ପାଟନା: ବିହାରର ନୀତୀଶ କୁମାର ସରକାର ରାଜ୍ୟକୁ ସ୍ୱତନ୍ତ୍ର ବର୍ଗର ମାନ୍ୟତା ପ୍ରଦାନ ପାଇଁ ଦାବି କରିଛନ୍ତି। ଏ ସଂପର୍କରେ ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାରଙ୍କୁ ଲେଖିଥିବା ଏକ ଚିଠିରେ ରାଜ୍ୟ ଯୋଜନା ଏବଂ କାର୍ଯ୍ୟନ୍ଵୟନ ମନ୍ତ୍ରୀ ବିଜେନ୍ଦ୍ର ଯାଦବ ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ ବିହାର ସ୍ୱତନ୍ତ୍ର ମାନ୍ୟତା ପାଇବା ପାଇଁ ନିର୍ଦ୍ଧାରିତ ସମସ୍ତ ମାନଦଣ୍ଡ ପୂରଣ କରୁଛି।
ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ ଉପରେ ନିକଟରେ ପ୍ରକାଶିତ ରିପୋର୍ଟକୁ ନେଇ ମନ୍ତ୍ରୀ ନିତି ଆୟୋଗର ଏହି ପ୍ରସଙ୍ଗରେ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥିଲେ ଯେଉଁଥିରେ ବିହାରକୁ ଦେଶର ନିମ୍ନରେ ରଖାଯାଇଥିଲା। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କ୍ଷମତାକୁ ଆସିବା ପରଠାରୁ ରାଜ୍ୟର ଦ୍ରୁତ ବିକାଶ ଦାବିକୁ ଖଣ୍ଡନ କରିବା ପାଇଁ ବିରୋଧୀମାନେ ଏହି ରିପୋର୍ଟକୁ ଏବେ ଏକ ଅସ୍ତ୍ର ଭାବେ ବ୍ୟବହାର କରଛନ୍ତି।
ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ତାଙ୍କ ଚିଠିରେ ସ୍ୱୀକାର କରିଛନ୍ତି ଯେ ରାଜ୍ୟର ମୁଣ୍ଡପିଛା ଆୟ, ଜୀବନଧାରଣର ମାନ ଏବଂ ମାନବ ବିକାଶ ପରି ସୂଚକ ଜାତୀୟ ହାରାହାରିଠାରୁ ବହୁତ କମ୍ ରହିଛି।
ମନ୍ତ୍ରୀ ଯାଦବ ବିହାରର ଏହି ସମସ୍ୟା ପାଇଁ ସାଂପ୍ରତିକ ସ୍ଥିତିକୁ ଦାୟୀ କରିଥିଲେ ଯେଉଁଥିରେ ରାଜ୍ୟରେ ଦୁର୍ଲଭ ପ୍ରାକୃତିକ ସମ୍ପଦ ଥିବା ସହ ଜନସଂଖ୍ୟାର ଅଧିକ ଘନତା ଥିଲା ଏବଂ ମରୁଡ଼ି ଏବଂ ବନ୍ୟା ପରି ପ୍ରାକୃତିକ ଦୁର୍ବିପାକ ଦ୍ୱାରା ରାଜ୍ୟ ପୀଡିତ ଥିଲା ଯାହା ଏହାର ଅଧାରୁ ଅଧିକ ଜିଲ୍ଲାକୁ ପ୍ରଭାବିତ କରିଥିଲା। ବିହାରରେ ସରକାରୀ ଶିଳ୍ପ ପ୍ରତିଷ୍ଠା ପାଇଁ କେନ୍ଦ୍ରୀୟ ପଦକ୍ଷେପର ଅଭାବ ରହିଛି ବୋଲି ମନ୍ତ୍ରୀ ଅଭିଯୋଗ କରିଛନ୍ତି ଯାହା ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ଏବଂ ବୈଷୟିକ ଶିକ୍ଷାକୁ ଉତ୍ସାହଜନକ କରିପାରି ନାହିଁ। ଏହା ବ୍ୟତୀତ ବିହାର ସବୁଜ ବିପ୍ଳବର ଲାଭରୁ ବଞ୍ଚିତ ବୋଲି ମଧ୍ୟ ମନ୍ତ୍ରୀ ଅଭିଯୋଗ କରିଛନ୍ତି। ତେଣୁ, ଭୂଗୋଳ ଏବଂ ଇତିହାସ ଦ୍ୱାରା ଲାଗୁ କରାଯାଇଥିବା ସୀମିତତାକୁ ଦୂର କରି ରାଜ୍ୟକୁ ଏବେ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନର ଆବଶ୍ୟକତା ରହିଥିବା ସେ ତାଙ୍କ ପତ୍ରରେ ଦର୍ଶାଇଛନ୍ତି।