ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର

ପାଟନା : ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନୀତୀଶ କୁମାର । ମଙ୍ଗଳବାର ଅପରାହ୍ଣ ୪ଟା ବେଳେ ସେ ରାଜ୍ୟପାଳ ଫଗୁ ଚୌହାନଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଏହା ସହିତ ବିହାରରେ ଚାଲିଥିବା ଏନଡିଏ ସରକାର ଭାଙ୍ଗିବା ନିଶ୍ଚିତ ହୋଇଯାଇଛି । ଏନଡିଏ ସହ ମେଣ୍ଟ ଭାଙ୍ଗିବା ସଂପର୍କରେ ନୀତୀଶ କହିଛନ୍ତି ଯେ, ଦଳର ସବୁ ବିଧାୟକ ଓ ସାଂସଦ ଏନଡିଏ ଛାଡ଼ିବା ନେଇ ସହମତି ପ୍ରକାଶ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ନୀତୀଶ କୁମାର ଆରଜେଡି ମୁଖ୍ୟ ତେଜସ୍ବୀ ଯାଦବଙ୍କୁ ଭେଟିଛନ୍ତି ଓ ସରକାର ଗଠନ ସମ୍ପର୍କରେ ଆଲୋଚନା କରିଥିବା କୁହାଯାଉଛି ।

ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ରାଜ୍ୟରେ ନୀତୀଶ କୁମାରଙ୍କୁ ସମର୍ଥନ ଦେବାର ସମ୍ଭାବନା ରହିଛି । ଦଳର ମୁଖ୍ୟ ତେଜସ୍ବୀ ଯାଦବ କହିଛନ୍ତି ଯେ ତାଙ୍କ ଦଳର ୧୬୦ ବିଧାୟକ ଅଛନ୍ତି । ଦଳ ନୀତୀଶଙ୍କୁ ସମର୍ଥନ କରିବ ଓ ବିଭାଗ ବଣ୍ଟନ ନେଇ କୌଣସି ବିବାଦ ନାହିଁ । ବିଜେପି ଯଦି ବିହାର ସରକାରକୁ ଅସ୍ଥିର କରିବାକୁ ଚେଷ୍ଟା କରେ ତେବେ ତାହାକୁ ଦୃଢ ଜବାବ ଦିଆଯିବ । ଦୁଇ ଦଳ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ନୀତୀଶ ମୁଖ୍ୟମନ୍ତ୍ରୀ ରହିବେ ଓ ତେଜସ୍ବୀ ଉପମୁଖ୍ୟନ୍ତ୍ରୀ ତଥା ଗୃହମନ୍ତ୍ରୀ ହେବେ ।

ମହାରାଷ୍ଟ୍ରରେ ଶିବସେନାରେ ବିଭାଜନ ପରେ ଚିନ୍ତିତ ହୋଇପଡ଼ିଥିଲେ ନୀତୀଶ । ବିହାରରେ ବି ବିଜେପି ତାଙ୍କ ଦଳ ଜେଡିୟୁର ସମାନ ଅବସ୍ଥା କରିବ ବୋଲି ଆଶଙ୍କା କରି ସେ ଏନଡିଏ ଛାଡ଼ିଥିବା ଅନୁମାନ କରାଯାଉଛି ।

କଂଗ୍ରେସ ମଧ୍ୟ ଏହି ମିଳିତ ସରକାରରେ ସାମିଲ ହେବାର ସମ୍ଭାବନା ରହିଛି । ନୀତୀଶ କୁମାର ଖୁବଶୀଘ୍ର ଦିଲ୍ଲୀ ଯାଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ଭେଟିବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର