ପାଟନା: ବିହାର ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ଜେଡିୟୁ ତୃତୀୟ ସ୍ଥାନକୁ ଚାଲିଆସିଛି। ବିହାର ଏନ୍ଡିଏରେ ଏବେ ବିଜେପି ସବୁଠୁ ବଡ଼ ଅଂଶୀଦାର ହୋଇଛି। ତେବେ ନୀତୀଶ କୁମାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ କି ନା’ ସେନେଇ ପ୍ରଶ୍ନ ଉଠିଥିବାବେଳେ ବିଜେପି ପକ୍ଷରୁ ଆଶ୍ବସ୍ତ କରି ଏହା କୁହାଯାଇଛି ଯେ, ନୀତୀଶ ହିଁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ବିଜେପିର ପୂର୍ବ ନିଷ୍ପତ୍ତି ବଦଳିବ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ କହିଛନ୍ତି। ଅନ୍ୟ ବରିଷ୍ଠ ବିଜେପି ନେତାମାନେ ମଧ୍ୟ ସମାନ କଥା କହିଛନ୍ତି। କଂଗ୍ରେସ ନେତା ଦିଗ୍ବିଜୟ ସିଂହ ଆଜି ଏନ୍ଡିଏକୁ କଟାକ୍ଷ କରି ଏକ ଟ୍ବିଟ୍ କରି କହିଛନ୍ତି, ନୀତୀଶ ଜୀ, ବିହାର ଆପଣଙ୍କ ପାଇଁ ବହୁତ କ୍ଷୁଦ୍ର, ଆପଣ ଏବେ ଜାତୀୟ ରାଜନୀତିରେ ପ୍ରବେଶ କରିବା ଉଚିତ୍। ତେବେ ଏହାର ଜବାବରେ ବିଜେପି ଦିଗ୍ବିଜୟଙ୍କୁ କଡ଼ା ସମାଲୋଚନା କରିଛି । ଦିଗ୍ବିଜୟଙ୍କ ନିଜ ରାଜ୍ୟରେ କଂଗ୍ରେସର ଅବସ୍ଥା ସଂପର୍କରେ ଚିନ୍ତା କରନ୍ତୁ ବୋଲି ବିଜେପି ନେତା ଗିରିରାଜ ସିଂହ କହିଛନ୍ତି। ନୀତୀଶ ଏନ୍ଡିଏର ନେତା ଏବଂ ବିହାରରେ ସେ ହିଁ ଏନ୍ଡିଏର ମଙ୍ଗ ଧରିବେ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିହାର ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନୀତୀଶ କହିଛନ୍ତି, ଏନ୍ଡିଏକୁ ପୁଣି କ୍ଷମତାକୁ ଆଣିବା ଜନସାଧାରଣଙ୍କ ନିଷ୍ପତ୍ତି ଥିଲା।ଏନ୍ଡିଏକୁ ସଂଖ୍ୟାଗରିଷ୍ଠତା ଦେଇଥିବାରୁ ମୁଁ ସେମାନଙ୍କ ନିକଟରେ ନତମସ୍ତକ ହେଉଛି। ପ୍ରଧାନମନ୍ତ୍ରୀଙ୍କ ସମର୍ଥନ ଆମକୁ ବିଜୟ ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଉଛି ବୋଲି ନୀତୀଶ କହିଛନ୍ତି।