ନୂଆଦିଲ୍ଲୀ : ନୀତୀଶ କୁମାର ଆଜି ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ନୀତୀଶ ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ କହିଛନ୍ତି। ଆସନ୍ତାକାଲି ସେ ଶପଥ ନେବେ ଏବଂ ବିହାରରେ ମହାମେଣ୍ଟ ପୁଣିଥରେ କ୍ଷମତାକୁ ଫେରିବ। ନୀତୀଶଙ୍କ ଜେଡିୟୁ ଆରଜେଡି, କଂଗ୍ରେସ ସମେତ ଅନ୍ୟ କେତେକ ଦଳ ସହଯୋଗରେ ସରକାର ଗଠନ କରିବ। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ନୀତୀଶ ବିଜେପିର ହାତ ଛାଡ଼ି ଦେଇଛନ୍ତି। ନୀତୀଶଙ୍କ ଏଭଳି କାର୍ଯ୍ୟ ପ୍ରଥମ ନୁହେଁ। ଏହା ପୂର୍ବରୁ ସେ ୪ ଦଶନ୍ଧିର ରାଜନୈତିକ କ୍ୟାରିୟରରେ ୫ ଥର ସହଯୋଗୀଙ୍କ ହାତ ଛାଡ଼ିଛନ୍ତି।
୧୯୮୫ରେ ନୀତୀଶ ନାଳନ୍ଦା ଜିଲ୍ଲାର ହରନୋତ ଆସନରୁ ପ୍ରଥମେ ବିଧାନସଭା ନିର୍ବାଚନ ଜିତିଥିଲେ। ୪ ବର୍ଷ ପରେ ସେ ୧୯୮୯ରେ ବାଢ଼ ଆସନରୁ ଜନତା ଦଳ ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୧ରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ସେ ପୁଣିଥରେ ବାଢ଼ ଆସନରୁ ଜିତିଲେ। ନୀତୀଶ ସେ ସମୟରେ ଲାଲୁ ଯାଦବଙ୍କୁ ସମର୍ଥନ କରୁଥିଲେ। ୧୯୯୦ ମାର୍ଚ୍ଚରେ ନୀତୀଶ ଲାଲୁଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାରେ ସହଯୋଗ କରି ଚର୍ଚ୍ଚାକୁ ଆସିଥିଲେ। ସେ ସମୟରେ ନୀତୀଶ ଲାଲୁଙ୍କୁ ବଡ଼ ଭାଇ ଡାକୁଥିଲେ। ୧୯୯୪ରେ ନୀତୀଶ ଲାଲୁଙ୍କ ବିରୋଧରେ ବିଦ୍ରୋହ କରିଥିଲେ। ବରିଷ୍ଠ ସମାଜବାଦୀ ନେତା ଜର୍ଜ ଫର୍ଣ୍ଣାଣ୍ଡିଜ୍ଙ୍କ ସହ ମିଶି ସେ ସମତା ପାର୍ଟି ଗଠନ କରିଥିଲେ। କିନ୍ତୁ ୧୯୯୬ରେ ନୀତୀଶ ବିଜେପି ସହ ହାତ ମିଳାଇ ଅଟଳ ବିହାରୀ ବାଜପେୟୀ ସରକାରରେ କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ। ଏହାର କିଛିବର୍ଷ ପରେ ୨୦୦୩ରେ ତତ୍କାଳୀନ ଜନତା ଦଳ ସଭାପତି ଶରଦ ଯାଦବ ଏବଂ ଲାଲୁ ପ୍ରସାଦଙ୍କ ମଧ୍ୟରେ ବିବାଦ ହେଲା। ଏହାପରେ ଲାଲୁ ମେଣ୍ଟରୁ ଓହରିଯାଇ ଆର୍ଜେଡି ଗଠନ କଲେ। ୨୦୦୩ରେ ସମତା ପାର୍ଟି ଏବଂ ଶରଦ ଯାଦବଙ୍କ ନେତୃତ୍ବାଧୀନ ଜନତା ଦଳର ସମ୍ମିଶ୍ରଣ ହେଲା। ଏହାର ନାଁ ରହିଲା ଜନତା ଦଳ (ୟୁନାଇଟେଡ୍)। ୨୦୦୫ରେ କୁମାରଙ୍କ ଜେଡିୟୁ ବିଜେପି ସହ ମେଣ୍ଟ କରି ଏନ୍ଡିଏ ସଦସ୍ୟ ଭାବେ ରାଜ୍ୟରେ କ୍ଷମତାରେ ରହିଲେ। ୨୦୧୦ରେ କୁମାର ବିଜେପି ସହ ମେଣ୍ଟ କରି ପୁଣିଥରେ କ୍ଷମତାକୁ ଫେରିଲେ।
୨୦୧୩ ଜୁନ୍ ୧୬ରେ ନୀତୀଶ କୁମାର ବିଜେପି ସହ ୧୭ ବର୍ଷର ସମ୍ପର୍କ ଭାଙ୍ଗିଦେଲେ। ନରେନ୍ଦ୍ର ମୋଦୀ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହେବାରୁ ନୀତୀଶ ଏହାକୁ ବିରୋଧ କରି ଏଭଳି ନିଷ୍ପତ୍ତି ନେଇଥିଲେ। ୨୦୧୫ରେ କଂଗ୍ରେସ, ଆରଜେଡି ସହ ମିଶି ମହାମେଣ୍ଟ ଗଠନ ହେଲା। ଜେଡିୟୁ-ଆରଜେଡି-କଂଗ୍ରେସ ମହାମେଣ୍ଟ ମିଶି ସରକାର ଗଠନ କଲେ। କିନ୍ତୁ ୨୦୧୭ ଜୁଲାଇ ୨୬ରେ ମହାମେଣ୍ଟ ଭାଙ୍ଗିଗଲା। ମନି ଲଣ୍ଡରିଂ ମାମଲାରେ ଲାଲୁଙ୍କ ପୁଅ ତେଜସ୍ବୀ ଯାଦବଙ୍କ ନାଁ ଉଠିବାପରେ ନୀତୀଶ ମହାମେଣ୍ଟରୁ ଓହରି ଯାଇଥିଲେ। ମାତ୍ର ୨୪ ଘଣ୍ଟା ମଧ୍ୟରେ ନୀତୀଶ ବିଜେପି ସମର୍ଥନରେ ପୁଣିଥରେ କ୍ଷମତାକୁ ଫେରିଥିଲେ। ଏହାର ୪ ବର୍ଷ ପରେ ନୀତୀଶ ପୁଣିଥରେ ବିଜେପି ହାତ ଛାଡ଼ି ଦେଇଛନ୍ତି।
ଦୀର୍ଘଦିନର କସରତ
ପାଟନା: ବିହାରରେ ଜେଡିୟୁ ନେତା ନୀତୀଶ କୁମାର ଆର୍ଜେଡିର ତେଜସ୍ବୀ ଯାଦବଙ୍କ ସହ ହାତ ମିଳାଇଛନ୍ତି। ନୂ୍ଆ ସରକାରରେ ନୀତୀଶ ମୁଖ୍ୟମନ୍ତ୍ରୀ ରହିବେ ଏବଂ ତେଜସ୍ବୀ ଉପମୁଖ୍ୟମନ୍ତ୍ରୀ ହେବେ। ମନ୍ତ୍ରୀମାନଙ୍କ ଉପରେ ନୀତୀଶଙ୍କର ନିୟନ୍ତ୍ରଣ ରହିବ। ତେବେ ବିହାରରେ ମହାମେଣ୍ଟ ଫେରିବା ଆଜିକାଲିର ଘଟଣା ନୁହେଁ। ଅନେକ ଦିନ ପୂର୍ବରୁ ଏ ନେଇ ରଣନୀତି ପ୍ରସ୍ତୁତ ହେଲାଣି। ତେଜସ୍ବୀ ଯାଦବ ଏବଂ ନୀତୀଶ କୁମାରଙ୍କ ମଧ୍ୟରେ ଗତ କିଛି ମାସ ଧରି ଗୁପ୍ତ ବୁଝାମଣା ଚାଲିଥିଲା। ଶେଷରେ ଏହା ଫଳପ୍ରଦ ହୋଇଛି।
ଗତ ମେ’ରେ ନୀତୀଶ କୁମାର ତେଜସ୍ବୀ ଯାଦବଙ୍କ ଦ୍ବାରା ତାଙ୍କ ବାସଭବନରେ ଆୟୋଜିତ ଇଫତାର ପାର୍ଟିରେ ଯୋଗ ଦେଇଥିଲେ। ସେହିପରି ନୀତୀଶ କୁମାରଙ୍କ ଦ୍ବାରା ଦିଆଯାଇଥିବା ଇଫତାର ପାର୍ଟିରେ ତେଜସ୍ବୀ ବି ଯୋଗ ଦେଇଥିଲେ। ନୀତୀଶ ତେଜସ୍ବୀଙ୍କୁ ଏହି ପାର୍ଟିରେ ଯଥେଷ୍ଟ ସମ୍ମାନ ଦେଇଥିଲେ। ଏହାକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା। ଏଥିସହିତ ନିକଟରେ ଲାଲୁଙ୍କ ବିରୋଧରେ ନୂଆ ଦୁର୍ନୀତି ମାମଲା ରୁଜୁ ହୋଇଥିଲା। କିନ୍ତୁ ନୀତୀଶ କୁମାର କିମ୍ବା ତାଙ୍କ ଦଳର ଅନ୍ୟ କୌଣସି ନେତା ଏହି ପ୍ରସଙ୍ଗରେ ପାଟି ଖୋଲିନଥିଲେ।
ଜୁନ୍ରେ ଶେଷ ହୋଇଥିବା ବିଧାନସଭା ଅଧିବେଶନରେ ତେଜସ୍ବୀ କିମ୍ବା ତାଙ୍କ ବିଧାୟକମାନେ ନୀତୀଶ ସରକାରଙ୍କୁ ସମାଲୋଚନା କରିନଥିଲେ। ଜୁଲାଇରେ ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେଲା। ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ନିଆଗଲା। ନୀତୀଶ ବ୍ୟକ୍ତିଗତ ଭାବେ ସମସ୍ତ ବ୍ୟବସ୍ଥା କରିଥିଲେ । ଲାଲୁଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ନୀତୀଶ ଘୋଷଣା କରିଥିଲେ। ନୀତୀଶ ମଧ୍ୟ ଲାଲୁଙ୍କୁ ହସ୍ପିଟାଲରେ ଭେଟିଥିଲେ। ଗତ ରବିବାର ତେଜସ୍ବୀଙ୍କ ଦଳ ଆର୍ଜେଡି ଦର ବୃଦ୍ଧି ବିରୋଧରେ ଏକ ଆନ୍ଦୋଳନ କରିଥିଲେ। ଏଥିପାଇଁ ସରକାରଙ୍କ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଥିଲା। ଆନ୍ଦୋଳନକୁ ବିରୋଧ କରାଯାଇନଥିଲା। ଏଥିରେ ନୀତୀଶ କୁମାରଙ୍କ ସମର୍ଥନ ଥିବା ଚର୍ଚ୍ଚା ହୋଇଥିଲା।