ପୁଣି ରଙ୍ଗ ବଦଳାଇଲେ ନୀତୀଶ: ବିଜେପି ଛାଡ଼ି ଆର୍‌ଜେଡି ହାତ ଧରିଲେ

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ, ଆଜି ପୁଣି ଶପଥ ନେବେ

ପାଟନା: ବିହାରରେ ନୀତୀଶ କୁମାରଙ୍କ ‘ସଂପର୍କ ଭାଙ୍ଗିବା, ଯୋଡ଼ିବା’ ରାଜନୀତି ଜାରି ରହିଛି। ୫ ବର୍ଷ ତଳେ ଯେଉଁ ଆରଜେଡି ସହ ସଂପର୍କ ଚ୍ଛିନ୍ନ କରି ବିଜେପିର ହାତ ଧରି ଶାସନ ଚଳାଇଥିଲେ, ଆଜି ପୁଣି ସେହି ଆରଜେଡି ସହ ମିଶି ସରକାର ଗଢ଼ିବା ଲାଗି ବିଜେପିର ହାତ ଛାଡ଼ିଛନ୍ତି। ତାଙ୍କର ଏହି ରାଜନୈତିକ ଖେଳ ଆଜି ଜାତୀୟ ରାଜନୀତିରେ ଚର୍ଚାର ବିଷୟ ହୋଇଛି। ନୀତୀଶ ବିଜେପି ସହ ସଂପର୍କ ଚ୍ଛିନ୍ନ କରିବା ସହିତ ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏହାସହିତ ଲାଲୁଙ୍କ ଆରଜେଡି ସହ ମିଶି ସରକାର ଗଠନ କରିବାକୁ ଯାଉଛନ୍ତି। ଆସନ୍ତାକାଲି ସେ ଅଷ୍ଟମ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଆରଜେଡି ନେତା ତେଜସ୍ବୀ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏଭଳି ପରିସ୍ଥିତି ଲାଗି ନୀତୀଶ ବିଜେପି ‌ନେତାମାନଙ୍କୁ ଦାୟୀ କରିଥିବା ବେଳେ ବିଜେପି ତାଙ୍କୁ ବିଶ୍ବାସଘାତକ ବୋଲି କହିଛନ୍ତି। ୨୦୧୭ରୁ ବିଜେପି-ଜେଡିୟୁ ମନ୍ତ୍ରିମଣ୍ଡଳର ‌ନେତୃତ୍ବ ନେଇ ଆସୁଥିବା ମୁଖ୍ୟମନ୍ତ୍ରୀ ନୀତୀଶ ଆଜି ଏଭଳି ପଦକ୍ଷେପ ନେବେ ବୋଲି ଗତକାଲି ଠାରୁ ସୂଚନା ମିଳିସାରିଥିଲା। କେବଳ ଘୋଷଣା ବାକି ରହିଥିଲା। କିନ୍ତୁ ଯେଉଁ ଢଙ୍ଗରେ ଏତେ ଘଟଣା ଘଟିଗଲା ତାହା ସମସ୍ତଙ୍କୁ ବିସ୍ମିତ କରିଛି। ଦ୍ବିତୀୟ ବାର ବିଜେପିକୁ ଛାଡ଼ପତ୍ର ଦେବା ପୂର୍ବରୁ ନୀତୀଶ ଆଜି ତାଙ୍କ ଦଳର ବିଧାୟକ ଓ ସାଂସଦମାନଙ୍କ ସହ ବୈଠକ‌ କରିଥିଲେ। ବୈଠକରେ ନିଷ୍ପତ୍ତି ଚୂଡ଼ାନ୍ତ ହେବା ପରେ ଅପରାହ୍ଣରେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ଦେଇଥିଲେ। ଏହାପରେ ଗଣମାଧ୍ୟମକୁ କହିଥିଲେ ଯେ ତାଙ୍କ ଦଳର ବିଧାୟକ ଓ ସାଂସଦମାନଙ୍କ ସହମତି କ୍ରମେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ରୁ ଓହରିବା ପାଇଁ ସ୍ଥିର ହୋଇଛି। ଏହାପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଉଲ୍ଲେଖନୀୟ ‌‌ଯେ ନୀତୀଶ ନିଜ ଦଳର ବିଧାୟକ ଓ ସାଂସଦମାନଙ୍କ ସହିତ ଯେଉଁ ସମୟରେ ଆଲୋଚନା କରୁଥିଲେ, ଠିକ୍ ସେହି ସମୟରେ ତେଜସ୍ବୀଙ୍କ ଘରେ ଆରଜେଡି ବିଧାୟକମାନଙ୍କର ମଧ୍ୟ ବୈଠକ ଚାଲିଥିଲା।

ତେଜସ୍ବୀ ହେବେ ଉପମୁଖ୍ୟମନ୍ତ୍ରୀ, ସୋନିଆଙ୍କ ସହ କଥା ‌େହଲେ ନୀତୀଶ

ତେଣୁ ଇସ୍ତଫା ଦେଇ ରାଜଭବନରୁ ନୀତୀଶ ସିଧା ଯାଇଥିଲେ ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ଘରକୁ। ସେଠାରେ ନୀତୀଶଙ୍କୁ ନୂଆ ମହାମେଣ୍ଟର ନେତା ଘୋଷଣା କରାଯାଇଥିଲା। ତେଜସ୍ବୀଙ୍କୁ ସାଙ୍ଗରେ ନେଇ ନୀତୀଶ ରାଜ୍ୟପାଳଙ୍କୁ ଦେଖା କରି ନୂଆ ମହ‌ାମେଣ୍ଟର ନେତା ଭାବେ ପୁଣି ସରକାର ଗଢ଼ିବା ପାଇଁ ଦାବି କରିଥିଲେ। ଏକ ଘଣ୍ଟା ଭିତରେ ରାଜ୍ୟପାଳଙ୍କ ସହିତ ଏହା ଥିଲା ନୀତୀଶଙ୍କର ଦ୍ବିତୀୟ ସାକ୍ଷାତ। ୨୪୪ ସଭ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭାରେ ନୂଆ ମେଣ୍ଟ ପ୍ରତି ୧୬୪ ବିଧାୟକଙ୍କ ସମର୍ଥନ ରହିଥିବା ନୀତୀଶ ରାଜ୍ୟପାଳଙ୍କୁ ଜଣାଇଥିଲେ। ଏହାପରେ‌ ରାଜ୍ୟପାଳ ତାଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିବା ଜଣାପଡ଼ିଛି। ନୂଆ ମନ୍ତ୍ରିମଣ୍ଡଳରେ କଂଗ୍ରେସ ମଧ୍ୟ ଯୋଗ ଦେଉଥିବାର ସୂଚନା ମିଳିଛି। ଏସଂପର୍କରେ ସୋନିଆଙ୍କ ସହ ନୀତୀଶ କଥା ହୋଇଛନ୍ତି।

ନୀତୀଶ ମେଣ୍ଟ ଭାଙ୍ଗିବା ପରେ ବିଜେପିର ବରିଷ୍ଠ ନେତାମାନେ ଦିଲ୍ଲୀରୁ ରାଜଧାନୀ ପାଟନା ଆସୁଥିବା ଦେଖାଯାଉଛି। ସେମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ। ସେମାନେ ନୀତୀଶଙ୍କ ଉପରେ ବର୍ଷିଛନ୍ତି। ସାମ୍ବାଦିକ ସମ୍ମିଳନୀ କରି ବିହାର ବିଜେପି ମୁଖ୍ୟ ସଞ୍ଜୟ ଜୟସ୍ବାଲ କହିଛନ୍ତି ଯେ ନୀତୀଶ କୁମାର ରାଜ୍ୟବାସୀ ଓ ବିଜେପି ସହ ବିଶ୍ବାସଘାତକତା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଆର୍‌କେ ସିଂହ କହିଛନ୍ତି, ନୀତୀଶ କୁମାର ଯାହା କଲେ ତାହା ଜନାଦେଶ ପ୍ରତି ସମ୍ପୂର୍ଣ୍ଣ ବିଶ୍ବାସଘାତକତା। ବିହାରର ଜନସାଧାରଣ ତାଙ୍କୁ ଉଚିତ ଶିକ୍ଷା ଦେବେ। ଅନ୍ୟପକ୍ଷରେ ରାମବିଳାସ ପାଶ୍ବାନଙ୍କ ପୁଅ ଚିରାଗ ବିହାରରେ ମେଣ୍ଟ ଭାଙ୍ଗିଥିବାରୁ ରାଷ୍ଟ୍ରପତି ଶାସନ ଜାରି ସହିତ ସାନି ନିର୍ବାଚନ ହେବା ଉଚିତ ବୋଲି ମତ ଦେଇଛନ୍ତି। କିନ୍ତୁ ନୀତୀଶ ଏବଂ ତାଙ୍କ ଦଳର ନେତାମାନେ ଏଭଳି ପରିସ୍ଥିତି ଲାଗି ବିଜେପିକୁ ଦାୟୀ କରିଛନ୍ତି। ନୀତୀଶ ଅଭିଯୋଗ କରିଛନ୍ତି ଯେ ତାଙ୍କ ଦଳ ଜେଡିୟୁକୁ ଭାଙ୍ଗିବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ବିଜେପି ନେତା ଅମିତ ଶାହ ଷଡ଼ଯନ୍ତ୍ର ଚଳାଇଥିଲେ। ଜେଡିୟୁର କିଛି ନେତାଙ୍କୁ ଧରି ବିଜେପିର ଅନ୍ୟ ନେତାମାନ ମଧ୍ୟ ଏହି ଷଡ଼ଯନ୍ତ୍ରରେ ସାମିଲ ଥିଲେ। ଅମିତ ଶାହ ବିହାରରେ ମହାରାଷ୍ଟ୍ରର ଶିବସେନା ପରି ତାଙ୍କ ଦଳରେ ମଧ୍ୟ ଫାଟ ସୃଷ୍ଟି କରିବାକୁ ଉଦ୍ୟମ ଚଳାଇଥିଲେ। ତେଣୁ ବିଜେପି ସହ ସଂପର୍କ ଚ୍ଛିନ୍ନ କରିବା ଛଡ଼ା ଅନ୍ୟ କୌଣସି ରାସ୍ତା ନଥିଲା।

ସୂଚନାଯୋଗ୍ୟ ଯେ ୨୪୪ ସଭ୍ୟ ବିଶିଷ୍ଟ ବିହାର ବିଧାନସଭାରେ ଆରଜେଡିର ସର୍ବାଧିକ ୭୯ ବିଧାୟକ ଥିବା ବେଳେ ଜେଡିୟୁର ୪୫, କଂଗ୍ରେସ ୧୯, ସିପିଆଇଏମଏଲର ୧୨ ଏବଂ ବିଜେପିର ୭୭ ଜଣ ବିଧାୟକ ଅଛନ୍ତି।

 

ସମ୍ବନ୍ଧିତ ଖବର