ନୂଆଦିଲ୍ଲୀ: ଦେଶରେ ପରବର୍ତ୍ତୀ ସରକାର ଗଠନ ପାଇଁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ଅନ୍ୟପକ୍ଷରେ ଆଜି ଜେଡିୟୁର ବରିଷ୍ଠ ନେତା କେସି ତ୍ୟାଗୀ ଏକ ଚକିତକାରୀ ବୟାନରେ କହିଛନ୍ତି ଯେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଇଣ୍ଡି ମେଣ୍ଟ ପ୍ରଧାନମନ୍ତ୍ରୀ ପଦ ଅଫର୍‌ ଦେଇଥି‌ଲା। ତେବେ ଜେଡିୟୁ ଏନଡିଏ ସହ ରହିଛି ଏବଂ ନୀତୀଶ ଇଣ୍ଡି ମେଣ୍ଟ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ତ୍ୟାଗୀ କହିଛନ୍ତି। ସୂଚନାଯୋଗ୍ୟ, ବିହାରରେ ବିଜେପି ଓ ଜେଡିୟୁ ଏକାଠି ଲୋକସଭା ନିର୍ବାଚନ ଲଢ଼ିଥିଲେ ଏବଂ ନୀତୀଶ କୁମାର ମଧ୍ୟ କହିଛନ୍ତି ଯେ ସେ ଏନଡିଏ ସହିତ ଦୃଢ଼ ଭାବେ ରହିବେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିକୁ ସଫଳ କରିବା ପାଇଁ ସବୁ ସମର୍ଥନ ମିଳିବ। ଜେଡିୟୁ କହିଛି ଯେ ଦିନକ ପୂର୍ବରୁ ନୀତୀଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଇଣ୍ଡି ମେଣ୍ଟ ନେତାମାନେ ଅଫର ଦେଇଥିଲେ। ଯେଉଁ ମେଣ୍ଟ ନୀତୀଶଙ୍କୁ ଆବାହକ ପଦ ଦେବାକୁ ରାଜି ହେଉନଥିଲା, ଏବେ ସେହି ମେଣ୍ଟ ନେତାମାନେ ପ୍ରଧାନମନ୍ତ୍ରୀ ପଦ ଅଫର୍‌ ଦେବା ବିସ୍ମୟକର ବୋଲି ତ୍ୟାଗୀ କହିଛନ୍ତି। ଏନ୍‌ଡିଏ ବୈଠକରେ ନୀତୀଶ କୁମାର ସ୍ପଷ୍ଟ କରିଛନ୍ତି ଯେ ଏନ୍‌ଡିଏକୁ ଜନାଦେଶ ମିଳିଛି ଏବଂ ସବୁ ଦଳ ଏକଜୁଟ ହୋଇ କାମ କରିବେ। ବିହାରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ କେସି ତ୍ୟାଗୀ କହିଛନ୍ତି ଯେ ଏହି ଦାବି ବହୁ ପୂର୍ବରୁ ରହି ଆସିଛି ଏବଂ ଆଗକୁ ମଧ୍ୟ ଜାରି ରହିବ।