ପାଟନା: ୨୮ଟି ବିରୋଧୀ ଦଳଙ୍କୁ ନେଇ ଗଠିତ ଇଣ୍ଡିଆ ମେଣ୍ଟ ଆଗକୁ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ଯାଉଛି। ମେଣ୍ଟର ଅନ୍ୟତମ ପ୍ରଭାବଶାଳୀ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଇଣ୍ଡିଆ ମେଣ୍ଟ ଓ ବିହାର ମହାମେଣ୍ଟ ଛାଡ଼ିବା ନେଇ ସଙ୍କେତ ମିଳିବା ପରେ ବିହାର ରାଜନୀତି ସରଗରମ ହୋଇଉଠିଛି। ନୀତୀଶ ମହାମେଣ୍ଟ ଛାଡ଼ି ପୁଣି ବିଜେପି ସହ ମେଣ୍ଟ କରିବେ ବୋଲି ଜଣାପଡ଼ିଛି। ଆଜି ସନ୍ଧ୍ୟାରେ ନୀତୀଶ ତାଙ୍କ ଜେଡିୟୁର ସମସ୍ତ ବିଧାୟକଙ୍କୁ ଡକାଇ ପରବର୍ତ୍ତୀ ରଣନୀତି ସ୍ଥିର କରିଥିବା ବେଳେ ସହଯୋଗୀ ଆରଜେଡି ନେତା ତେଜସ୍ବୀ ଯାଦବ ମଧ୍ୟ ଦଳୀୟ ବିଧାୟକଙ୍କ ସହ ବୈଠକ କରିଛନ୍ତି। ଅନ୍ୟପକ୍ଷରେ ବିହାର ପରିସ୍ଥିତି ନେଇ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦଳୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିଛନ୍ତି। ନୀତୀଶଙ୍କ ବିରୋଧରେ ରାଜ୍ୟ ବିଜେପି ନେତାମାନେ କୌଣସି ବୟାନ ନଦେବାକୁ ତାଗିଦ କରାଯାଇଛି। ସୂଚନାନୁଯାୟୀ, ନୀତୀଶ ପ୍ରଥମେ ଇସ୍ତଫା ଦେବେ ଏବଂ ଏହା ପରେ ବିଜେପି ସମର୍ଥନରେ ପୁଣି ନୂଆ ମନ୍ତ୍ରିମଣ୍ଡଳ ଗଠନ କରିବେ। ନୂଆ ମନ୍ତ୍ରିମଣ୍ଡଳ ଗଠନ ପରେ ବର୍ତ୍ତମାନର ବିଧାନସଭା ଭଙ୍ଗ ପାଇଁ ନୀତୀଶ ସୁପାରିସ କରିପାରନ୍ତି ବୋଲି କୁହାଯାଉଛି । ଗତକାଲି ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ଏକାକୀ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଥିଲେ। ଏହାପରେ ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ମଧ୍ୟ ପଂଜାବରେ କଂଗ୍ରେସ ସହ ମେଣ୍ଟ ହେବନାହିଁ ବୋଲି କହିଥିଲେ। ଏବେ ନୀତୀଶ କୁମାର ଇଣ୍ଡିଆ ମେଣ୍ଟରୁ ଅଲଗା ହେବା ସମ୍ଭାବନା ବଳବତ୍ତର ହୋଇଥିବାରୁ ମେଣ୍ଟର ଭବିଷ୍ୟତ ନେଇ ଆଶଙ୍କା ପ୍ରକାଶ ପାଇଲାଣି।

Advertisment

ଇତିମଧ୍ୟରେ ନୀତୀଶ କୁମାରଙ୍କୁ ମେଣ୍ଟ ବଦଳାଇବାରୁ ରୋକିବା ପାଇଁ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ସକ୍ରିୟ ହୋଇଛନ୍ତି। ସେ ନୀତୀଶ କୁମାରଙ୍କ ସହ ଫୋନରେ କଥା ହୋଇଛନ୍ତି। ତେବେ ଆଜି ସକାଳେ ଲାଲୁଙ୍କ ଝିଅ ରୋହିଣୀ ସିଙ୍ଗାପୁରରୁ ଟ୍ବିଟ୍‌ କରି ନୀତୀଶଙ୍କୁ କଡ଼ା ସମାଲୋଚନା କରିଥିବାରୁ ଦୁଇ ଦଳ ଭିତରେ ତିକ୍ତତା ଚରମରେ ପହଞ୍ଚିଛି। ନୀତୀଶ କୁମାର ଗତକାଲି ଇଣ୍ଡିଆ ମେଣ୍ଟରେ ପରିବାରବାଦକୁ ଟାର୍ଗେଟ କରିବା ପରେ ବିହାର ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା। ଏହାପରେ ଉଭୟ ଦଳର ନେତାଙ୍କ ମଧ୍ୟରେ ପରସ୍ପର ବିରୋଧୀ ବୟାନ ତୀବ୍ର ହୋଇଥିଲା। ନୀତୀଶ କୁମାର ପରିବାରବାଦକୁ ସମାଲୋଚନା କରିବା ସହ ପରୋକ୍ଷରେ ଲାଲୁ ପରିବାରକୁ ଟାର୍ଗେଟ କରିଥିଲେ। ଲାଲୁଙ୍କ ଝିଅ ରୋହିଣୀ ଏକ୍ସରେ ଗୋଟିଏ ପରେ ଗୋଟିଏ ତିନିଟି ପୋଷ୍ଟ କରିଛନ୍ତି । ନୀତୀଶଙ୍କ ନାମ ନନେଇ ସେ କହିଛନ୍ତି ଯେ ଏହି ସମାଜବାଦୀ ନେତାଙ୍କ ବିଚାରଧାରା ପବନର ଗତି ବଦଳିବା ଭଳି ବଦଳୁଛି।

ଗତ କିଛି ଦିନ ଧରି ଲାଲୁ ଓ ନୀତୀଶଙ୍କ ମଧ୍ୟରେ ସଂପର୍କକୁ ନେଇ ତିକ୍ତତା ଖବର ପ୍ରଚାରିତ ହେଉଥିବା ବେଳେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କପୂର୍ରୀ ଠାକୁରଙ୍କୁ ଭାରତ ରତ୍ନ ପ୍ରଦାନ କରିବା ଲାଗି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏହା ବିହାର ରାଜନୀତିରେ ନୂଆ ମୋଡ଼ ଦେଇଛି। ଏବେ ନୀତୀଶ ପ୍ରଧାନମନ୍ତ୍ରୀ ମୋଦୀଙ୍କର ପ୍ରଶଂସା କରୁଥିବା ବେଳେ ପରିବାରବାଦକୁ ସମାଲୋଚନା କରି ପରୋକ୍ଷରେ ଲାଲୁଙ୍କୁ ଟାର୍ଗେଟ୍ କରିଛନ୍ତି। ଆସନ୍ତା ୪ ତାରିଖରେ ବିହାର ଗସ୍ତରେ ଆସୁଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ସେ ମଞ୍ଚରେ ବସି‌ବେ ବୋଲି ସୂଚନା ମିଳିଛି। ୨୪୩ ସଭ୍ୟ ବିଶିଷ୍ଟ ବିହାର ବିଧାନସଭାରେ ଆରଜେଡିର ୭୯ ବିଧାୟକ ଥିବା ବେଳେ ବିଜେପିର ୮୨ ଏବଂ ନୀତୀଶଙ୍କ ଜେଡିୟୁର ୪୫ ବିଧାୟକ ଅଛନ୍ତି। ଯଦି ଏଥର ନୀତୀଶ ମେଣ୍ଟ ବଦଳାନ୍ତି, ତାହା‌ହେଲେ ଏହା ହେବ ଷଷ୍ଠ। ଏହାପୂର୍ବରୁ ପ୍ରଥମେ ୧୯୯୪ରେ, ୨୨୦୩ରେ, ୨୦୧୩ରେ, ୨୦୧୭ରେ ଏବଂ ୨୦୨୨ରେ ମେଣ୍ଟ ପରିବର୍ତ୍ତନ କରିଥିଲେ। ୨୦୧୫ରେ ଲାଲୁଙ୍କ ଆରେଜେଡି ସହିତ ମେଣ୍ଟ କରି ବିଜୟୀ ହେବାପରେ ନୀତୀଶ ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ୨୦୧୭‌ରେ ଲାଲୁଙ୍କ ଦଳ ସଂପର୍କ ଚ୍ଛିନ୍ନ କରି ବିଜେପି ସହ ମିଶି ସରକାର ଗଠନ କରିଥିଲେ। ୨୦୨୨‌ରେ ବିଜେପି ସହ ମେଣ୍ଟ ଭାଙ୍ଗି ପୁଣି ଆରଜେଡି ସହିତ ମିଶି ସରକାର ଗଠନ କରିଥିଲେ ନୀତୀଶ।
ମେଣ୍ଟ ବଦଳାଇବାରେ ନୀତୀଶଙ୍କ ରେକର୍ଡ ପରିବର୍ତ୍ତିତ ରାଜନୈତିକ ପାଣିପାଗକୁ ଦେଖି ବାରମ୍ବାର ମେଣ୍ଟ ବଦଳାଇବା କ୍ଷେତ୍ରରେ ନୀତୀଶ କୁମାର ସିଦ୍ଧହସ୍ତ।। ୨୦୧୪ରେ ନରେନ୍ଦ୍ର ମୋଦୀ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହେବାପରେ ଏହାର ପ୍ରତିବାଦରେ ନୀତୀଶ ବିଜେପି ସହ ୧୫ ବର୍ଷର ସମ୍ପର୍କ ଭାଙ୍ଗିଦେଇଥିଲେ। ୨୦୧୫ରେ ବିହାର ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ନୀତୀଶ ବିଜେପି ଛାଡ଼ି ଆରଜେଡି ସହ ବୁଝାମଣା କରିଥିଲେ। ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଲାଲୁ ପ୍ରସାଦ ଯାଦବଙ୍କ ସହ ହାତ ମିଳାଇଥିଲେ। ଏହି ନିର୍ବାଚନରେ ମହାମେଣ୍ଟ ବିଜୟୀ ହୋଇଥିଲା। ନୀତୀଶ ପୁଣି ଥରେ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ। ଲାଲୁ ପ୍ରସାଦ ଯାଦବଙ୍କ ସାନ ପୁଅ ତେଜସ୍ୱୀ ଯାଦବଙ୍କୁ ତାଙ୍କ ସରକାରରେ ଉପମୁଖ୍ୟମନ୍ତ୍ରୀ କରାଯାଇଥିଲା।

ପ୍ରାୟ ଅଢ଼େଇ ବର୍ଷ ପରେ ଅର୍ଥାତ୍ ୨୦୧୭ରେ ନୀତୀଶ କୁମାର ପୁଣି ଥରେ ସମସ୍ତଙ୍କୁ ଚକିତ କରିଦେଇଥିଲେ। ମହାମେଣ୍ଟକୁ ଅଚାନକ ବିରୋଧ କରି ସେ ବିଜେପି ସହ ହାତ ମିଳାଇଲେ। ୨୦୨୦ରେ ବିହାରରେ ବିଧାନସଭା ନିର୍ବାଚନରେ ନୀତୀଶ ବିଜେପି ସହ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ଏହି ନିର୍ବାଚନରେ ତାଙ୍କ ଦଳ ଜେଡିୟୁକୁ ମାତ୍ର ୪୩ଟି ଆସନ ମିଳିଥିଲା। ବିଜେପିକୁ ୭୪ ଟି ଆସନ ମିଳିଥିବା ବେଳେ ଆରଜେଡିକୁ ୭୫ ଆସନ ମିଳିଥିଲା । କିନ୍ତୁ ନୀତୀଶ କୁମାରଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ପଦରେ ବସାଇଥିଲା। ଏହାର ଦୁଇ ବର୍ଷ ପରେ ୨୦୨୨ରେ ନୀତୀଶ କୁମାର ପୁଣି ଥରେ ବିଜେପି ବିରୋଧରେ ବିଷୋଦ୍‌ଗାର କରିବା ସହ ମହାମେଣ୍ଟରେ ସାମିଲ ହୋଇଯାଇଥିଲେ ଏବଂ ଆରଜେଡି ଓ ଅନ୍ୟମାନଙ୍କ ସମର୍ଥନରେ ସରକାର ଗଠନ କରିଥିଲେ।