ନୀତୀଶ ମହାମେଣ୍ଟକୁ ଫେରିବେ!

ବିଜେପି-ଜେଡିୟୁ ମେଣ୍ଟରେ ଫାଟ ବଢ଼ୁଛି ଗିରିରାଜଙ୍କ ଇଫ୍‌ତାର ବୟାନକୁ ନେଇ ବିବାଦ ବଢ଼ିଲା, ଶାହଙ୍କ ତାଗିଦ୍‌

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ବିହାରରେ ବିଜେପି-ଜେଡିୟୁ ମେଣ୍ଟର ବିପୁଳ ବିଜୟ ସତ୍ତ୍ବେ ଦୁଇ ଦଳ ଭିତରେ ମନୋମାଳିନ୍ୟ ବଢ଼ି ଚାଲିଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆର୍‌ଜେଡି-କଂଗ୍ରେସ ମହାମେଣ୍ଟରେ ପୁଣି ସାମିଲ ହେବାନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଜେଡିୟୁକୁ ବିଜେପି ଆଦୌ ଗୁରୁତ୍ବ ନଦେବାରୁ ନୀତୀଶ ଏନ୍‌ଡିଏ ସରକାରରେ ସାମିଲ ହୋଇନାହାନ୍ତି ଏବଂ ଏହାର ଜବାବରେ ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରି ନିଜ ଦଳର ୮ ଜଣ ବିଧାୟକଙ୍କୁ ମନ୍ତ୍ରୀ କରାଇଛନ୍ତି। ବିହାରର ଜଣେ ବରିଷ୍ଠ ଆରଜେଡି ନେତା ଗତକାଲି ନୀତୀଶ କୁମାରଙ୍କୁ ପୁଣି ଥରେ ମହାମେଣ୍ଟରେ ଯୋଗ ଦେବାପାଇଁ କହିଥିଲେ। ଏହାପରେ ଆଜି ଆରଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପତ୍ନୀ ରାବଡ଼ି ଦେବୀ ମଧ୍ୟ କହିଛନ୍ତି ଯେ ଯଦି ନୀତୀଶ ମହାମେଣ୍ଟରେ ଯୋଗ ଦିଅନ୍ତି ତେବେ ତାଙ୍କର କିଛି ଆପତ୍ତି ନାହିଁ। ସେ କହିଛନ୍ତି ଯେ ଆରଜେଡିର ବରିଷ୍ଠ ନେତାମାନେ ଏ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ଏବଂ ନୀତୀଶଙ୍କ ଫେରିବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ।
ଉଲ୍ଲେଖଯୋଗ୍ୟ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ଆରଜେଡି ନେତା ରଘୁବଂଶ ପ୍ରସାଦ ସିଂହ ଗତକାଲି କହିଥିଲେ, ଜେଡିୟୁ ମୁଖ୍ୟ ନୀତୀଶ କୁମାର ବିଜେପି ବିରୋଧରେ ଲଢ଼ିବାପାଇଁ ଅଣ ବିଜେପି ଦଳଗୁଡ଼ିକ ସହ ହାତ ମିଳାଇବା ଉଚିତ୍‌। ତେବେ ରଘୁବଂଶ ପ୍ରସାଦଙ୍କର ଏହି ମନ୍ତବ୍ୟକୁ ନେଇ ଏବେ ରାଜନୈତିକ ମହଲରେ ସରଗରମ ଚର୍ଚ୍ଚା ଚାଲିଛି।
ନୀତୀଶଙ୍କ ଇଫ୍‌ତାର ପାର୍ଟିକୁ ନେଇ ଆଜି ଗିରିରାଜ ସିଂହଙ୍କ ସମାଲୋଚନା ମଧ୍ୟ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଗିରିରାଜ ନୀତୀଶଙ୍କ ଇଫତାର ପାର୍ଟି ଫଟୋ ଟ୍ବିଟ୍‌ କରି ଏଭଳି ଲୋକ ଦେଖାଣିଆ ଭାଇଚାରା କେବଳ ପ୍ରଚାର ପାଇଁ ଉଦ୍ଦିଷ୍ଟ ବୋଲି କହିବା ସହ ନବରାତ୍ର ସମୟରେ ମଧ୍ୟ ଫଳାହାର ପାର୍ଟି କରିବାକୁ ପରାମର୍ଶ ଦେଇଛନ୍ତି। ଇଫ୍‌ତାରକୁ ପ୍ରଚାର ମାଧ୍ୟମ ନକରିବାକୁ ଗିରିରାଜ ପରାମର୍ଶ ଦେବାପରେ ଜେଡିୟୁ ମଧ୍ୟ ଏହାର କଡ଼ା ଜବାବ ଦେଇଛନ୍ତି। ଗିରିରାଜ ସିଂହ କାହାକୁ ପରାମର୍ଶ ଦେବାଭଳି ବ୍ୟକ୍ତିତ୍ବର ଅଧିକାରୀ ନୁହନ୍ତି ଏବଂ ସେ ଏଭଳି ବୟାନରୁ ଦୂରେଇ ରହିବା ଉଚିତ ବୋଲି ଜେଡିୟୁ ନେତାମାନେ କହିଛନ୍ତି। ବିଜେପି ଅଧ୍ୟକ୍ଷ ତଥା ଗୃହମନ୍ତ୍ରୀ ଅମିତ ଶାହ ଏହି ମାମଲାରେ ଗିରିରାଜଙ୍କୁ କଡ଼ା ତାଗିଦ କରିଛନ୍ତି। ଏଭଳି ବୟାନରୁ ଦୂରେଇ ରହିବା ପାଇଁ ସେ ଗିରିରାଜଙ୍କୁ ସତର୍କ କରାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର