ଡିଜିପିଙ୍କୁ ନୀତୀଶଙ୍କ ନିର୍ଦ୍ଦେଶ, ମଦ ମାମଲାରେ କାହାରିକୁ ଛାଡ଼ନାହିଁ

ପାଟନା: ୨୦୧୫ ମସିହା ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ମହିଳାମାନଙ୍କୁ ସ୍ବଚ୍ଛ ଓ ସୁରକ୍ଷିତ ସମାଜ ଦେବାକୁ ପ୍ରତିଶ୍ରୁତି ଦେଇଥିଲୁ। ୧୦୧୬ରେ ରାଜ୍ୟରେ ମଦ ନିଷିଦ୍ଧ ଆଇନ ଲାଗୁକରି ସେହି ପ୍ରତିଶ୍ରୁତି ପୂରଣ କଲୁ। ଏହି ଆଇନରେ ସ୍ପଷ୍ଟ ଉଲ୍ଲେଖ ଥିଲା ମଦ ପିଇବା ଏବଂ ପିଆଇବା କାର୍ଯ୍ୟରେ ଯିଏ ସାମିଲ ହେବେ ସେମାନେ ରକ୍ଷା ପାଇବେ ନାହିଁ। ଏଥିରେ ମୋର କୌଣସି ବ୍ୟକ୍ତିଗତ ହିତର ଉଦ୍ଦେଶ୍ୟ ନଥିଲା, ବରଂ ସମାଜ ପାଇଁ ଏହା ଜରୁରି ଥିଲା। ‘ଦାରୁ ପିୟେଗା, ତବ୍ ହି ଜିୟେଗା’ ସ୍ଲୋଗାନ ଦେଉଥିବା ଲୋକଙ୍କ ଉପରେ ତୀକ୍ଷ୍‌ଣ ନଜର ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସ୍‌ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ପୁଲିସ ସପ୍ତାହ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏଭଳି ନି‌ର୍ଦ୍ଦେଶ ଦେଇଛନ୍ତି।

ପୁଲିସ ଅଫିସରଙ୍କ ମନବଳ ବଢ଼ାଇବା ଉଦ୍ଦେଶ୍ୟରେ ସେ କହିଛନ୍ତି, ବିହାର ପୁଲିସର କାର୍ଯ୍ୟଶୈଳୀରେ ବ୍ୟାପକ ସୁଧାର ଆସିଛି। ମଦ ମାଫିଆମାନେ ପୁଲିସ ଉପରକୁ ଗୁଳି ଚଳାଇଛନ୍ତି। ପୂର୍ବରୁ କହିଛି, ଏଭଳି ଅପରାଧୀମାନଙ୍କୁ କୌଣସି ପରିସ୍ଥିତିରେ ବି କ୍ଷମା ମିଳିବ ନାହିଁ। ସୂଚନା ମିଳିବା ମାତ୍ରେ ପୂରା ଟିମ୍‌ ଚଢ଼ଉ କରିବାକୁ ଯିବେ। ସମ୍ପ୍ରତି ପୁଲିସ ହରିୟାଣା ଓ ଆସାମର ଅସାଧୁ ବେପାରିମାନଙ୍କୁ ଧରିବାରେ ସକ୍ଷମ ହୋଇଛି। ଏଥିପାଇଁ ବିହାର ପୁଲିସକୁ ମୁଁ ଧନ୍ୟବାଦ ଜଣାଉଛି। ସେଦିନ ଓ ଆଜିର ପୁଲିସ ବ୍ୟବସ୍ଥା ଉପରେ ଢେର୍‌ ପରିବର୍ତ୍ତନ ଆସିଛି ବୋଲି ନୀତୀଶ କହିଛନ୍ତି। ଏସ୍‌ପି ମଧ୍ୟ ନିଜ ଚେୟାର୍‌ରେ ବସି ରହିବା ଉଚିତ ନୁହେଁ। ସପ୍ତାହରେ ୩ରୁ ୪ ଦିନ ବିଭିନ୍ନ ଥାନା ପରିଦର୍ଶନରେ ଯାଇ ସ୍ଥିତି ପରଖିବା ଦରକାର। ସରକାରଙ୍କ ପକ୍ଷରୁ ସବୁ ସ୍ଥାନରେ ଗାନ୍ଧିଜୀଙ୍କ ମଦବିରୋଧୀ ସ୍ଲୋଗାନ ଲେଖା ଯାଇଛି। ଆଜି ବାପୁ ନାହାନ୍ତି ସତ, ହେଲେ ଯେପର୍ଯ୍ୟନ୍ତ ଦେଶ ଅଛି ସେପର୍ଯ୍ୟନ୍ତ ତାଙ୍କ ବିଚାର ଅମର ରହିବ। ମଦନିଷିଦ୍ଧକୁ ବିରୋଧ କରି ଇଣ୍ଟରନେଟ୍‌ ମିଡିଆରେ ପୋଷ୍ଟ କରୁଥିବା ବ୍ୟକ୍ତିଙ୍କ ଉପରେ କ୍ଷୋଭ ଅଜାଡ଼ି ସେ କହିଛନ୍ତି, ଅନେକ ଲୋକ ଅଛନ୍ତି ଯେଉଁମାନେ ଅଧିକ ଲେଖନ୍ତି। ସେମାନେ ନିଜକୁ ବଡ଼ ଜ୍ଞାନୀ ମନେ କରନ୍ତି।

ମଦ ପିଇବା ଦ୍ବାରା ହେଉଥିବା ବିଭିନ୍ନ ରୋଗ ସମ୍ପର୍କରେ ସୂଚନା ଦେବାକୁ ଯାଇ ନୀତୀଶ କହିଲେ, ମଦପାନ ଯୋଗୁଁ ୨୦୦ ପ୍ରକାର ରୋଗ ହୋଇଥାଏ। ମଦପାନ ଯୋଗୁଁ ୧୮ ପ୍ରତିଶତ ଆତ୍ମହତ୍ୟା ମାମଲା ହୋଇଥାଏ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କରାଯାଇଥିବା ଗବେଷଣା ରିପୋର୍ଟରେ କୁହାଯାଇଛି। ଡ୍ରାଇଭର ମଦ ପିଇଲେ ୨୭ ପ୍ରତିଶତ ସଡ଼କ ଦୁର୍ଘଟଣା ହୋଇଥାଏ। ମଦପାନ କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ୪୮ ପ୍ରତିଶତ ଲୋକ ଲିଭରଜନିତ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ୨୬ ପ୍ରତିଶତ ଲୋକ ମୁଖଗହ୍ବର କର୍କଟ (ମାଉଥ୍‌ କ୍ୟାନ୍‌ସର) ଓ ପାଚନକ୍ରିୟା ଭଳି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ମଦ ପିଉଥିବା ଯୁବକମାନଙ୍କ ମୃତ୍ୟୁ ହାର ୧୩.୫ ପ୍ରତିଶତ ବୋଲି ନୀତୀଶ କହିଛନ୍ତି।
ସେହିଭଳି ମଦ ପଉଥିବା ଏବଂ ପିଇବା କାର୍ଯ୍ୟରେ ସହାୟତା କରୁଥିବା ବ୍ୟକ୍ତି କାହାରିକୁ ବି ଛଡ଼ାଯିବ ନାହିଁ। ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁ‌ଷ୍ଠାନ ନିଆଯିବ। ୨୦୧୬ ଏପ୍ରିଲରୁ ୨୦୨୧ ଜାନୁଆରି ମଧ୍ୟରେ ୬୧୯ ଜଣ କର୍ମଚାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ନୀତୀଶ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର