ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି। ଦେଢ଼ ମାସ ମଧ୍ୟରେ ଖଡ଼ଗେ ଏବଂ ରାହୁଲଙ୍କ ସହ ଏହା ନୀତୀଶଙ୍କର ଦ୍ବିତୀୟ ବୈଠକ। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଏକଜୁଟ କରିବାପାଇଁ ଆରମ୍ଭ କରିଥିବା ପ୍ରୟାସ ଅନ୍ତର୍ଗତ ନୀତୀଶ ଆଜି ଖଡ଼ଗେ ଏବଂ ରାହୁଲଙ୍କୁ ଭେଟିଛନ୍ତି। କଂଗ୍ରେସ ମୁଖ୍ୟଙ୍କ ୧୦ ରାଜାଜୀ ମାର୍ଗ ବାସଭବନରେ ନୀତୀଶ ଆଜି ଖଡ଼ଗେ ଏବଂ ରାହୁଲଙ୍କ ସହ ବୈଠକ କରିଛନ୍ତି। ବିରୋଧୀ ଏକତାକୁ ସୁଦୃଢ଼ କରିବା ଦିଗରେ ଏକ ରୋଡ୍ମ୍ୟାପ ପ୍ରସ୍ତୁତ କରିବା ଏବଂ ଏନେଇ ପାଟନାରେ ବିରୋଧୀ ନେତାଙ୍କର ଏକ ସମ୍ଭାବ୍ୟ ବୈଠକ ସଂକ୍ରାନ୍ତରେ ଉକ୍ତ ବୈଠକରେ ଆଲୋଚନା ହୋଇଥିବା କୁହାଯାଉଛି। କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଏବଂ ଜେଡିୟୁ ମୁଖ୍ୟ ଲଳନ ସିଂହ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଯେ ନୀତୀଶ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିବାର ଦିନକ ପରେ ଆଜି ଖଡ଼ଗେ ଏବଂ ରାହୁଲଙ୍କୁ ଭେଟିଛନ୍ତି।
କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ବିରୋଧରେ ଆପ୍ ଦଳକୁ କଂଗ୍ରେସ ସମର୍ଥନ କରିବ । ନୀତୀଶ ଗତକାଲି କହିଥିଲେ ନିର୍ବାଚିତ ସରକାରଙ୍କୁ ଦିଆଯାଇଥିବା କ୍ଷମତାକୁ କିଭଳି ଭାବେ କାଢ଼ି ନିଆଯାଇପାରିବ। ଏହା ସମ୍ବିଧାନ ବିରୋଧୀ। ଆମେ ଅରବିନ୍ଦ କେଜ୍ରିୱାଲଙ୍କ ସହ ଅଛୁ। ଆମେ ଦେଶରେ ସମସ୍ତ ବିରୋଧୀ ଦଳଙ୍କୁ ଏହି ପ୍ରସଙ୍ଗରେ ଏକଜୁଟ କରିବାକୁ ଚାହୁ ବୋଲି ସେ କହିଥିଲେ। ଇତି ମଧ୍ୟରେ ଆପ୍ ସୋମବାର ଦିନ କହିଛି ଯେ ଏହା କେନ୍ଦ୍ର ସରକାରଙ୍କ ‘କଳା ଅଧ୍ୟାଦେଶ’ ବିରୋଧରେ ଆସନ୍ତା ଜୁନ୍ ୧୧ ତାରିଖରେ ଏକ ‘ମହାରୢାଲି’ କରିବ।