୨୪‌ରେ ନୀତୀଶ ଦେବେ ଆସ୍ଥା ପରୀକ୍ଷା

ନୂଆଦିଲ୍ଲୀ : ଆସନ୍ତା ଅଗଷ୍ଟ ୨୪ ତାରିଖରେ ବିହାର ବିଧାନସଭା ଅଧିବେଶନ ବସିବ ଏବଂ ମହାମେଣ୍ଟ ସରକାର ଏହିଦିନ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବ। ନୀତୀଶ କୁମାର ଗତକାଲି ମୁଖ୍ୟମନ୍ତ୍ରୀ ଏବଂ ତେଜସ୍ବୀ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାପରେ ପ୍ରଥମ କ୍ୟାବିନେଟ ବୈଠକ ହୋଇଥିଲା। ୨୪ ତାରିଖରେ ମହାମେଣ୍ଟ ସରକାର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବ ବୋଲି ଏହି ବୈଠକରେ ନିଷ୍ପତ୍ତି ହୋଇଥିଲା । ଇତି ମଧ୍ୟରେ ବିଜେପି ବିଧାୟକ ବିଜୟ କୁମାର ସିହ୍ନା ବାଚସ୍ପତି ପଦ ଛାଡ଼ିବାକୁ ରାଜି ନଥିବାରୁ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଯାଇଛି। ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ବିଧାନସଭା ସଚିବଙ୍କ ନିକଟରେ ଉପସ୍ଥାପନା କରାଯାଇଛି ବୋଲି ଜଣେ ବରିଷ୍ଠ ଜେଡିୟୁ ନେତା କହିଛନ୍ତି। ଏହାପରେ ଅଗଷ୍ଟ ୨୪ରେ ମହାମେଣ୍ଟ ସରକାର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବ। ଅନ୍ୟପକ୍ଷେ ଅଗଷ୍ଟ ୧୬ ତାରିଖରେ କ୍ୟାବିନେଟ ସମ୍ପ୍ରସାରଣ ହେବ। ଅନ୍ୟ ମନ୍ତ୍ରୀମାନେ ଏହିଦିନ ଶପଥ ନେବେ।

୨୪୨ ଆସନ ବିଶିଷ୍ଟ ବିହାର ବିଧାନସଭାରେ ବିଜେପିର ୭୭ ବିଧାୟକ ଥିବାବେଳେ ଜେଡିୟୁର ୪୫ ଏବଂ ଜିତନ ରାମ ମାଂଝିଙ୍କ (ହାମ୍‌ସ) ଦଳର ୪, ଆରଜେଡିର ୭୯, କଂଗ୍ରେସର ୧୯, ସିପିଆଇ(ଏମ୍‌-ଏଲ)ର ୧୨, ସିପିଆଇର ୪ ଏବଂ ଏଆଇଏମ୍‌ଆଇଏମର ଜଣେ ଏବଂ ଜଣେ ସ୍ବାଧୀନ ବିଧାୟକ ଅଛନ୍ତି। ଜେଡିୟୁ ଏବଂ ଆର୍‌ଜେଡି , ହାମ-କଂଗ୍ରେସ-ସିପିଆଇ (ଏମ-ଏଲ)-ସିପିଆଇ ମହାମେଣ୍ଟର ବିଧାୟକ ସଂଖ୍ୟା ୧୬୩। ଜଣେ ସ୍ବାଧୀନ ବିଧା‌ୟକ ମଧ୍ୟ ନୀତୀଶଙ୍କୁ ସମର୍ଥନ ଦେବେ ବୋଲି କହି ସାରିଛନ୍ତି।

ସମ୍ବନ୍ଧିତ ଖବର