମ୍ମଦାବାଦ: ଗୁଜୁରାଟର ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲ ଆଜି ଏକ ବିବାଦୀୟ ବୟାନ ଦେଇଛନ୍ତି | ସେ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଦେଶରେ ଅଧିକ ସଂଖ୍ୟାରେ ହିନ୍ଦୁ ଅଛନ୍ତି, ସେ ପର୍ଯ୍ୟନ୍ତ ସମ୍ବିଧାନ, ଧର୍ମନିରପେକ୍ଷତା ଏବଂ ଆଇନ ଶୃଙ୍ଖଳା ବଜାୟ ରହିବ । ସେ କହିଛନ୍ତି ଯେପର୍ଯ୍ୟନ୍ତ ହିନ୍ଦୁଙ୍କର ସଂଖ୍ୟା ଅଧିକ ରହିବ, ସେ ପର୍ଯ୍ୟନ୍ତ ଦେଶରେ ସମ୍ବିଧାନ, ଧର୍ମନିରପେକ୍ଷତା ଏବଂ ଆଇନ ହିଁ ରହିବ | ନଚେତ୍ ସଂଖ୍ୟାଲଘୁ ସମ୍ପ୍ରଦାୟ ବଢିଲେ ଏଗୁଡିକ କିଛି ରହିବ ନାହିଁ। ଗୁଜୁରାଟର ଗାନ୍ଧିନଗରରେ ଥିବା ଭାରତ ମାତା ମନ୍ଦିରରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ ଏହା କହିଛନ୍ତି ।

ପଟେଲ ଆହୁରି କହିଛନ୍ତି, ‘ମୋର ବାକ୍ୟ ଲେଖି ରଖନ୍ତୁ, ଯେପର୍ଯ୍ୟନ୍ତ ଦେଶରେ ହିନ୍ଦୁମାନେ ସଂଖ୍ୟାଗରିଷ୍ଠ ରହିବେ, ସେ ପର୍ଯ୍ୟନ୍ତ ସମ୍ବିଧାନର ଶାସନ ଚାଲିବ । ଭଗବାନ ନ କରନ୍ତୁ, ଯଦି ଦୁଇ ହଜାର ବର୍ଷ ପରେ ହିନ୍ଦୁଙ୍କ ସଂଖ୍ୟା କମିଯାଏ, ତେବେ ସେଦିନ କୌଣସି କୋର୍ଟ, ଆଇନ, ଗଣତନ୍ତ୍ର କିମ୍ବା ସମ୍ବିଧାନ ରହିବ ନାହିଁ’। ଯେତେବେଳେ ନିତିନ ପଟେଲ ଏହି କଥା କହୁଥିଲେ ସେତେବେଳେ ରାଜ୍ୟ ଗୃହମନ୍ତ୍ରୀ ପ୍ରଦୀପ ସିଂ ଜାଡେଜା ଏବଂ ବରିଷ୍ଠ ଭିଏଚପି ଓ ଆରଏସଏସ ନେତାମାନେ ମଞ୍ଚରେ ଉପସ୍ଥିତ ଥିଲେ।

ପଟେଲ କହିଛନ୍ତି, “ମୁଁ ସମସ୍ତଙ୍କ ବିଷୟରେ କହୁନାହିଁ। ମୁଁ ଏହା ମଧ୍ୟ ସ୍ପଷ୍ଟ କରିବି ଯେ ଲକ୍ଷ ଲକ୍ଷ ମୁସଲମାନ ଦେଶପ୍ରେମୀ, ଲକ୍ଷ ଲକ୍ଷ ଖ୍ରୀଷ୍ଟିଆନ ଦେଶପ୍ରେମୀ ଅଛନ୍ତି । ଗୁଜୁରାଟ ପୁଲିସରେ ହଜାର ହଜାର ମୁସଲମାନ ଅଛନ୍ତି, ଯେଉଁମାନେ ଦେଶପ୍ରେମୀ।

ସମ୍ବନ୍ଧିତ ଖବର