ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଟାକ୍ଷ କରିଛନ୍ତି। ନୀତୀଶ କହିଛନ୍ତି, ‘ନୂଆ ଭାରତ’ର ‘ନୂଆ ଜନକ’ ଦେଶ ପାଇଁ କ’ଣ କରିଛନ୍ତି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କ ପତ୍ନୀ ଅମୃତା ଫଡ଼ନାବିସ ନିକଟରେ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଫାଦର ଅଫ ନ୍ୟୁ ଇଣ୍ଡିଆ’ କହିଥିଲେ । ଅମୃତା ଫଡ଼ନାବିସଙ୍କ ଟିପ୍ପଣୀକୁ ଇଙ୍ଗିତ କରି ନୀତୀଶ ଆଜି ମୋଦୀଙ୍କୁ କଟାକ୍ଷ କରିଛନ୍ତି। ନୀତୀଶ କହିଛନ୍ତି, ସ୍ବାଧୀନତା ସଂଗ୍ରାମ ସହ ସେମାନଙ୍କର କୌଣସି ସମ୍ପର୍କ ନଥିଲା।
ସ୍ବାଧୀନତାର ଲଢ଼େଇରେ ଆରଏସ୍ଏସ୍ର କୌଣସି ଅବଦାନ ନଥିଲା। ଇତିମଧ୍ୟରେ ମହାରାଷ୍ଟ୍ର କଂଗ୍ରେସ ନେତା ନାନା ପାଟୋଲ କହିଛନ୍ତି, ମହାତ୍ମା ଗାନ୍ଧୀଙ୍କୁ କେବେ କାହା ସହ ତୁଳନା କରାଯାଇ ପାରିବନାହିଁ। ବିଜେପିକୁ କଟାକ୍ଷ କରି ପାଟୋଲ କହିଛନ୍ତି, ବିଜେପିର ‘ନୂଆ ଭାରତ’ କେବଳ କିଛି ଅତି ଧନୀ ବନ୍ଧୁଙ୍କୁ ପ୍ରସ୍ତୁତ କରୁଥିବା ବେଳେ ଅନ୍ୟମାନଙ୍କୁ ଅସହାୟ ଏବଂ ଭୋକିଲା ରଘୁଛି। ପାଟୋଲ କହିଛନ୍ତି, ଆମର ଏଭଳି ନୂଆ ଭାରତର କୌଣସି ଆବଶ୍ୟକତା ନାହିଁ। ଯଦି ସେମାନେ ମୋଦୀଜୀଙ୍କୁ ନୂଆ ଭାରତର ଜନକ କରିବାକୁ ଚାହୁଛନ୍ତି ତେବେ ସେମାନେ ତାହା କରିପାରିବେ। ମୁଁ ସେମାନଙ୍କୁ ଏଥିପାଇଁ ଶୁଭେଚ୍ଛା ଜଣାଉଛି।