ସଙ୍କୁଚିତ ହେବ ନୀତୀଶଙ୍କ କ୍ଷମତା!

ନିଷ୍ପତ୍ତି ନେବାରେ ସ୍ବାଧୀନତା ମିଳିବ ନାହିଁ

ନୂଆଦିଲ୍ଲୀ: ବିହାରରେ ଏନ୍‌ଡିଏ ପୁଣି ବିଜୟୀ ହୋଇଛି। ମେଣ୍ଟର ନେତୃତ୍ବ ନେଉଥିବା ଜେଡିୟୁ ନେତା ନୀତୀଶ କୁମାର ପୁଣି ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ସତ, କିନ୍ତୁ ପୂର୍ବଭଳି ସେହି ନୀତୀଶଙ୍କୁ ଦେଖିବାକୁ ମିଳିବ ନାହିଁ। ତାଙ୍କର କ୍ଷମତା ସଂକୁଚିତ ହେବ ଏବଂ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାରେ ବିଜେପିର କଥା ରହିବ। ରାଜ୍ୟ ବିଧାନସଭା ନିର୍ବାଚନରେ ଜେଡିୟୁ ଠାରୁ ଅଧିକ ଆସନ ପାଇଥିବା ବିଜେପି ‌ନେତାମାନଙ୍କର ଗତିବିଧି ଓ ଆଚରଣରୁ ଏଭଳି ଆଭାସ ମିଳିଲାଣି। ପାର୍ଟିର ଜଣେ ନେତା କହିଛନ୍ତି ‌ଯେ ବିଜେପି ଦୟାରେ ଏଥର ନୀତୀଶ ମୁଖ୍ୟମନ୍ତ୍ରୀ ‌ହେବେ। ନୀତୀଶଙ୍କ ଯୋଗୁଁ ନୁହେଁ, ବରଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯୋଗୁଁ ଏନ୍‌ଡିଏ ବିଜୟୀ ହୋଇଛି। ସେ କହିଛନ୍ତି ଯେ ଜେଡିୟୁ ଠାରୁ ବିଜେପି ଅଧିକ ଆସନ ଜିତିଥିବାରୁ ଆମ ପାର୍ଟିର ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ଲାଗି ଅନେକ ନେତା ଓ କର୍ମୀ ଦାବି କରୁଛନ୍ତି। କିନ୍ତୁ ମୋଦୀ ଏବଂ ଅମିତ ଶାହ ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ କରିବା ଲାଗି ପୂର୍ବରୁ ପ୍ରତିଶ୍ରୁତି ଦେଇଥିବାରୁ ଏହି ନିଷ୍ପତ୍ତିରେ ଏବେ ପରିବର୍ତନ ହେବାର ନାହିଁ। କିନ୍ତୁ କ୍ଷମତା ବଣ୍ଟନ ଲାଗି ଫର୍ମୁଲା ପ୍ରସ୍ତୁତ କରାଯିବ।

ଏଥିରୁ ସ୍ପଷ୍ଟ ହୋଇଯାଉଛି ଯେ ନୀତୀଶଙ୍କ ପାଇଁ ଏଥର ଅନେକ ନୂଆ ଚ୍ୟାଲେଂଜ ଆସିଛି ଏବଂ ସ୍ଥିତି ଆଉ ପୂର୍ବ ଭଳି ରହିବ ନାହିଁ। ବିନା କୌଣସି ହସ୍ତକ୍ଷେପରେ କାମ କରୁଥିବା ଏବଂ ବଡ଼ ବଡ଼ ନିଷ୍ପତ୍ତି ନେଉଥିବା ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ ଜଣାଶୁଣା । ତେବେ ବିହାର ରାଜନୀତିରେ ଏବେ ବଡ଼ ପରିବର୍ତ୍ତନ ଆସିଥିବାରୁ ନୀତୀଶଙ୍କୁ କାମ କରିବାରେ ଅଧିକ ସ୍ବାଧୀନତା ମିଳିବ ନାହିଁ। ବିଜେପି ୭୪ ଆସନ ହାସଲ କରି ଏନ୍‌ଡିଏର ବଡ଼ ଅଂଶୀଦାର ପାଲଟିଛି ଏବଂ ଜେଡିୟୁର ଆସନ ସଂଖ୍ୟା ମାତ୍ର ୪୩ରେ ସୀମିତ ରହିଯାଇଛି। ତେଣୁ ଏଥର କ୍ୟାବିନେଟ୍‌ରେ ବିଜେପିର ଅଧିକ ମନ୍ତ୍ରୀ ରହିବେ। କେବଳ ଏତିକି ନୁହେଁ ଅନେକ ଗୁରୁତ୍ବପୂର୍ଣ୍ଣ ବିଭାଗ ମଧ୍ୟ ବିଜେପି ମନ୍ତ୍ରୀମ‌ାନଙ୍କୁ ମିଳିବ। ରାଜନୈତିକ ଓ ସଚିବ ନିଯୁକ୍ତିରେ ମଧ୍ୟ ବିଜେପିର ନିର୍ଣ୍ଣାୟକ ଭୂମିକା ରହିବ। ସରକାର ଗଠନ, ନିଯୁକ୍ତି ଏବଂ ବିଶେଷ କରି ନୀତି ନିର୍ଧାରଣରେ ବିଜେପି ଏହାର ଏଜେଣ୍ଡାକୁ ବିସ୍ତାର କରିବା ଲାଗି ଉଦ୍ୟମ କରିବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ କହିଛନ୍ତି। ସେମାନଙ୍କ ମତରେ ପରବର୍ତୀ ନିର୍ବାଚନରେ ନିଜ ଉଦ୍ୟମରେ ସରକାର ଗଠନ କରିବା ଲାଗି ବିଜେପି ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିବ ଏବଂ ଏହା ହିଁ ଉଚିତ ସମୟ। ଆଗାମୀ ନିର୍ବାଚନରେ ନୀତୀଶ ନିର୍ବାଚନ ଲଢ଼ନ୍ତୁ କି ନ ଲଢନ୍ତୁ, ଏହାପାଇଁ କିଛି ଫରକ ପଡ଼ିବାର ନାହିଁ। ତେବେ ଜେଡିୟୁର ଜଣେ ନେତା କହିଛନ୍ତି ଯେ ନୀତୀଶଙ୍କୁ ବିଜେପି ବ୍ଲାକମେଲ କରିପାରିବ ନାହିଁ। ନୀତୀଶ ସେମାନଙ୍କ ଚାପରେ କାମ କରିବା ଭଳି ନେତା ନୁହନ୍ତି ଏବଂ ତାଙ୍କ ନେତାଙ୍କ ପାଖରେ ବିକଳ୍ପ ରହିଛି ବୋଲି କହିଛନ୍ତି। କିନ୍ତୁ ବିକଳ୍ପଟି କଣ ତାହା ସେ କହି ନାହାନ୍ତି। ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ବିଜେପି ବେଶି ଚାପ ପକାଇଲେ ନୀତୀଶ ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ସହିତ ବୁଝାମୁଣା କରିପାରନ୍ତି।

ସମ୍ବନ୍ଧିତ ଖବର