ବିହାର ବିଧାନସଭା ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଶ ଶେଷ ହୋଇଛି। ଆଉ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପରେ ଆସନ୍ତା ନଭେମ୍ବର ୧୦ ତାରିଖରେ ଭୋଟ୍ ଗଣତି ହେବ। ତେବେ ଏଥର ନିର୍ବାଚନରେ ଏହାର ଫଳାଫଳ ଏବଂ ଭୋଟ ପରବର୍ତୀ ସମୀକରଣକୁ ନେଇ ରାଜନୈତିକ ମହଲରେ ଯେତ ଉତ୍ସାହ ନାହିଁ ତାହା ଠାରୁ ବେଶି ଚର୍ଚା ଚାଲିଛି ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତୀଶ କୁମାରଙ୍କୁ ନେଇ। ଏନ୍ଡିଏ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିସାରିଛି। ବିଜେପି ନେତାମାନେ ମଧ୍ୟ ସ୍ପଷ୍ଟ କରିସାରିଛନ୍ତି ଯେ ନିର୍ବାଚନରେ ବିଜେପି ଜେଡିୟୁଠାରୁ ଅଧିକ ଆସନ ପାଇଲେ ମଧ୍ୟ ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ। ସହଯୋଗୀଙ୍କର ଏଭଳି ସମର୍ଥନ ସତ୍ତ୍ବେ ବିହାର ରାଜନୀତିର ଚାଣକ୍ୟ କୁହାଯାଉଥିବା ନୀତୀଶ କୁମାରଙ୍କ ମନ ଏଥର କେଜାଣି କାହିଁକି ସ୍ଥିର ଲାଗୁନାହିଁ। ବିଭିନ୍ନ ସାଧାରଣ ସଭାରେ ଛୋଟ ଛୋଟ କଥାରେ ରାଗିଯାଉଛନ୍ତି ଏବଂ ଭାଷା ଉପରେ ଲଗାମ ରହୁନାହିଁ। ଏପରିକି କଥା କଥାରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଏବଂ ତାଙ୍କ ପରିବାର ଉପରେ ବ୍ୟକ୍ତିଗତ ଆକ୍ଷେପ ଲଗାଇବାକୁ ପଛାଉ ନାହାନ୍ତି।। ଶାଳୀନତା ଏବଂ ନିଜ ଭାଷା ଉପରେ ସଂପୂର୍ଣ୍ଣ ନିୟନ୍ତ୍ରଣ ରଖୁଥିବା ନୀତୀଶ ହଠାତ୍ ପଥଚ୍ୟୁତ କିପରି ହୋଇଗଲେ ତାହା ସମସ୍ତଙ୍କୁ ବିସ୍ମିତ କରିଛି। ତାଙ୍କର ଏଭଳି ଆଚରଣକୁ ବିଜେପି ନେତାମାନେ ମଧ୍ୟ ପସନ୍ଦ କରୁ ନାହାନ୍ତି।
ଏଥର ନିର୍ବାଚନରେ ଦୁଇ ପ୍ରମୁଖ ମେଣ୍ଟ ହେଉଛନ୍ତି ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ। ଅଭିଜ୍ଞ ନୀତୀଶଙ୍କ ନେତୃତ୍ବାଧୀନ ଏନଡିଏ ଏବଂ ଅନିଭିଜ୍ଞ ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ନେତୃତ୍ବାଧୀନ ମହାମେଣ୍ଟ। ବିହାରର ବିଭିନ୍ନ ସ୍ଥାନରୁ ମିଳିଥିବା ରିପୋର୍ଟ ଅନୁଯାୟୀ ନୀତୀଶଙ୍କ ତୁଳନାରେ ତେଜସ୍ବୀଙ୍କର ଲୋକପ୍ରିୟତା ବୃଦ୍ଧି ପାଇବାେର ଲାଗିଛି। ଏହା ବିଜେପି ପାଇଁ ମଧ୍ୟ ଚିନ୍ତାର କାରଣ ହୋଇଛି। ନୀତୀଶଙ୍କର ସ୍ବଚ୍ଛ, ଶକ୍ତିଶାଳୀ, ଦକ୍ଷ ଏବଂ ନିର୍ମଳ ଭାବମୂର୍ତିକୁ ପୁଞ୍ଜି କରି ନିର୍ବାଚନ ଜିତିବା ଲାଗି ଆଶା ବାନ୍ଧିଥିବା ବିଜେପି ନେତାମାନଙ୍କର ଚିନ୍ତା ମଧ୍ୟ ବଢ଼ିବଢ଼ି ଚାଲିଛି। ନୀତୀଶ ଯେପରି ସେମାନଙ୍କ ଲାଗି ବୋଝ ପାଲଟି ଯାଇଛନ୍ତି। ବିହାରରେ ନୀତୀଶଙ୍କ ରାଜନୈତିକ ଇତିହାସ କହୁଛି ଯେ ରାଜ୍ୟରେ ଦୁଇ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ବିଜେପି ଏବଂ ଆରଜେଡି ମଧ୍ୟରେ ତିକ୍ତ ପ୍ରତିଦ୍ବନ୍ଦ୍ବିତାରୁ ଫାଇଦା ନେଉଛନ୍ତି। ଏହି ଦୁଇ ଦଳ ତୁଳନାରେ ତାଙ୍କ ଦଳର ସ୍ଥିତି ଦୁର୍ବଳ ଥିଲେ ମଧ୍ୟ ସେ ୧୫ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ରହିଛନ୍ତି। ଏବେ ବିଜେପି ସହିତ ମିଶି ସରକାର କରିଥିବା ନୀତୀଶ ଏହାପୂର୍ବରୁ ଆରଜେଡି ସହିତ ମଧ୍ୟ ମିଶି ସରକାର କରିଥିଲେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଉଭୟ ସମୟେର ବିଜେପି ହେଉ କି ଆରଜେଡି ସେମାନେ ଯେତେ ଶକ୍ତିଶାଳୀ ଥିଲେ ମଧ୍ୟ ଜେଡିୟୁ ନେତା ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିଛି। ଏବଂ ଆରଜେଡି ଏବଂ ବିଜେପି ମଧ୍ୟ ତାଙ୍କ ସରକାରରେ ଜୁନିୟର ଅଂଶୀଦାରର ଭୂମିକା ଗ୍ରହଣ କରିଛନ୍ତି। ଏହାର ମୁଖ୍ୟ କାରଣ ହେଲା ଯେ ଲାଲୁଙ୍କ ଆରଜେଡିକୁ କ୍ଷମତାରୁ ଦୁରେଇ ରଖିବା ଲାଗି ବିଜେପି ନୀତୀଶଙ୍କୁ ସମର୍ଥନ କରୁଥିଲା। ସେହିଭଳି ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ଲାଗି ଆରଜେଡି ମଧ୍ୟ ଏଭଳି ଆଭିମୁଖ୍ୟ ଗ୍ରହଣ କରୁଥିଲା। ଏଭଳି ଖେଳରୁ କେବଳ ନୀତୀଶଙ୍କୁ ହିଁ ଫାଇଦା ମିଳିଛି। ତେବେ ନୀତୀଶଙ୍କ ଲୋକପ୍ରିୟତା ଖୁସୁଥିବା ଦେଖି ବିଜେପି ଏହାର ରଣନୀତିରେ ପରିବର୍ତନ କରିବା ଆରମ୍ଭ କରିଦେଇଛି।
ନୀତୀଶଙ୍କୁ ଏନଡିଏର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଇଥିଲେ ମଧ୍ୟ ବିଜେପିର ପ୍ରଚାରପତ୍ରରେ ନୀତୀଶଙ୍କର କୌଣସି ସ୍ଥାନ ନାହିଁ। ଖବରକାଗଜ ହେଉ କି ବଡ଼ ବଡ଼ ହୋର୍ଡିଂ ହେଉ କେଉଁଠି ବି ନୀତୀଶଙ୍କୁ ଗୁରୁତ୍ବ ମିଳୁନାହିଁ। ଏହାସହିତ ଏଲଜେପି ନେତା ଚେରାଗ ପାଶ୍ବାନଙ୍କୁ ବିଜେପି ଅସ୍ତ୍ର ଭଳି ବ୍ୟବହାର କରୁଛି। ନୀତୀଶଙ୍କ ଭୋଟବ୍ୟାଙ୍କକୁ ଦୁର୍ବଳ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏଲଜେପି ଜାତୀୟ ସ୍ତରରେ ଏନଡିଏର ଅଂଶୀଦାର ହୋଇଥିଲେ ମଧ୍ୟ ଏହା ଜେଡିୟୁ ବିରୋଧରେ ପ୍ରାର୍ଥୀ ଦେଇଛି। କେବଳ ଏତିକି ନୁହେଁ ଚେରାଗ ପାଶ୍ବାନ ନୀତୀଶଙ୍କ ବିରୋ ଧୋର ଯୁଦ୍ଧ ଘୋଷଣା କରିଛନ୍ତି। ତାଙ୍କୁ ଜେଲରେ ପୂରାଇବା ଲାଗି ଧମକ ଦେଇଛନ୍ତି। ତାଙ୍କୁ ସମର୍ଥନ କରିଛନ୍ତି ବିଜେପି ସାଂସଦ ତେଜସ୍ବୀ ସୂର୍ଯ୍ୟ। ପାଶ୍ବାନଙ୍କୁ ବିଜେପି ମୁଖ୍ୟ ଓ ଅନ୍ୟମାନେ ଘୋର ବିରୋଧ କରୁଥିଲେ ମଧ୍ୟ ବେଙ୍ଗାଲୁରୁରୁର ଏହି ସାଂସଦ ତେଜସ୍ବୀ ସୂର୍ଯ୍ୟଙ୍କ ସମର୍ଥନ ବିଭ୍ରାନ୍ତି ସୃଷ୍ଟି କରିବା ସ୍ବାଭାବିକ। କାରଣ ସୂର୍ଯ୍ୟଙ୍କୁ ଆରଏସଏସ ଏବଂ ଅମିତ ଶାହଙ୍କ ଘନିଷ୍ଠ ବୋଲି ବିଚାର କରାଯାଉଛି। ଏଭଳି ପରିସ୍ଥିତିରେ ନୀତୀଶ ଅସହାୟ ହେବା ସ୍ବାଭାବିକ। ଦିନ ଥିଲା (୨୦୧୦) ଏନଡିଏର ନିର୍ବାଚନ ପ୍ରଚାର ପାଇଁ ବିହାରରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ମୋଦୀଙ୍କୁ ପୂରାଇ ଦେଇନଥିଲେ ନୀତୀଶ। କିନ୍ତୁ ଏବେ ନିଜର ଅସ୍ତିତ୍ବକୁ ବଜାୟ ରଖିବା ଲାଗି ମୋଦୀଙ୍କ ସାହାରା ଖୋଜି ହେଉଛନ୍ତି ନୀତୀଶ କୁମାର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/nitish-kumar-dnaindia-1.jpg)