ନୀତିଶଙ୍କର ସିଟ କମିଲା ସତ କିନ୍ତୁ ସରକାରରେ ରହିଲା ଦବଦବା

ପାଟନା: ସଦ୍ୟ ଘୋଷିତ ହୋଇଥିବା ବିହାର ବିଧାନସଭା ନିର୍ବାଚନରେ ​​ଏଥର ନୀତିଶ କୁମାରଙ୍କ ନେତୃତ୍ୱାଧୀନ ଜେଡିୟୁର ଆସନ ହ୍ରାସ ପାଇଛି | ତଥାପି ବିଜେପି ସହ ଗଠନ ହୋଇଥିବା ସରକାରରେ ନୀତିଶଙ୍କ ଦବଦବା ପୂର୍ବଭଳି ରହିଛି | କାରଣ ଆଜି ବଣ୍ଟନ ହୋଇଥିବା ମନ୍ତ୍ରୀମଣ୍ଡଳରେ ନୀତିଶ ଜେଡିୟୁରୁ ନିର୍ବାଚିତ ହୋଇଥିବା ମନ୍ତ୍ରୀମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ଦେଇଛନ୍ତି |

ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜ ପାଖରେ ଗୃହ ବିଭାଗ, ସାଧାରଣ ପ୍ରଶାସନ, ଭିଜିଲାନ୍ସ ସହିତ ଅନ୍ୟ ବିଭାଗ ରଖିଛନ୍ତି, ଯାହା ଅନ୍ୟ ମନ୍ତ୍ରୀଙ୍କୁ ଦିଆଯାଇ ନାହିଁ। ଉପରୋକ୍ତ ବିଭାଗ ମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କୁହାଯାଉଥିବା ଗୃହ ଏବଂ ସାଧାରଣ ପ୍ରଶାସନ ବିଭାଗକୁ ନୀତିଶ ରଖିଥିବାବେଳେ ବିଜେପି ପକ୍ଷରୁ ଥିବା ଦୁଇ ଉପମୁଖ୍ୟମନ୍ତ୍ରୀଙ୍କୁ ଅର୍ଥ ଓ ପରିବେଶ ଭଳି ବିଭାଗ ମିଳିଛି | ନୀତିଶଙ୍କ ସରକାରରେ ଉପମୁଖ୍ୟମନ୍ତ୍ରୀ ହୋଇଥିବା ତାରାକିଶୋର ପ୍ରସାଦଙ୍କୁ ଅର୍ଥ, ଜଙ୍ଗଲ ଓ ପରିବେଶ, ସହର ବିକାଶ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଦିଆଯାଇଛି | ସେହିପରି ରେଣୁ ଦେବୀଙ୍କୁ ପଞ୍ଚାୟତିରାଜ, ଶିଳ୍ପ ଓ ଅନୁସୂଚିତ ଜନଜାତି କଲ୍ୟାଣ ବିଭାଗ ଦିଆଯାଇଛି |

ସୂଚନା ଥାଉ କି ପୂର୍ବରୁ ବିଜେପିର ଦୁଇ ଉପମୁଖ୍ୟମନ୍ତ୍ରୀଙ୍କୁ ଗୃହ ବିଭାଗ ମିଳିବା ନେଇ ଆକଳନ କରାଯାଇଥିଲା | କିନ୍ତୁ ନୀତିଶ ଏହି ବିଭାଗକୁ ନିଜ ପାଖରେ ରଖିଛନ୍ତି | ସୂଚନା ଥାଉ କି ଏଥର ବିହାର ବିଧାନସଭା ନିର୍ବାଚନରେ କ୍ଷମତାସୀନ ଏନ୍‌ଡିଏ ମେଣ୍ଟ ୧୨୫ ଆସନ ପାଇ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଅନ୍ୟପକ୍ଷରେ ଆର୍‌ଜେଡି ନେତା ତେଜସ୍ବୀ ଯାଦବଙ୍କ ନେତୃତ୍ବରେ ମହାମେଣ୍ଟକୁ ୧୧୦ ଆସନ ମିଳିଛି।

ସମ୍ବନ୍ଧିତ ଖବର