୨୦୧୪ରେ ଯିଏ କ୍ଷମତାକୁ ଆସିଥିଲେ ୨୦୨୪ରେ କ୍ଷମତାରେ ରହିବେ ତ? ଏଭଳି କହି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ନୀତୀଶ

ପାଟନା: ମଙ୍ଗଳବାର ବିଜେପି ସହ ମେଣ୍ଟ ଭାଙ୍ଗି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଜେଡି(ୟୁ) ନେତା ନୀତୀଶ କୁମାର। ବିଜେପି ହାତ ଛାଡ଼ି ଏବେ ପୁରୁଣା ସାଥୀ ଆରଜେଡି ହାତ ଧରିଛନ୍ତି ନୀତୀଶ। ଆରଜେଡି ସହ ମେଣ୍ଟ କରି ବୁଧବାର ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନୀତୀଶ। ଶପଥ ଗ୍ରହଣ ପରେ ପରେ ସେ ବିରୋଧୀ ଦଳ ବିଜେପିକୁ ଟା‌ର୍ଗେଟ କରିବାକୁ ଭୁଲି ନାହାନ୍ତି।

ଶପଥ ଗ୍ରହଣ ପ‌ରେ ଜେଡି(ୟୁ) ନେତା ତଥା ବିହାରର ମୁଖ୍ୟମନ୍ତ୍ରୀ ନୀତୀଶଙ୍କୁ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ନେଇ ପ୍ରଶ୍ନ କରାଯାଇଥିଲା। ୨୦୨୪ରେ ବିରୋଧୀ ଦଳ ପକ୍ଷରୁ ନୀତୀଶ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ‌କି ବୋଲି ପ୍ରଶ୍ନ କରାଯିବା ପରେ ସେ କହିଥିଲେ, ମୁଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ଚାହୁଁନାହିଁ। ଯେଉଁମାନେ ୨୦୧୪ରେ କ୍ଷମତାକୁ ଆସିଥିଲେ ସେମାନେ ୨୦୨୪ରେ ବିଜୟୀ ହେବେ କି? ମୁଁ ସମସ୍ତ ବିରୋଧୀ ଦଳଙ୍କୁ ଏହା କହିବାକୁ ଚାହେଁ ଯେ ସେମାନେ ୨୦୨୪ପାଇଁ ଏକଜୁଟ ହେବା ଉଚିତ୍। ମୁଁ ସ୍ପଷ୍ଟ କରିବାକୁ ଚାହେଁ ଯେ ପ୍ରଧାନମନ୍ତ୍ରୀ ପଦ ପାଇଁ ମୁଁ ଦୌଡ଼ରେ ନାହିଁ।

ଉଲ୍ଲେଖଯୋଗ୍ୟ, ୨୨ବର୍ଷ ମଧ୍ୟରେ ଆଜି ଅଷ୍ଟମ ଥର ନୀତୀଶ କୁମାର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ୨୦୦୦ ମସିହାରେରେ ସେ ସର୍ବପ୍ରଥମେ ୭ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପରେ ୨୦୦୫ ନଭେମ୍ବର ୨ରେ ଦ୍ବିତୀୟ ଥର, ୨୦୧୦ ନଭେମ୍ବର ୩ରେ ତୃତୀୟ ଥର, ୨୦୧୫ ଫେବ୍ରୁଆରି ୪ରେ ଚତୁର୍ଥ ଥର, ୨୦୧୫ ନଭେମ୍ବର ୫ରେ ପଞ୍ଚମ ଥର, ୨୦୧୭ ଜୁଲାଇ ୬ରେ ଷଷ୍ଠ ଥର ଏବଂ ୨୦୨୦ ନଭେମ୍ବର ୭ରେ ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦଭାର ଗ୍ରହଣ କରିଥିଲେ।

ତେବେ ୫ ବର୍ଷ ତଳେ ନୀତୀଶ ଯେଉଁ ଆରଜେଡି ସହ ସଂପର୍କ ଚ୍ଛିନ୍ନ କରି ବିଜେପିର ହାତ ଧରି ଶାସନ ଚଳାଇଥିଲେ, ଆଜି ପୁଣି ସେହି ଆରଜେଡି ସହ ମିଶି ସରକାର ଗଢ଼ିବା ଲାଗି ବିଜେପିର ହାତ ଛାଡ଼ିଛନ୍ତି। ତାଙ୍କର ଏହି ରାଜନୈତିକ ଖେଳ ଆଜି ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର