ପାଟନା: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ବିଧାୟକ ରେଖା ଦେବୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣି ଥରେ ବିବାଦଘେରକୁ ଆସିଛନ୍ତି। ଜେଡିୟୁ ସରକାରଙ୍କ ମହିଳା ସମ୍ପର୍କିତ ନୀତିକୁ ରେଖା ଦେବୀଙ୍କ ସମାଲୋଚନାର ଜବାବ ଦେଇ ମୁଖ୍ୟମନ୍ତ୍ରୀ ଆଜି ବିଧାନସଭାରେ କହିଛନ୍ତି- ‘ତୁମେ ଜଣେ ମହିଳା ଏବଂ ତୁମେ କିଛି ବି ଜାଣିନାହଁ।’ ବିହାର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିରୋଧୀ ଆରଜେଡି କେବେ ବି ମହିଳାଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିନଥିଲା ଏବଂ ଜେଡିୟୁ ସରକାର ହିଁ ୨୦୦୫ରେ କ୍ଷମତାକୁ ଆସିବା ପରେ ମହିଳାଙ୍କ ପାଇଁ ଅନେକ କଲ୍ୟାଣମୂଳକ ପଦକ୍ଷେପ ନେଇଥିଲା। ଅନ୍ୟପକ୍ଷରେ ରାଜ୍ୟରେ ସଂଶୋଧିତ ସଂରକ୍ଷଣ ଆଇନକୁ ସମ୍ବିଧାନର ନବମ ଅନୁସୂଚୀରେ ରଖିବାକୁ ଦାବି କରି ବିରୋଧୀ ସଦସ୍ୟମାନେ ଗୃହରେ ପ୍ରବଳ ହଟ୍ଟଗୋଳ କରିବାରୁ ବିଧାନସଭାକୁ ମୁଲତବୀ ରଖାଯାଇଥିଲା।

Advertisment

ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ଧାର୍ଯ୍ୟ କରାଯାଇଥିବା କୋଟା ଉପରେ ୫୦ ପ୍ରତିଶତ ସୀମା ଉଲ୍ଲଂଘନ କରୁଥିବା ଆଇନଗୁଡ଼ିକୁ ନବମ ଅନୁସୂଚୀରେ ରଖିବା ଦ୍ୱାରା ଏହା ନ୍ୟାୟିକ ସମୀକ୍ଷାରୁ ବଞ୍ଚିତ ହେବ ବୋଲି ସରକାର କହିଥିବା ବେଳେ ବିରୋଧୀ ଦଳ ସଦସ୍ୟମାନେ ନିରବଚ୍ଛିନ୍ନ ଭାବେ ନାରାବାଜି ଜାରି ରଖିଥିବାରୁ ମୁଖ୍ୟମନ୍ତ୍ରୀ କ୍ଷୁବ୍ଧ ହୋଇପଡ଼ିଥିଲେ। ଏହି ସମୟରେ ରେଖା ଦେବୀ କହିଥିଲେ ଯେ ସରକାର ମହିଳା ବିରୋଧୀ ହୋଇଯାଇଛନ୍ତି। ଏହାର ଜବାବରେ ମୁଖ୍ୟମନ୍ତ୍ରୀ ବିଧାୟକଙ୍କ ଆଡ଼କୁ ଅଙ୍ଗୁଳି ଦେଖାଇ କହିଥିଲେ, ‘ତୁମେ ମହିଳା, ତୁମେ କିଛି ଜାଣିନାହଁ ଏବଂ ଅଯଥା ଚିତ୍କାର କରୁଛ।’