୪୦ ବର୍ଷ ଧରି ବିହାର ରାଜନୀତିର କେନ୍ଦ୍ର ନୀତୀଶ

ଲାଲୁ ପ୍ରସାଦଙ୍କ ସହ ମିଶି ରାଜନୀତି ଆରମ୍ଭ କରିଥିଲେ, ନୀତୀଶଙ୍କ କାର୍ଯ୍ୟକାଳର ସ୍ଥାୟିତ୍ବ ନେଇ ପ୍ରଶ୍ନବାଚୀ

ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଗତ ୪୦ ବର୍ଷ ଧରି ବିହାର ରାଜନୀତିର କେନ୍ଦ୍ର ପାଲଟିଛନ୍ତି। ନୀତୀଶ ମୁଖ୍ୟମନ୍ତ୍ରୀ ଭାବେ ବିହାରରେ ମଦ ନିଷିଦ୍ଧ କରିବା ଭଳି ଐତିହାସିକ ପଦକ୍ଷେପ ନେଇଛନ୍ତି। ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସହ ମିଶି ସେ ରାଜନୀତି ଆରମ୍ଭ କରିଥିଲେ। ୨୦୦୯ରୁ ନୀତୀଶ ବିଜେପି ସହିତ ଅଛନ୍ତି। ତେବେ ୨୦୧୫ରେ ସେ ଆର୍‌ଜେଡି ସହିତ ହାତ ମିଳାଇ ସରକାର ଗଠନ କରିଥିଲେ। ତେବେ ଦେଢ଼ ବର୍ଷ ଭିତରେ ହିଁ ତାଙ୍କର ମୋହ ଭଙ୍ଗ ହୋଇଥିଲା ଏବଂ ମହାମେଣ୍ଟରୁ ଓହରି ଆସି ପୁଣି ବିଜେପି ସହିତ ହାତ ମିଳାଇଥିଲା। ୧୯୮୫ରେ ପ୍ରଥମ ଥର ପାଇଁ ବିଧାୟକ ନିର୍ବାଚିତ ହୋଇଥିବା ନୀତୀଶ କୁମାର ପୂର୍ବରୁ ୬ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇସାରିଛନ୍ତି ଏବଂ ଆସନ୍ତାକାଲି ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

ନୀତୀଶଙ୍କ କାର୍ଯ୍ୟକାଳର ସ୍ଥାୟିତ୍ବ ନେଇ ପ୍ରଶ୍ନବାଚୀ
ପାଟନ : ବିହାରରେ ଏନ୍‌ଡିଏ ବିଧାୟକ ଦଳ ନେତା ନିର୍ବାଚିତ ହେବା ସହ ନୀତୀଶ କୁମାର ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ବିଜେପି ଅଧିକ ଆସନରେ ଜିତିଥିଲେ ମଧ୍ୟ ପୂର୍ବ ପ୍ରତିଶ୍ରୁତି ରକ୍ଷା କରି ନୀତୀଶଙ୍କୁ ହିଁ ମୁଖ୍ୟମନ୍ତ୍ରୀ କରାଇବାକୁ ସହମତି ପ୍ରକାଶ ପାଇଛି। କିନ୍ତୁ ଏବେ ପ୍ରଶ୍ନ ଉଠିଛି ନୀତୀଶ କେତେଦିନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିପାରିବେ। ପୂର୍ବରୁ ୨ ଥର ନୀତୀଶ କୁମାର ସହଯୋଗୀଙ୍କଠାରୁ କମ୍‌ ଆସନ ପାଇ ବିହାର ମୁଖ୍ୟମନ୍ତ୍ରୀ ରହିଥିଲେ। ୨୦୦୦ ମସିହାରେ ବିଜେପି ନୀତୀଶଙ୍କ ଦଳଠାରୁ ଅଧିକ ଆସନରେ ଜିତିଥିଲା। ସେ ସମୟରେ ମଧ୍ୟ ନୀତୀଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। କିନ୍ତୁ ମେଣ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିନପାରିବାରୁ ସରକାର ଭାଙ୍ଗିଗଲା। ସେ ସମୟରେ ନୀତୀଶ କେବଳ ୮ ଦିନ ପାଇଁ ମୁଖ୍ୟମନ୍ତ୍ରୀ ରହିଥିଲେ।

ଏହାପରେ ନୀତୀଶ ୨୦୧୫ ପର୍ଯ୍ୟନ୍ତ ବିହାରରେ ଏନ୍‌ଡିଏ ମେଣ୍ଟର ନେତୃତ୍ବ ନେଇଥିଲେ। କିନ୍ତୁ ପରେ ସେ ଲାଲୁ ଯାଦବଙ୍କ ଦଳ ଆର୍‌ଜେଡି ସହ ହାତ ମିଳାଇଥିଲେ। ୫ ବର୍ଷ ପୂର୍ବେ ଜେଡିୟୁ ୭୧ ଆସନ‌ରେ ଜିତିଥିବାବେଳେ ଆର୍‌ଜେଡି ୮୦ ଆସନରେ ଜିତିଥିଲା। ଏହି ସମୟରେ ନୀତୀଶ ଦ୍ବିତୀୟ ଥର ପାଇଁ ଶାସକ ମେଣ୍ଟର ନେତାଭାବେ ବିହାର ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ପରେ ନୀତୀଶ ମହାମେଣ୍ଟରୁ ଓହରିଯାଇ ଏନ୍‌ଡିଏରେ ଯୋଗ ଦେଇଥିଲେ। ୨ ଥର ନୀତୀଶଙ୍କ ଦଳ ଶାସକ ମେଣ୍ଟରେ କନିଷ୍ଠ ଅଂଶୀଦାର ହେବା ସମୟରେ ନୀତୀଶ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିପାରିନାହାନ୍ତି। ନୀତୀଶ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିପାରିବେ କି ନାହିଁ ସେ ନେଇ ନାନା କଳ୍ପନା ଜଳ୍ପନା ଚାଲିଛି।

ସମ୍ବନ୍ଧିତ ଖବର