ନୂଆଦିଲ୍ଲୀ: ବସିଛ କାହିଁକି? ଉଠିକି ମୋଦୀଜୀଙ୍କୁ ପ୍ରଣାମ କର। ଦିନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବଡ଼  ସମାଲୋଚକ ଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବେ ନିଜ ରାଜ୍ୟବାସୀଙ୍କୁ ତାଙ୍କୁ ପ୍ରଣାମ କରିବାକୁ କହିଛନ୍ତି। ବିହାରର ପୂର୍ଣ୍ଣିଆରେ ଆୟୋଜିତ ଏକ ସମାବେଶରେ କେନ୍ଦ୍ର ସରକାର ରାଜ୍ୟରେ କାର୍ଯ୍ୟକାରୀ କରୁଥିବା ବିକାଶମୂଳକ ପ୍ରକଳ୍ପ ପାଇଁ ନୀତିଶ କୁମାର ଏଭଳି କହିଥିବା ଜଣାଯାଇଛି। 

Advertisment

ପ୍ରଧାନମନ୍ତ୍ରୀ ସୋମବାର ବିହାରର ପୂର୍ଣ୍ଣିଆରେ ପ୍ରଥମ ବିମାନବନ୍ଦର ସମେତ ୩୬,୦୦୦ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରିବାକୁ ପହଞ୍ଚିଥିଲେ। ଏହି ସମୟରେ ସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରଧାନମନ୍ତ୍ରୀଙ୍କୁ ବିହାର ଏବଂ ଦେଶରେ କରୁଥିବା ବିକାଶମୂଳକ କାମ ପାଇଁ ଧନ୍ୟବାଦ ଜଣାଇଥିଲେ।

ସେ କହିଥିଲେ, "ମୁଁ କିଛି କହିବାକୁ ଚାହେଁ। ୨୪ ନଭେମ୍ବର ୨୦୦୫ରେ ଆମ ସରକାର ଗଠନ ହେବା ପୂର୍ବରୁ ବିହାରରେ କିଛି ନଥିଲା। ପୂର୍ବ ସରକାର କିଛି କରିନଥିଲା। ଆମେ ଆସିବା ପରେ, ନିରନ୍ତର ବିକାଶମୂଳକ କାମ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ବିହାର ପାଇଁ ବହୁତ କିଛି କରିଛନ୍ତି। ରାଜ୍ୟ ସରକାର ଆଗରୁ ଅନେକ ବିକାଶମୂଳକ କାମ କରୁଥିଲେ। ହେଲେ ପ୍ରଧାନମନ୍ତ୍ରୀଙ୍କ ସହାୟତା ପରେ ବିହାର ଏବେ ଦ୍ରୁତଗତିରେ ଆଗକୁ ବଢ଼ୁଛି। ତୁମେମାନେ କାହିଁକି ବସିଛ? ଦୟାକରି ଠିଆ ହୋଇ ତାଙ୍କୁ ଅଭିବାଦନ ଜଣାଅ।"

ଏହା ଶୁଣି ଉପସ୍ଥିତ ଲୋକ ଉଠି ପଡ଼ିବା ସହ ହାତ ଯୋଡ଼ିବାକୁ ଲାଗିଥିଲେ। ଜନତାଙ୍କୁ ଏଭଳି ହାତ ଯୋଡି ପ୍ରଣାମ କରିବା ଦେଖି ପ୍ରଧାନମନ୍ତ୍ରୀ ମୋଦୀ ମଞ୍ଚ ଉପରୁ ହାତ ଯୋଡି ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ବିହାର ପୂର୍ବରୁ ପ୍ରଧାନମନ୍ତ୍ରୀ ମିଜୋରାମ, ମଣିପୁର, ଆସାମ ଓ ପଶ୍ଚିମବଙ୍ଗ ଯାଇଥିଲେ। ଏହି ସବୁ ସ୍ଥାନରେ‌ କୋଟି କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରାଯାଇଥିଲା। ବିହାରରେ ମଧ୍ୟ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରି ବିଜେପି ଆଶା କରୁଛି ଯେ, ଆଗାମୀ ନିର୍ବାଚନରେ ​​ଏହି ଘୋଷଣାଗୁଡ଼ିକର ଲାଭ ମିଳିବ।