ନୀତୀଶଙ୍କ ମୁଖ୍ୟ ଲକ୍ଷ୍ୟ ୨୦୨୪: ବିରୋଧୀ ଦଳଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି

ନୂଆଦିଲ୍ଲୀ: ଜେଡିୟୁ ନେତା ନୀତୀଶ କୁମାର ବିଜେପି ସହ ମେଣ୍ଟ ଭାଙ୍ଗିବାପରେ ତାଙ୍କ ଭବିଷ୍ୟତ ଯୋଜନା ନେଇ ଅନେକ ଚର୍ଚ୍ଚା ହେଉଛି। ନୀତୀଶ ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି କୁହାଯାଉଛି। ୨୦୨୪ ସାଧାରଣ ନିର୍ବାଚନରେ ନୀତୀଶ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ, କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କ ପରି ନୀତୀଶଙ୍କର ମଧ୍ୟ ପ୍ରଧାନମନ୍ତ୍ରୀ ହେବାର ଲକ୍ଷ୍ୟ ଅଛି। କିନ୍ତୁ କିଏ ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ତାହା ପର କଥା। ଏବେ ଅନେକ ବି‌ରୋଧୀ ନେତା ନୀତୀଶଙ୍କ ଏ‌ହି ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି ଏବଂ ନୀତୀଶ ପ୍ରଧାନମନ୍ତ୍ରୀ ହେବାପାଇଁ ଜଣେ ଯୋଗ୍ୟ ପ୍ରାର୍ଥୀ ବୋଲି କହିଛନ୍ତି।

ଜେଡିୟୁ ସଂସଦୀୟ ବୋର୍ଡ ଅଧ୍ୟକ୍ଷ ଉପେନ୍ଦ୍ର କୁଶୱାହା ଆଜି ପାଟନାରେ କହିଛନ୍ତି, ଯଦି ଦେଶରେ ବ୍ୟକ୍ତିତ୍ବ ଆକଳନ କରାଯିବ ତେବେ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ହେବାପାଇଁ ଯୋଗ୍ୟ ବିବେଚିତ ହେବେ। ଆମେ ଆଜି କୌଣସି ଦାବି କରୁନୁ। କିନ୍ତୁ ଜଣେ ପ୍ରଧାନମନ୍ତ୍ରୀ ହେବାପାଇଁ ତାଙ୍କ ନିକଟରେ ସମସ୍ତ ଦକ୍ଷତା ଅଛି। ଆର୍‌ଜେଡି ନେତା‌ ଶରଦ ଯାଦବ ମଧ୍ୟ କହିଛନ୍ତି ଯେ କୁମାର ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ‌ହୋଇପାରିବେ। ନୀତୀଶ ଆଜି ରାଜଭବନରୁ ବାହାରିବା ସମୟରେ ତାଙ୍କୁ ମଧ୍ୟ ଏନେଇ ପ୍ରଶ୍ନ କରାଯାଇଥିଲା। କିନ୍ତୁ ସେ କୌଣସି ଉତ୍ତର ରଖିନଥିଲେ। ବାମ ଏବଂ ଟିଏମ୍‌ସି ନେତା ବିହାରରେ ରାଜନୈତିକ ପରିବର୍ତ୍ତନକୁ ସ୍ବାଗତ କରିଛନ୍ତି। କିନ୍ତୁ କୁମାର ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ସଂକ୍ରାନ୍ତରେ କୌଣସି ଟିପ୍ପଣୀ ଦେଇନାହାନ୍ତି। ଏନ୍‌ସିପି ନେତା ମଜିଦ ମେମନ କହିଛନ୍ତି, ଶରଦ ପାୱାର ଏବଂ ମମତା ବାନାର୍ଜୀଙ୍କ ପରି ନୀତୀଶ କୁମାର ୨୦୨୪ରେ ପ୍ରଧାନମନ୍ତ୍ରୀ ପଦ ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ହୋଇପାରନ୍ତି। କୁମାର ବାରମ୍ବାର ରାଜନୈତିକ ସହଯୋଗୀ ବଦଳାଇଛନ୍ତି। କିନ୍ତୁ ଆଞ୍ଚଳିକ ଦଳରେ ଏଭଳି ବ୍ୟବହାର କୌଣସି ପ୍ରଭାବ ପକାଇବନି।

ସମ୍ବନ୍ଧିତ ଖବର