ବାରମ୍ବାର ନୋଟିସ ପରେ ନୀତୀଶ ଦେଉନାହାଁନ୍ତି ୮୦ ହଜାର କୋଟିର ହିସାବ, ସିଏଜି ରିପୋର୍ଟରେ ଆତ୍ମସାତ ଆଶଙ୍କା

ପାଟନା: ବିହାରର ନୀତୀଶ ସରକାରଙ୍କ ଆର୍ଥିକ ପ୍ରବନ୍ଧନରେ ଭାରତର ମହାଲେଖା ନିୟନ୍ତ୍ରକ (ସିଏଜି) ଅନେକ ତ୍ରୁଟି ଥିବା ନେଇ ନିଜ ରିପୋର୍ଟରେ ଦର୍ଶାଇଛନ୍ତି । ସିଏଜି ତାଙ୍କ ରିପୋର୍ଟରେ କହିଛନ୍ତି ଯେ, ୭୯,୬୯୦ କୋଟି ଟଙ୍କାର ଉପଯୋଗିତା ପ୍ରମାଣ ପତ୍ର ନେଇ ବାରମ୍ବାର ନୀତୀଶ ସରକାରଙ୍କୁ ହିସାବ ମଗାଯାଉଥିଲେ ବି ସେ ହିସାବ ଦେଉନାହାଁନ୍ତି । ଏତେ ପରିମାଣର ଅର୍ଥରାଶି କେଉଁଠି ବିନିଯୋଗ ହୋଇଛି ତାହା ଦୀର୍ଘଦିନ ହେବ ନୀତୀଶ ସରକାର ହିସାବ ଦେଉ ନଥିବାରୁ ଏହାକୁ ସରକାର ଆତ୍ମସାତ କରିଥାଇ ପାରନ୍ତି ବୋଲି ରିପୋର୍ଟରେ କୁହାଯାଇଛି । ଏହାସହ ଡିସି ବିଲ ଦେଉ ନଥିବାରୁ ୯୧୫୫ କୋଟିର ଅଗ୍ରୀମ ରାଶିର ହିସାବ ମଧ୍ୟ ମିଳିପାରିନାହିଁ, ଯାହା ପାଇଁ ସିଏଜି ଉଦବେଗ ପ୍ରକାଶ କରିଛନ୍ତି ।

ଏହି ବିଲକୁ ଗୁରୁବାର ଦିନ ବିହାରର ଅର୍ଥମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦ ବିହାର ବିଧାନସଭାରେ ଉପସ୍ଥାପିତ କରିଥିଲେ । ଏହି ରିପୋର୍ଟ ମୁତାବକ ପାଖାପାଖି ୧୮,୮୭୨ କୋଟି ଟଙ୍କା ରାଜ୍ୟ ସରକାର ନିଜର ବିଭିନ୍ନ ଉଦ୍ୟୋଗଗୁଡିକୁ ଦେଇଛନ୍ତି । ହେଲେ ଏହି ଅର୍ଥପ୍ରଦାନର ଅଡିଟ୍ ରିପୋର୍ଟ ଏପର୍ଯ୍ୟନ୍ତ ରାଜ୍ୟ ସରକାର ପ୍ରଦାନ କରିନାହାଁନ୍ତି । ଏହା ବ୍ୟତୀତ, ଏହି ରିପୋର୍ଟରେ ୨୦୧୯-୨୦ ମଧ୍ୟରେ ପ୍ରଥମ ଥର ପାଇଁ ୧୭୮୪ କୋଟି ରାଜସ୍ୱ ନିଅଣ୍ଟ ହୋଇଥିବା ନେଇ ରିପୋର୍ଟରେ ନିଶ୍ଚିତ କରାଯାଇଛି |

ତେବେ ସିଏଜି ରିପୋର୍ଟ କିଛି ଆଶ୍ଚର୍ଯ୍ୟଜନକ ନୁହେଁ ବୋଲି ବିହାର ସରକାର କହିଛନ୍ତି । ସରକାରଙ୍କ ତରଫରୁ କୁହାଯାଇଛି କି ଗତ ଅନେକ ବର୍ଷ ହେବ ବିଚାରଧିନ ଥିବା ଅଧିକାଂଶ ପଞ୍ଚାୟତି ରାଜ, ଶିକ୍ଷା, ସାମାଜିକ କଲ୍ୟାଣ ବିଭାଗ ସହ ଜଡିତ ମାମଲାକୁ ସିଏଜି ତାଙ୍କ ହିସାବକୁ ନେଇ ନାହାଁନ୍ତି । ଅନ୍ୟପଟେ ପିଏସୟୁର ଅଡିଟ ୧୦ ବର୍ଷ ହେବ ବିଚାରଧୀନ ଥିବାରୁ ଏହି ପରିମାଣର ଆଡଜଷ୍ଟମେଣ୍ଟ ଏତେ ସହଜ ନୁହେଁ ବୋଲି ରାଜ୍ୟ ସରକାର ମତ ରଖିଛନ୍ତି ।

ସମ୍ବନ୍ଧିତ ଖବର