ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ, ଦୀପାବଳି ପରେ ଶପଥ ଗ୍ରହଣ ଉତ୍ସବ

ପାଟନା: ବିହାରରେ ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ୧୨୨ରୁ ଏନ୍‌ଡିଏ ଅଧିକ ୩ଟି ଆସନରେ ଜିତିଛି। ଅନ୍ୟପ‌କ୍ଷେ ନୀତୀଶ କୁମାରଙ୍କ ନେତୃତ୍ବାଧୀନ ଜେଡିୟୁର ଆସନ ସଂଖ୍ୟା ବହୁତ କମିଥିଲେ ମଧ୍ୟ ନୀତୀଶ ବିହାରର ୩୭ତମ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ନୀତୀଶ ମୁଖ୍ୟମନ୍ତ୍ରୀ ଭାବେ ୩ଟି କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରି ସାରିଛନ୍ତି ଏବଂ ଲଗାତାର ଚତୁର୍ଥ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇବେ। କିନ୍ତୁ ୬୯ ବର୍ଷୀୟ ନୀତୀଶ ୬ ଥର ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇସାରିଛନ୍ତି। ଆଗକୁ ସେ ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଦୀପାବଳି ପରେ ଶପଥ ନେବେ।

ମାର୍ଚ୍ଚ ୩, ୨୦୦୦ରେ ନୀତୀଶ ବିହାରର ପ୍ରଥମ କରି ମୁଖ୍ୟମନ୍ତ୍ରୀ ହୋଇଥିଲେ କିନ୍ତୁ ଏହି ସମୟରେ ସେ ମାତ୍ର ସପ୍ତାହକ ପାଇଁ ମୁଖ୍ୟମନ୍ତ୍ରୀ ରହିଥିଲେ। ସଂଖ୍ୟାଗରିଷ୍ଠତା ଅଭାବରୁ ସରକାର ଗଠନ ହୋଇ ନପାରିବାରୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ନଭେମ୍ବର ୨୪, ୨୦୦୫ରେ ନୀତୀଶ ବିଜେପି ସମର୍ଥନରେ ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ରହିଥିଲେ। ନଭେମ୍ବର ୨୬, ୨୦୧୦ରେ ନୀତୀଶ ତୃତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଥିଲେ। କିନ୍ତୁ ସେ ତାଙ୍କ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିପାରିନଥିଲେ। ୨୦୧୪ ନିର୍ବାଚନରେ ଜେଡିୟୁର ପରାଜୟ ପରେ ନୀତୀଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ସ୍ଥାନରେ ଜିତନ ରାମ ମାଂଝି ମୁଖ୍ୟମନ୍ତ୍ରୀ ହୋଇଥିଲେ। ପରେ ସେ ଇସ୍ତଫା ଦେବାର ଠିକ୍‌ ୯ ମାସ ପରେ ପୁଣି ଫେବ୍ରୁଆରି ୨୨, ୨୦୧୫ରେ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ। ନଭେମ୍ବର ୨୦, ୨୦୧୫ରେ ନୀତୀଶ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଆର୍‌ଜେଡି ‌ସହ ମହାମେଣ୍ଟ କରି ନୀତୀଶ ସଫଳ ହୋଇଥିଲେ। ଏହି ସମୟରେ ନୀତୀଶଙ୍କ ଉପମୁଖ୍ୟ ରହିଥିଲେ ତେଜସ୍ବୀ ଯାଦବ। ୨୦୧୭ରେ ନୀତୀଶ ବିହାରରେ ମହାମେଣ୍ଟ ସରକାର ଭାଙ୍ଗି ମୁଖ୍ୟମନ୍ତ୍ରୀ ଭାବେ ଇସ୍ତଫା ଦେଇଥିଲେ। କିନ୍ତୁ ତାଙ୍କ ଦଳ ଠିକ୍‌ ଦିନକ ପରେ ବିଜେପି ସମର୍ଥନରେ ସରକାର ଗଢ଼ିଥିଲା। ଏହାପରେ ସେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେ‌ଇଥିଲେ। ଆଗକୁ ନୀତୀଶ ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ପ୍ରସ୍ତୁତ ହେଉଛନ୍ତି।

ସମ୍ବନ୍ଧିତ ଖବର