ବିଜେପିର ‘ଉପରାଷ୍ଟ୍ରପତି’ ଦାବିକୁ ହସରେ ଉଡ଼ାଇ ଦେଲେ ନୀତୀଶ
ସୋନିଆଙ୍କ ସହ କଥା ହେବାପରେ ଏନ୍ଡିଏ ଛାଡ଼ିବା ନିଷ୍ପତ୍ତି ନେଇଥିଲେ
ନୂଆଦିଲ୍ଲୀ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ବିଜେପି ଉପରାଷ୍ଟ୍ରପତି ନକରିବାରୁ ସେ ଏନ୍ଡିଏ ମେଣ୍ଟ ଛାଡ଼ିଦେଲେ ବୋଲି ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ଗତକାଲି ଦାବି କରିଥିଲେ। ତେବେ ନୀତୀଶ ସୁଶୀଲ କୁମାରଙ୍କର ଏହି ଦାବିକୁ ହସରେ ଉଡ଼ାଇ ଦେଇଛନ୍ତି। ନୀତୀଶ କହିଛନ୍ତି, ଏହା ଅତ୍ୟନ୍ତ ହାସ୍ୟାସ୍ପଦ କଥା। ମୋର ସେଭଳି କୌଣସି ଅଭିଳାଷ ନଥିଲା। ନୀତୀଶ କହିଛନ୍ତି, ଆମ ଦଳ କିଭଳି ସେମାନଙ୍କ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲା ତାହା ସେମାନେ ବୋଧହୁଏ ଭୁଲି ଯାଇଛନ୍ତି। ଆମେ ନିର୍ବାଚନ ସରିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲୁ ଏବଂ ପରେ ବୈଠକ ଡାକିଲୁ। ସେମାନେ ଯାହା କହୁଛନ୍ତି କୁହନ୍ତୁ। କିଏ କ’ଣ କହିଲେ ସେଥିରେ ମୁଁ ଆଦୌ ଚିନ୍ତା ପ୍ରକଟ କରୁନି। ନୀତୀଶ ଏହା ମଧ୍ୟ ଦୋହରାଇଛନ୍ତି ଯେ ବିଜେପି ତାଙ୍କ ଦଳକୁ ଭାଙ୍ଗି ଦେବାକୁ ଚେଷ୍ଟା କରିଥିଲା ଏବଂ ବିଭିନ୍ନ ରାଜ୍ୟର ଦଳୀୟ ନେତା ତାଙ୍କୁ ଏଥିପାଇଁ ସତର୍କ କରିଥିଲେ।
କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହ ଫୋନ୍ରେ କଥା ହେବାପରେ ନୀତୀଶ ଏନ୍ଡିଏ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଥିଲେ। ସୋନିଆ କରୋନା ସଂକ୍ରମିତ ହେବାପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିବାପାଇଁ ସେ ତାଙ୍କୁ ଫୋନ୍ କରିଥିଲେ। ଏହି ସମୟରେ ସେ ସୋନିଆଙ୍କ ସମର୍ଥନ ପାଇବାପରେ ଏନ୍ଡିଏ ମେଣ୍ଟ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ଅନ୍ୟଜଣେ ଜେଡିୟୁ ନେତା ବିଜୟ କୁମାର ଚୌଧୁରୀ ମଧ୍ୟ ସ୍ବୀକାର କରିଛନ୍ତି ଯେ କୁମାର ସୋନିଆ ଏବଂ ଆର୍ଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ସହ ଯୋଗାଯୋଗରେ ଥିଲେ। ମିଳିଥିବା ସୂଚନାନୁଯାୟୀ ତେଜସ୍ବୀ ଯାଦବ କଂଗ୍ରେସକୁ ମହାମେଣ୍ଟରେ ସାମିଲ କରିବା ପାଇଁ ଚାହି ନଥିଲେ। କିନ୍ତୁ ନୀତୀଶ ତାଙ୍କୁ ଏଥିପାଇଁ ବୁଝାଇବାକୁ ଚେଷ୍ଟା କରିଥିଲେ।