ଦିଲ୍ଲୀରେ ନୀତୀଶ, ରାହୁଲଙ୍କୁ ଭେଟିଲେ

ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନ ପାଇଁ ସବୁ ବିରୋଧୀ ଦଳଙ୍କୁ ଏକଜୁଟ୍‌ କରିବା ଦିଗରେ ପ୍ରତିଶ୍ରୁତିବଦ୍ଧ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ଦିଲ୍ଲୀ ପହଞ୍ଚିଛନ୍ତି। ଅପରାହ୍ନରେ ଦିଲ୍ଲୀ ପହଞ୍ଚିବାପରେ ପ୍ରଥମେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ। ଉଭୟ ନେତା ଦେଶରେ ବର୍ତ୍ତମାନର ରାଜନୈତିକ ସ୍ଥିତି ଏବଂ ବିରୋଧୀ ଏକତାକୁ ନେଇ ଆଲୋଚନା କରିଥିବା‌ ଜଣାପଡ଼ିଛି। ନୀତୀଶ ଦିଲ୍ଲୀ ଗସ୍ତ ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସପା ମୁଖ୍ୟ ଅଖିଳେଶ ଯାଦବ, ଏନ୍‌ସିପି ମୁଖ୍ୟ ଶରଦ ପାୱାର, ଏବଂ ବାମ ଦଳ ନେତା ଡି ରାଜା, ସୀତାରାମ ୟେଚୁରୀ ଏବଂ ଅନ୍ୟମାନଙ୍କୁ ଭେଟିବେ। ବୁଧବାର ଦିନ ନୀତୀଶ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କୁ ଭେଟିବେ।

ନୀତୀଶ ଖୁବ୍‌ଶୀଘ୍ର ମହାରାଷ୍ଟ୍ର, ହରିୟାଣା ଏବଂ କର୍ଣ୍ଣାଟକ ଗସ୍ତ କରି ବିରୋଧୀ ଶିବିରର ନେତାଙ୍କୁ ଭେଟିବେ। ହରିୟାଣାରେ ଓମ୍‌ ପ୍ରକାଶ ଚୌତାଲା ଏବଂ ଭୁପିନ୍ଦର ସିଂହ ହୁଦା, ମହାରାଷ୍ଟ୍ରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ, ଶରଦ ପାୱାର, କର୍ଣ୍ଣାଟକରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡ଼ା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀଙ୍କୁ ‌ଭେଟିବେ। ନୀତୀଶ ଆଜି ଦିଲ୍ଲୀ ଆସିବା ପୂର୍ବରୁ ପ୍ରଥମେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ।

ସମ୍ବନ୍ଧିତ ଖବର