ପାଟନା: ପୂର୍ବତନ ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ମୁଖ୍ୟ ଚିରାଗ ପାସୱାନ ସୋମବାର ଜେଡିୟୁ ଉପରେ ବର୍ଷିବା ସହ କହିଛନ୍ତି- ସାହସ ଅଛି ଯଦି ସିଧାସଳଖ ବିଜେପି ଉପରେ ଆକ୍ରମଣ କର। ମୁଁ ନୀତୀଶ କୁମାରଙ୍କ ଲୋକପ୍ରିୟତା କମାଇବା ଲାଗି ଷଡ଼୍‌ଯନ୍ତ୍ର କରୁଛି ବୋଲି ଅଭିଯୋଗ କର ନାହିଁ। ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ପାସୱାନ କହିଲେ ଯେ ବିହାର ମୁଖ୍ୟମନ୍ତ୍ରୀ ମୋଠାରୁ ନୁହେଁ, ତାଙ୍କ ନିଜର ଘନିଷ୍ଠ ସହଯୋଗୀ ବିଜେପିଠାରୁ ଅଧିକ ବିପଦର ସମ୍ମୁଖୀନ ହୋଇଛନ୍ତି। ପାସୱାନ ପୁଣି କହିଥିଲେ ଯେ ନୀତୀଶ କୁମାର ପୂର୍ବତନ ଜେଡିୟୁ ଅଧ୍ୟକ୍ଷ ଆର୍‌ସିପି ସିଂହଙ୍କୁ ଅପମାନିତ କରିଛନ୍ତି। ଆଗରୁ ସେ ଶରଦ ଯାଦବ ଓ ଜର୍ଜ ଫର୍ଣ୍ଣାଣ୍ଡିଜଙ୍କୁ ମଧ୍ୟ ଅପମାନିତ କରିଥିଲେ। ନୀତୀଶ କୁମାର ବିହାରର ରୂପ ବଦଳାଇ ଦେଇଛନ୍ତି ବୋଲି ଜେଡିୟୁ ଯେଉଁ ଦାବି କରୁଛି ତାହା ମିଥ୍ୟା ବୋଲି ଚିରାଗ ପାସୱାନ ମତ ଦେବା ସହ କହିଥିଲେ ଯେ ନିତି ଆୟୋଗର ରିପୋର୍ଟ ଅନୁସାରେ ବର୍ତ୍ତମାନ ସବୁ ରୢାଙ୍କିଂରେ ବିହାର ବହୁତ ତଳେ ଅଛି। ନିତି ଆୟୋଗ ବୈଠକରେ ନୀତୀଶ ଯୋଗ ନ ଦେବାକୁ ସମାଲୋଚନା କରି ସ୍ବର୍ଗତ ରାମବିଳାସ ପାସୱାନଙ୍କ ପୁଅ କହିଲେ- ବିଜେପିକୁ ବିରୋଧ କଲେ ବି ବୈଠକରେ ଯୋଗ ଦେବାରେ ନୀତୀଶଙ୍କର କ’ଣ ଅସୁବିଧା ଥିଲା? ସେ କ’ଣ ମମତା ବାନାର୍ଜୀ ଓ ଅରବିନ୍ଦ କେଜ୍ରିୱାଲଙ୍କଠାରୁ ବିଜେପିର ବଡ଼ ବିରୋଧୀ? ସେ ଦୁହେଁ ବି ତ ବୈଠକରେ ଯୋଗ ଦେଇଥିଲେ।