ଖରାପ ଜିନିଷ ପିଇଲେ ଏମିତି ହେବ: ମଦମୃତ୍ୟୁକୁ ନେଇ ଏଭଳି କହିଲେ ନୀତୀଶ କୁମାର

ପାଟନା: ବିହାରରେ ବିଷାକ୍ତ ମଦ ଯୋଗୁଁ ଲଗାତାର ଲୋକଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବଡ ବୟାନ ସାମ୍ନାକୁ ଆସିଛି। ରାଜ୍ୟରେ ମଦ ନିଷେଧାଦେଶର ସମୀକ୍ଷା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି। ନୀତିଶ କହିଛନ୍ତି ଯେ ଆମେ ବାରମ୍ବାର କହୁଛୁ ଯଦି ଆମେ ଭୁଲ ଜିନିଷ ପିଇବା, ତେବେ ଏହି ପରିସ୍ଥିତି ଆସିବ। ଯେଉଁମାନେ ମଦ୍ୟପାନ କରନ୍ତି ସେମାନଙ୍କୁ ପରାମର୍ଶ ଦେବାବେଳେ ନୀତିଶ କହିଛନ୍ତି ଯେ ଦେଖ ପରିସ୍ଥିତି କ’ଣ ହେଲା? ଆଜି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୌଣସି ଅଞ୍ଚଳରେ ଯଦି କେହି ମଦ ବିକ୍ରି କରୁଛନ୍ତି ତେବେ ଏହା ଦୁଃଖଦାୟକ |

ଛଟ ପୂଜା ପରେ ନିଷେଧାଦେଶର ବିସ୍ତୃତ ସମୀକ୍ଷା କରାଯିବ ବୋଲି ନୀତିଶ କହିଛନ୍ତି । ସେ କହିଛନ୍ତି ଯେ ଛଟ ପର୍ବ ପରେ ବିହାରରେ ଲୋକଙ୍କୁ ମଦ୍ୟପାନରୁ ନିବୃତ୍ତ କରିବା ପାଇଁ ଏକ ଅଭିଯାନ ଆରମ୍ଭ ହେବ। ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେବ ବିହାରରେ ବିଷାକ୍ତ ମଦ ପିଇବାରୁ ଲଗାତାର ଲୋକଙ୍କ ମୃତ୍ୟୁ ଘଟୁଛି | ଗତ କିଛି ଦିନ ହେବ ମୁଜାଫରପୁର, ବୈଶାଲି, ଗୋପାଳଗଞ୍ଜ ଏବଂ ବେଟିଆରେ ବିଷାକ୍ତ ମଦ ପିଇବା ହେତୁ ମୃତ୍ୟୁ ମାମଲା ସାମ୍ନାକୁ ଆସୁଛି। ମଙ୍ଗଳବାରଠାରୁ ଗୋପାଳଗଞ୍ଜ ଏବଂ ବେଟିଆରେ ୩୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୧ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି।

ଏହାକୁ ନେଇ ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହୁଛନ୍ତି ଯେ ଯଦି ତୁମେ ଖରାପ ଜିନିଷ ପିଇବ, ତେବେ ତୁମର ମୃତ୍ୟୁ ହେବ । ମଦ୍ୟପାନ ଯୋଗୁଁ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କ କ୍ରନ୍ଦନ ଏନଡିଏ ସରକାର ପାଇଁ କୌଣସି ଫରକ ପକାଇବ ନାହିଁ। ତେଜସ୍ୱୀ କହିଛନ୍ତି ଯେ କେବଳ କାଗଜରେ ନିଷେଧାଦେଶ ଅଛି କିନ୍ତୁ ସବୁ ଜାଗାରେ ଖୁଲମଖୁଲା ମଦ ମିଳୁଛି |

ସମ୍ବନ୍ଧିତ ଖବର