ପାଟନା: ଆସନ୍ତାକାଲି ଅପରାହ୍ଣ ସାଢେ ୪ଟା ସମୟରେ ବିହାର ମୁଖ୍ୟମନ୍ତ୍ରୀ ଭାବେ ନୀତିଶ କୁମାର ଶପଥ ନେବାକୁ ଯାଉଛନ୍ତି | ଆଉ ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନାମରେ ଏକ ରେକର୍ଡ ହେବାକୁ ଯାଉଛି | ନୀତିଶ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ହେବେ ଯିଏ ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ସୂଚନା ଥାଉ କି ୧୯୮୫ ମସିହାରେ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ନୀତିଶ କୁମାର ପୂର୍ବରୁ ୬ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି, ଆଉ ଆସନ୍ତାକାଲି ଶପଥ ନେବା ପରେ ଏହା ତାଙ୍କର ସପ୍ତମ କାର୍ଯ୍ୟକାଳ ହେବ।

Advertisment

୨୦୦୦ ମସିହାରେ ପ୍ରଥମ ଥର ପାଇଁ ସେ ମାର୍ଚ୍ଚ ୩ ରୁ ୧୦ ପର୍ଯ୍ୟନ୍ତ ସାତ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୪ ନଭେମ୍ବର ୨୦୦୫ ରୁ ୨୪ ନଭେମ୍ବର ୨୦୧୦ ପର୍ଯ୍ୟନ୍ତ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଥିଲେ। ଏହା ପରେ ସେ ୨୬ ନଭେମ୍ବର ୨୦୧୦ ରୁ ୧୭ ମଇ ୨୦୧୪ ପର୍ଯ୍ୟନ୍ତ ତୃତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ସେ ୨୨ ଫେବୃଆରୀ ୨୦୧୫ ରୁ ୧୯ ନଭେମ୍ବର ୨୦୧୫ ପର୍ଯ୍ୟନ୍ତ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ | ଆଉ ପଞ୍ଚମ ଥର ପାଇଁ, ୨୦ ନଭେମ୍ବର ୨୦୧୫ ରୁ ୨୬ ଜୁଲାଇ ୨୦୧୭ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଥିଲେ | ୨୭ ଜୁଲାଇ ୨୦୧୭ ରୁ ଆଜି ପର୍ଯ୍ୟନ୍ତ, ତାଙ୍କର ଷଷ୍ଠ ଥର କାର୍ଯ୍ୟକାଳ ଥିଲା | ଆସନ୍ତାକାଲି ସେ ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।