ବିଧାନସଭାରେ ଇଂରାଜୀ ଭାଷାର ବ୍ୟବହାରକୁ ନୀତୀଶଙ୍କ ନାପସନ୍ଦ

ପାଟନା: ବିହାର ବିଧାନସଭାରେ ଇଂରାଜୀ ଭାଷାର ବ୍ୟବହାରକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ବିଧାନସଭାରେ ଏକ ଡିସ୍‌ପ୍ଲେ ବୋର୍ଡରେ ଇଂରାଜୀରେ କିଛି ଲେଖା ହୋଇଥିବା ଦେଖି ରାଗିଯାଇଥିଲେ ନୀତୀଶ। ଏକ ହିନ୍ଦୀଭାଷୀ ରାଜ୍ୟରେ ଇଂରାଜୀର କାହିଁକି ଏତେ ବ୍ୟବହାର ହେଉଛି କହି ଗାଳିଦେଇଥିଲେ। ତାଙ୍କର ଏପରି କ୍ରୋଧ ପ୍ରକାଶ କରିବାର ଭିଡ଼ିଓ କ୍ଲିପ୍ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି।

ନୀତୀଶ କୁମାର ‌ଅନ୍ୟତମ ଜେଡିୟୁ ନେତା ତଥା ଚେୟାରମ୍ୟାନ ଦେବେଶ ଚନ୍ଦ୍ର ଠାକୁରଙ୍କୁ ଗାଳିଦେଇ କହିଥିଲେ,- ମୁଁ ଡିସ୍‌ପ୍ଲେ ବୋର୍ଡରେ ଅନରେବ୍‌ଲ, ସ୍ପିକିଂ ଟାଇମ୍ ପରି ଶବ୍ଦ ଲେଖା ଥିବା ଦେଖୁଛି। କାହିଁକି ଏସବୁ ଲେଖାଯାଇଛି? ତୁମେ ହିନ୍ଦୀ ଭାଷାକୁ ଶେଷ କରିଦେବାକୁ ଚାହୁଛ କି? (ହିନ୍ଦୀ କୋ ଖତମ କର ଦିଜିୟେଗା କ୍ୟା?)ଏହାପରେ ଚେୟାରମ୍ୟାନ ନୀତୀଶଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ ଏବଂ କହିଥିଲେ, ଏହାର ସଂଶୋଧନ କରାଯିବ। ଭବିଷ୍ୟତରେ ଏପରି ଭୁଲ୍ ଆଉ ହେବ ନାହିଁ। ଗତମାସରେ ମଧ୍ୟ ନୀତୀଶ ଇଂରାଜୀର ବ୍ୟବହାରକୁ ନେଇ ବିରକ୍ତି ପ୍ରକାଶ କରିଥିଲେ। ଜଣେ ମ୍ୟାନେଜମେଣ୍ଟ ଗ୍ରାଜୁଏଟ୍ ପୁନେଠାରେ ଲୋଭନୀୟ ଚାକିରି ଛାଡ଼ି ଶେଖପୁରା ଜିଲ୍ଲାରେ ତାଙ୍କ ନିଜ ଗ୍ରାମରେ କୃଷିକୁ ଆପଣେଇବାର ଅନୁଭୂତି ବର୍ଣ୍ଣନା କଲାବେଳେ ଅନେକ ଇଂରାଜୀ ଶବ୍ଦ ବ୍ୟବହାର କରିଥିଲେ। ନୀତୀଶ ଏପରି ଇଂରାଜୀ ଶବ୍ଦ ବ୍ୟବହାରକୁ ସମାଲୋଚନା କରିଥିଲେ।

ସମ୍ବନ୍ଧିତ ଖବର