ଦରଭଙ୍ଗା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦରଭଙ୍ଗାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଦ ଛୁଇଁବାକୁ ଚେଷ୍ଟା କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ୭୩ ବର୍ଷୀୟ ନୀତୀଶ କୁମାର ହାତଯୋଡ଼ି ୭୪ ବର୍ଷୀୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଦ ଛୁଇଁବାକୁ ଅଗ୍ରସର ହେଉଥିବା ଦେଖିବାକୁ ମିଳିଛି। ତେବେ ପ୍ରଧାନମନ୍ତ୍ରୀ ତୁରନ୍ତ ଜେଡିୟୁ ନେତାଙ୍କୁ ତାଙ୍କ ପାଦ ଛୁଇଁବାରୁ ଅଟକାଇ ହାତ ମିଳାଇଥିଲେ।
ସେହି କାର୍ଯ୍ୟକ୍ରମ ସଂପର୍କିତ ଭାଇରାଲ ହୋଇଥିବା ଅନ୍ୟ ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ଦଳୀୟ କର୍ମୀମାନେ ପ୍ରଧାନମନ୍ତ୍ରୀଙ୍କୁ ମାଲ୍ୟାର୍ପଣ କରୁଥିବା ବେଳେ ମୋଦୀ ନୀତୀଶ କୁମାରଙ୍କୁ ନିଜ ପାଖକୁ ଟାଣି ନେଉଛନ୍ତି। ତେବେ ନୀତୀଶ କୁମାର ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁବାକୁ ପ୍ରୟାସ କରିବା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ମଧ୍ୟ ନୀତୀଶ ୨ ଥର ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁବାକୁ ପ୍ରୟାସ କରିଛନ୍ତି।