ମୋଦୀଙ୍କ ନାଆରେ ପାରି ହେବାକୁ ଚାହାନ୍ତି ନୀତୀଶ!

ପାଟନା: ଚଳିତ ବିହାର ନିର୍ବାଚନରେ ଏକ ବିରୋଧାତ୍ମକ ସ୍ଥିତି ଦେଖିବାକୁ ମିଳିଛି। ପୂର୍ବ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଛାଇ ପଡ଼ିଲେ ଡେଉଁଥିବା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏଥର ମୋଦୀଙ୍କ ଲୋକପ୍ରିୟତାକୁ ପାଥେୟ କରି ଲଗାତାର ଚତୁର୍ଥ ଥର ଲାଗି ମୁଖ୍ୟମନ୍ତ୍ରିତ୍ବ ବଜାୟ ରଖିବାକୁ ଚାହି ବସିଛନ୍ତି। କାରଣ ବିଗତ ୧୫ ବର୍ଷ ଭିତରେ ପ୍ରଥମ ଥର ପାଇଁ ତାଙ୍କୁ ଚାଳକ ଆସନ ପରିବର୍ତ୍ତେ ପଛରେ ବସିଥିବା ଦେଖିବାକୁ ମିଳିଛି। ବିହାର ଶାସନ ପରିବର୍ତ୍ତନର ନାୟକ ଭାବେ ବିବେଚିତ ନୀତୀଶ କୁମାରଙ୍କୁ ବିହାରବାସୀ ସମ୍ପ୍ରତି ଜଣେ ପ୍ରଗତିର ପ୍ରତିବନ୍ଧକ ଭାବେ ପରିଗଣିତ କରିବା ଆରମ୍ଭ କରିଛନ୍ତି। ଯଦିଓ ଏଇ ନିର୍ବାଚନରେ ବିଜେପି ଓ ନୀତୀଶ କୁମାରଙ୍କ ଜେଡିୟୁ ମିଳିମିଶି ଏନ୍‌ଡିଏ ମେଣ୍ଟର ଅଂଶୀଦାର ଭାବେ ନିର୍ବାଚନ ଲଢୁଛନ୍ତି ଏବଂ ଏପରିକି ନୀତୀଶଙ୍କୁ ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ମଧ୍ୟ ଘୋଷଣା ସରିଛି, ତେବେ ମୋଦୀ ଓ ନୀତୀଶଙ୍କ ଭିତରେ ଅନେକ ତଫାତ ରହିଥିବା ବିହାରବାସୀ ଦେଖିବାକୁ ପାଇଛନ୍ତି।

ମୋଦୀଙ୍କର କୌଣସି ପୋଷ୍ଟରରେ ନୀତୀଶଙ୍କୁ ଦେଖିବାକୁ ମିଳୁନାହିଁ। ସେହିପରି ନୀତୀଶଙ୍କ ଘୋର ବିରୋଧୀ ଏଲ୍‌ଜେପି ନେତା ଚିରାଗ ପାଶ୍ବାନଙ୍କ ତୁଣ୍ଡରେ ପଦେ ହେଲେ ମୋଦୀ ବିରୋଧୀ ଶବ୍ଦ ଶୁଣିବାକୁ ମିଳୁନି। ଏପରିକି ଏନ୍‌ଡିଏ ଅଂଶୀଦାର ଜେଡିୟୁ ବିରୋଧରେ ଚିରାଗ ନିଜ ପ୍ରାର୍ଥୀ ଛିଡ଼ା କରିଥିବା ବେଳେ ମୋଦୀଙ୍କ ପ୍ରତି ଅହେତୁକ ସମର୍ଥନ ଥିବା ସେ ଖୋଲାଖୋଲି କହି ବୁଲୁଛନ୍ତି। ଏହି ବାହାନାରେ ବିଜେପି ସମର୍ଥକମାନେ ଜେଡିୟୁ ଠାରୁ ଦୂରତା ବଜାୟ ରଖି ଏଲ୍‌ଜେପି ପ୍ରଚାରରେ ସାମିଲ ହେଉଥିବା ଦେଖିବାକୁ ମିଳିଛି।

ସ୍ମରଣଯୋଗ୍ୟ, ୨୦୧୦ ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ସହଯୋଗୀ ବିଜେପି ପକ୍ଷରୁ ବନ୍ୟା ପ୍ରପୀଡ଼ିତ କୋଶୀ ଅଞ୍ଚଳ ପାଇଁ ପାଟନାରେ ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ମୋଦୀଙ୍କର ବିରାଟ ପୋଷ୍ଟର ମରାଯାଇଥିବା କାରଣରୁ ନୀତୀଶ ବିଜେପି ସହ ଏକ ରାତ୍ରୀଭୋଜନକୁ ମନା କରିଦେଇଥିଲେ। ଏପରିକି ୨୦୧୪ ସାଧାରଣ ନିର୍ବାଚନ ପାଇଁ ଏନ୍‌ଡିଏ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦର୍ଶାଇବାକୁ ବିରୋଧ କରି ନୀତୀଶ ଏନ୍‌ଡିଏ ଛାଡ଼ିଥିଲେ। ତେବେ ଏଥର ପରିସ୍ଥିତିର ଦାସ ହୋଇ ନୀତୀଶ ମୋଦୀଙ୍କ ସାହାରା ନେବାକୁ ପସନ୍ଦ କରିଛନ୍ତି। ବିଶେଷ କରି ଉଚ୍ଚ ଜାତି ବର୍ଗଙ୍କ ଭିତରେ ମୋଦୀଙ୍କ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ସେହିପରି ପଛୁଆ ଓ ଦଳିତ ବର୍ଗରେ ମଧ୍ୟ ମୋଦୀଙ୍କ ପ୍ରତି ଆକର୍ଷଣ ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର