ମେଣ୍ଟ ଭାଙ୍ଗିବନି: ପାଟନାରେ ନୀତୀଶ-ଶାହ ଭେଟ

ପାଟନା: ୨୦୧୯ ସାଧାରଣ ନିର୍ବାଚନକୁ ଆଖିରେ ରଖି ବିଭିନ୍ନ ରାଜନୈତିକ ଦଳ ଏବେଠୁ ପାଗଭିଡ଼ା ଆରମ୍ଭ କରିଦେଲେଣି। ନିକଟରେ ଜେଡିୟୁ ଦଳର ଏକ ଉଚ୍ଚସ୍ତରୀୟ ବୈଠକ ରାଜଧାନୀ ଦିଲ୍ଲୀରେ ବସିଥିଲା। ବିଶେଷକରି ବିହାରରେ ବିଜେପି ସହ ମେଣ୍ଟ ଜାରି ରଖିବା ନେଇ ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା। କିନ୍ତୁ ଆସନ ଭାଗବଣ୍ଟାକୁ ନେଇ ଦୁଇଦଳ ପକ୍ଷରୁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। ଅନ୍ୟପକ୍ଷରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ଆଜି ପାଟନା ଗସ୍ତ କରି ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟି ତାଙ୍କ ସହ ବ୍ରେକ୍‌ଫାଷ୍ଟ କରିଛନ୍ତି। ବୈଠକ ପରେ ଅମିତ୍‌ ଶାହ ନିଜ ଦଳୀୟ କର୍ମୀଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି, ଜେଡିୟୁ-ବିଜେପି ମେଣ୍ଟକୁ ଭାଙ୍ଗିବାକୁ ଦିଆଯିବ ନାହିଁ। ଏହା ଆଗକୁ ଅକ୍ଷୁଣ୍ଣ ରହିବ। ଦୁଇଦଳ ମିଳିତ ଭାବେ ୨୦୧୯ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବ। ସେ ଆହୁରି କହିଛନ୍ତି ଯେ ବିହାରରେ ବିଜେପି-ଜେଡିୟୁ ମେଣ୍ଟର କ୍ଷମତା ଏବେ କାହାରିକୁ ଅଛପା ନାହିଁ। ତେଣୁ ଏହି ମେଣ୍ଟ ଯେମିତି ନ ରହେ, ସେଥିପାଇଁ କିଛି ଲୋକ ଉଦ୍ୟମ ବି କରୁଛନ୍ତି। ଏହି ମେଣ୍ଟ ଦ୍ୱାରା ସେମାନେ କାଳେ କ୍ଷତିରେ ପଡ଼ିବେ ସେ ଭୟ ତାଙ୍କୁ ଗ୍ରାସିବା ଆରମ୍ଭ କଲାଣି। କିନ୍ତୁ ଉଭୟ ଦଳ ମିଳିତ ଭାବେ ବିହାରରେ ୪୦ଯାକ ଲୋକ ସଭା ଆସନକୁ ଅକ୍ତିଆର କରିବେ। ଅନ୍ୟ କେଉଁ ଦଳକୁ ଜିତିବାକୁ ଦିଆଯିବ ନାହିଁ। ଦୁଇ ଦଳ ମଧ୍ୟରେ କନ୍ଦଳ ଦେଖାଦେଇଛି ବୋଲି କିଛି ବିରୋଧୀ ବାହାରେ ଫାଙ୍କା ଚିତ୍କାର କରୁଛନ୍ତି। କିନ୍ତୁ ଏହାଦ୍ୱାରା କୌଣସି ଫରକ ପଡ଼ିବ ନାହିଁ। ସହଯୋଗୀ ଦଳଗୁଡ଼ିକୁ କିଭଳି ସନ୍ତୁଷ୍ଟ କରାଯିବ ସେ ଉପାୟ ବିଜେପିକୁ ଭଲ ଭାବେ ଜଣା।

ସମ୍ବନ୍ଧିତ ଖବର