ପାଟନା/ନୂଆଦିଲ୍ଲୀ : ବିଜେପି ନେତୃତ୍ବାଧୀନ ଏନ୍ଡିଏରେ ନୀତୀଶ କୁମାରଙ୍କ ଜେଡିୟୁ ଏବେ ଜୁନିୟର ଅଂଶୀଦାର ହୋଇଯାଇଛି। ଏହାର ଆସନ ସଂଖ୍ୟା ପୂର୍ବ ନିର୍ବାଚନ ତୁଳନାରେ ୨୮ଟି ହ୍ରାସ ପାଇଥିବା ବେଳେ ବିଜେପି ୨୦ ଆସନ ଅଧିକ ପାଇ ମେଣ୍ଟରେ ଏକ ନମ୍ବର ସ୍ଥାନକୁ ଆସିଛି। ତାଙ୍କ ଦଳର ପ୍ରଦର୍ଶନ ଅତ୍ୟନ୍ତ ଖରାପ ହୋଇଥିବାରୁ ନୀତୀଶ ମୁଖ୍ୟମନ୍ତ୍ରୀ ହେବାକୁ ଅନିଚ୍ଛା ପ୍ରକାଶ କରିଥିବା ଜଣାପଡ଼ିଛି। ବିଜେପି ଏବଂ ଜେଡିୟୁ ତାଙ୍କୁ ହିଁ ମୁଖ୍ୟମନ୍ତ୍ରୀ କରିବେ ବୋଲି ନିର୍ବାଚନ ପୂର୍ବରୁ ଘୋଷଣା କରିଥିଲେ ମଧ୍ୟ ନୀତୀଶ ଆଉ ଆଗ୍ରହୀ ନଥିବା ବିଜେପି ହାଇକମାଣ୍ଡକୁ ଜଣାଇ ଦେଇଛନ୍ତି। ଆଜି ସେ ଏହି କଥା ସିଧା ସଳଖ କହି ନଥିଲେ ମଧ୍ୟ ଜଣାଇ ଦେଇଛନ୍ତି ଯେ ଚୂଡ଼ାନ୍ତ ନିଷ୍ପତ୍ତି ଏନଡିଏ ନେବ।
ତେବେ ମୁଖ୍ୟମନ୍ତ୍ରୀ ହେବାକୁ ଅନାଗ୍ରହ ପ୍ରକାଶ କରିବା ପରେ ବିଜେପି ନେତାମାନଙ୍କ ମଧ୍ୟରେ ଭାଲେଣି ପଡ଼ିଗଲାଣି। ନୀତୀଶ କାଳେ ଆରଜେଡି ଆଡ଼କୁ ଢଳିପଡ଼ିବେ ସେଭଳି ଆଶଙ୍କା ସୃଷ୍ଟି ହୋଇଥିବାରୁ ବିଜେପି ନେତାମାନେ ଆଜି ଦିନ ତମାମ ନୀତୀଶଙ୍କୁ ମନାଇବାରେ ଲାଗିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ନୀତୀଶଙ୍କ କ୍ଷମତା ପୂର୍ବଭଳି ରହିବ ଏବଂ ସେ ହିଁ ଚୂଡାନ୍ତ ନିଷ୍ପତ୍ତି ନେବେ। ଏଥିପାଇଁ ତାଙ୍କ ଉପରେ ବିଜେପି ଚାପ ପକାଇବ ନାହିଁ ବୋଲି ସେମାନେ ତାଙ୍କୁ ବୁଝାଇଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁସାରେ ବିଜେପି ଆଗରେ ନୀତୀଶ ଦୁଇଟି ସର୍ତ ରଖିଛନ୍ତି। ପ୍ରଥମଟି ହେଲା ଚିରାଗ ପାଶ୍ବାନଙ୍କୁ ଏନଡିଏରୁ ବିଦା କରାଯାଉ। ଦ୍ବିତୀୟଟି ହେଲା ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର କ୍ଷମତା ସଙ୍କୁଚିତ ହେବନାହିଁ। ଏଲ୍ଜେପି ନେତା ପାଶ୍ବାନଙ୍କୁ ନେଇ ନୀତୀଶ ଭୀଷଣ କ୍ଷୁବ୍ଧ ଅଛନ୍ତି। ସେ ବିଜେପି ନେତାମାନଙ୍କୁ ଜଣାଇ ଦେଇଛନ୍ତି ଯେ ପାଶ୍ବାନଙ୍କ ଯୋଗୁଁ ତାଙ୍କ ପାର୍ଟିକୁ ୨୫ରୁ ୩୦ଟି ଆସନ ହରାଇବାକୁ ପଡ଼ିଛି। ନିର୍ବାଚନ ବେଳେ ସେ ଏଭଳି ଆଶଙ୍କା ପ୍ରକାଶ କରିଥିଲେ। କିନ୍ତୁ ବିଜେପି ଏହାକୁ ହାଲୁକା ଭାବେ ଗ୍ରହଣ କରିଥିଲା। ଚିରାଗଙ୍କ ପ୍ରତି ବିଜେପି କଠୋର ହୋଇଥିଲେ ଏନଡିଏ ଆଜି ଭଲ ସ୍ଥିତିରେ ଥାଆନ୍ତା। ଚିରାଗ ପାଶ୍ବାନଙ୍କୁ ଏନ୍ଡିଏରୁ ବାହାର କରିବା ଲାଗି ସେ ଜିଦ୍ ଧରିଛନ୍ତି।
ଚିରାଗଙ୍କ ଯୋଗୁଁ ତାଙ୍କ ପାର୍ଟି ଏନଡିଏରେ ଦ୍ବିତୀୟ ସ୍ଥାନକୁ ଖସିଛି। ଫଳରେ ବିଜେପି ଦୟାରେ ନୀତୀଶ ମୁଖ୍ୟମନ୍ତ୍ରୀ ହେବେ। ପୂର୍ବଭଳି ତାଙ୍କର ଆଉ କ୍ଷମତା ରହିବ ନାହିଁ। ସବୁ ନିଷ୍ପତ୍ତି ଲାଗି ତାଙ୍କୁ ବିଜେପି ଉପରେ ନିର୍ଭର କରିବାକୁ ପଡ଼ିବ। କେତେକ ବିଜେପି ନେତା ଏଭଳି ଭାଷା କହିବା ଆରମ୍ଭ କରିଥିବାରୁ ନୀତୀଶ କ୍ଷୁବ୍ଧ ହୋଇଛନ୍ତି। ସୀମିତ କ୍ଷମତା ସହିତ ମୁଖ୍ୟମନ୍ତ୍ରୀ ହେବାକୁ ଚାହାନ୍ତି ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି। ଯଦି ମୁଖ୍ୟମନ୍ତ୍ରୀ ହେବେ ତାହାହେଲେ ପୂର୍ବଭଳି କ୍ଷମତା ତାଙ୍କ ପାଖରେ ରହିବ।
ତାଙ୍କର ଏହି ଦୁଇଟି ସର୍ତ ମାନିବାକୁ ବିଜେପି ହାଇକମାଣ୍ଡ ରାଜି ଥିବା ସୂଚନା ମିଳିଛି। ବିଜେପି ଏବଂ ଜେଡିୟୁର ବରିଷ୍ଠ ନେତାମାନେ ଆଲୋଚନା ଜାରି ରଖିଛନ୍ତି। ତେବେ ଆସନ୍ତାକାଲି ଏସଂପର୍କରେ ସ୍ପଷ୍ଟ ଚିତ୍ର ମିଳିବ। କାଲି ଏନଡିଏ ଅଂଶୀଦାର ଦଳମାନଙ୍କର ବୈଠକ ପାଟନାରେ ହେବାକୁ ଯାଉଛି। କାଲି ସକାଳେ ପ୍ରଥମେ ଏନ୍ଡିଏର ସମସ୍ତ ଅଂଶୀଦାର ବିଜେପି, ଜେଡିୟୁ, ହାମ୍ ଏବଂ ଭିଆଇପି ସେମାନଙ୍କ ନବ ନିର୍ବାଚିତ ବିଧାୟକମାନଙ୍କର ଏକ ବୈଠକ କରିବେ। ପରେ ଏନ୍ଡିଏ ବିଧାୟକମାନଙ୍କର ମିଳିତ ବୈଠକ କାଲି ହେବ।