ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜୁଲାଇ ୨୩ ରେ ଲୋକସଭାରେ କେନ୍ଦ୍ର ବଜେଟ୍ ୨୦୨୪-୨୫ ଉପସ୍ଥାପନ କରିବେ। ଏହାପୂର୍ବରୁ ସମସ୍ତ ରାଜ୍ୟ ନିଜ ନିଜ ବଜେଟ୍ ଉପସ୍ଥାପନ କରିବାରେ ବ୍ୟସ୍ତ ଅଛନ୍ତି। ସାଧାରଣତଃ କେନ୍ଦ୍ର ସରକାରଙ୍କ ବଜେଟ ପରେ ରାଜ୍ୟଗୁଡ଼ିକ ନିଜ ନିଜର ବଜେଟ ଉପସ୍ଥାପନ କରିଥାନ୍ତି। କିନ୍ତୁ ଏଥର ଅନେକ ରାଜ୍ୟର ବଜେଟ୍ ଉପସ୍ଥାପନା ପରେ କେନ୍ଦ୍ର ବଜେଟ୍ ଉପସ୍ଥାପନ କରାଯିବ।

Advertisment

ସେପଟେ ବିହାରରେ ଜେଡିୟୁ ନେତୃତ୍ୱାଧୀନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାର ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାକୁ ଦାବି କରିଛନ୍ତି। ଏହା ଏକ ପ୍ରସଙ୍ଗ ଯେଉଁଥିରେ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ସର୍ବଦା ଅବହେଳା କରିଆସୁଛନ୍ତି ବୋଲି ସେ କହିଛନ୍ତି। ଏହାପୂର୍ବରୁ ଜେଡିୟୁ କେନ୍ଦ୍ରରେ ମୋଦୀ ସରକାରଙ୍କ ସହଭାଗୀ ହୋଇଆସୁଛି। କିନ୍ତୁ ଏଥର ରାଜନୀତି କିଛି ଅଲଗା ରହିଛି। କେନ୍ଦ୍ରରେ ମୋଦୀ ସରକାରଙ୍କ ଭବିଷ୍ୟତ ଏହାର ଦୁଇ ସହଯୋଗୀ ଜେଡିୟୁ ଏବଂ ଟିଡିପିର ସମର୍ଥନ ଉପରେ ନିର୍ଭର କରୁଛି।

ମୋଦୀ ସରକାରଙ୍କ ପାଇଁ ସମସ୍ୟା ହେଉଛି ନୀତୀଶ କୁମାରଙ୍କ ଜେଡିୟୁ ବ୍ୟତୀତ ଜିତନ ରାମ ମାଂଝୀଙ୍କ ହାମ ଏବଂ ଚିରାଗ ପାସୱାନ ବିହାର ପାଇଁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି କରିଛନ୍ତି। ଏହାପୂର୍ବରୁ କେବଳ ଜେଡିୟୁ ସ୍ୱତନ୍ତ୍ର ରାଜ୍ୟ ପାଇଁ ଦାବି ଉଠାଇଥିଲା। ଜେଡିୟୁ କହିଛି ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦରକାର। ଆମର ସମ୍ବଳର ଅଭାବ, ତେଣୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇବା ଉଚିତ୍ । ବିହାର ସରକାରରେ ଜେଡିୟୁ ନେତା ତଥା ମନ୍ତ୍ରୀ ବିଜୟ ଚୌଧୁରୀ କହିଛନ୍ତି ଯେ ବିହାରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ନ ହେଲେ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ଦରକାର। ଐତିହାସିକ କିମ୍ବା ଭୌଗୋଳିକ କାରଣରୁ ଆମର ସମ୍ବଳ ଅଭାବ। ଏଠାରେ ନା ଖଣି କିମ୍ବା ବେଳାଭୂମି ନାହିଁ । ଏହା ସାତ୍ତ୍ବ ଆମେ ଅନ୍ୟ ରାଜ୍ୟ ଅପେକ୍ଷା ଦ୍ରୁତ ଗତିରେ ଅଗ୍ରଗତି କରୁଛୁ ।

ଦୀର୍ଘ ଦିନ ଧରି ବିହାର ପାଇଁ ଜେଡିୟୁ ସ୍ୱତନ୍ତ୍ର ମାନ୍ୟତା ଦାବି କରିଆସୁଛି। କେନ୍ଦ୍ରରେ ତୃତୀୟ ଥର ପାଇଁ ମୋଦୀ ସରକାରଙ୍କ ଶପଥ ଗ୍ରହଣ ପୂର୍ବରୁ ସିଏମ ନୀତୀଶ କୁମାର ଇସାରା ମାଧ୍ୟମରେ ଏହି ଦାବି କରିଥିଲେ। ସେ ସଂସଦର ସେଣ୍ଟ୍ରାଲ ହଲରେ ଅନୁଷ୍ଠିତ ଏନଡିଏ ବୈଠକରେ କହିଥିଲେ ଆମେ ଚାହୁଁଛୁ ଆପଣ ଏହି ଚେୟାରକୁ ଯଥାଶୀଘ୍ର ଗ୍ରହଣ କରନ୍ତୁ। ଅନ୍ୟ କୌଣସି ବିଷୟରେ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଆମେ ସମସ୍ତେ ଏକାଠି ଠିଆ ହେବା । ଏଭଳି ପରିସ୍ଥିତିରେ କେନ୍ଦ୍ର ବଜେଟ୍ ପୂର୍ବରୁ ଜେଡିୟୁର ଦାବି ମୋଦୀ ସରକାରଙ୍କ ପାଇଁ ଏକ ନୂଆ ସମସ୍ୟା ସୃଷ୍ଟି କରିଛି। ସୂଚନାନୁସାରେ, ନୀତୀଶ ସରକାର କେନ୍ଦ୍ରରୁ ବିପୁଳ ପରିମାଣର ୩୦ ହଜାର କୋଟି ଟଙ୍କା ମାଗିଛନ୍ତି। ଏଥିପାଇଁ ନୀତୀଶ ସରକାର ରାଜ୍ୟ ପ୍ରକଳ୍ପର ସମାପ୍ତି ବିଷୟରେ ଉଲ୍ଲେଖ କରିଛନ୍ତି।

ଗତ ମାସରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ଅନୁଷ୍ଠିତ ବୈଠକରେ ନୀତୀଶ କୁମାରଙ୍କ ଦଳ ଜେଡିୟୁ ୩୦ହଜାର କୋଟି ଟଙ୍କା ମାଗିଥିଲା। ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱାଧୀନ ଟିଡିପି ମଧ୍ୟ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ଦାବି କରିଥିଲା। ଆନ୍ଧ୍ରପ୍ରଦେଶ ପାଇଁ କେନ୍ଦ୍ର ସରକାର ୬୦ ହଜାର କୋଟି ଟଙ୍କା ଅନୁମୋଦନ କରିଥିବା ଚର୍ଚ୍ଚା ହେଉଛି। ଏହି ଅର୍ଥ ସାହାଯ୍ୟରେ ନାଇଡୁ ସରକାର ଆନ୍ଧ୍ରପ୍ରଦେଶକୁ ଏକ ତୈଳ ବିଶୋଧନାଗାର ଏବଂ ପେଟ୍ରୋକେମିକାଲ୍ ହବ୍ ଭାବରେ ବିକାଶ କରିବାକୁ ଚାହୁଁଛନ୍ତି। ବିହାର ସରକାରର ଦୁଇ ମନ୍ତ୍ରୀ ବିଜୟ ଚୌଧୁରୀ ଏବଂ ସନ୍ତୋଷ ସୁମନ କହିଛନ୍ତି ଯଦି କେନ୍ଦ୍ର ସରକାରଙ୍କୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାରେ କୌଣସି ଅସୁବିଧା ହେଉଛି ତେବେ ସେମାନେ ଆମକୁ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ଦେଇପାରିବେ।

ଏଭଳି ପରିସ୍ଥିତିରେ ମୋଦୀ ସରକାରଙ୍କ ଉପରେ ପ୍ରେସର ପଲିଟିକ୍ସ ଆରମ୍ଭ ହୋଇଛି। ଏହି ପ୍ରସଙ୍ଗରେ ବିରୋଧୀ ମଧ୍ୟ ଜେଡିୟୁ ସହିତ ଅଛନ୍ତି। ତେଜସ୍ୱୀ ଯାଦବ କହିଛନ୍ତି ଯଦି ଜେଡିୟୁ ପ୍ରକୃତରେ କିଙ୍ଗମେକର ତେବେ ସେମାନେ ବିହାର ପାଇଁ ସ୍ୱତନ୍ତ୍ର ମାନ୍ୟତା ଦାବି କରିବା ଉଚିତ ଏବଂ ରାଜ୍ୟ ମଧ୍ୟ ଏହି ମାନ୍ୟତା ପାଇବା ଉଚିତ୍। ଏବେ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ମୋଦୀ ସରକାର ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବେ ନା ସ୍ୱତନ୍ତ୍ର ପ୍ୟାକେଜ୍ ଦେଇ ଜେଡ଼ିୟୁର ଦାବିରୁ ରକ୍ଷା ପାଇବେ।