ମନ୍ତ୍ରିମଣ୍ଡଳ ସଂପ୍ରସାରଣକୁ ନେଇ ବିଜେପିକୁ ଟର୍ଗେଟ୍ କଲେ ନୀତୀଶ କୁମାର; ବଦଳୁଛି କି ମନ ?

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପରେ ବିଜେପି କଥା ରକ୍ଷା କରି ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇଲା । ହେଲେ ଏବେ ବିଜେପି ବିଧାୟକମାନେ ବିହାରବାସୀଙ୍କୁ ସୁଶାସନ ଦେବାରେ ବାଧକ ସାଜୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ପ୍ରମୁଖ ନୀତୀଶ କୁମାର ।

ବିହାର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ବିଳମ୍ବକୁ ନେଇ ନୀତୀଶ କୁମାର ସହଯୋଗୀ ବିଜେପି ଉପରେ ଦୋଷ ଲଦିଛନ୍ତି । ସେ କହିଛନ୍ତି କି ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବିହାରରେ ଏଭଳି କେବେ ହୋଇ ନଥିଲା ବା ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ଏତେ ବିଳମ୍ବ ହୋଇ ନ ଥିଲା । ସରକାର ଆରମ୍ଭରୁ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରାଯାଏ ବୋଲି ନୀତୀଶ କହିଛନ୍ତି ।


The Week

ଏକ ସାମ୍ବାଦିକ ସମ୍ମିଳନୀରେ ସୁଶାସନ ବାବୁ ଭାବେ ପରିଚିତ ନୀତୀଶ କୁମାର କହିଛନ୍ତି କି ସେ ଗୁରୁବାର ଦିନ ବିଜେପିର ବିହାର ପ୍ରଭାରୀ ଭୂପେନ୍ଦ୍ର ଯାଦବ ଓ ପ୍ରଦେଶ ଅଧ୍ୟକ୍ଷ ସଞ୍ଜୟ ଜୟଶୱାଲଙ୍କ ସହ ସାକ୍ଷାତ କରିଥିଲେ । ହେଲେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ କୌଣସି ପ୍ରକାର ରାଜନୈତିକ ଚର୍ଚ୍ଚା ହୋଇପାରି ନଥିଲା । ତେଣୁ ମେଣ୍ଟ ସରକାରରେ ଯେହେତୁ ବିଜେପିର ଅଧିକ ବିଧାୟକ ରହିଛନ୍ତି ତେଣୁ ବିଜେପିର ରାୟ ନ ମିଳିବା ପର୍ଯ୍ୟନ୍ତ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ହୋଇପାରିବ ନାହିଁ ବୋଲି ନୀତୀଶ କୁମାର ସ୍ପଷ୍ଟ କରିଛନ୍ତି ।

ସେ ଆହୁରି କହିଛନ୍ତି କି ଏ ନେଇ ତୁରନ୍ତ ବିଜେପି ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ଦେଲେ ଯାଇ ମନ୍ତ୍ରୀ ମଣ୍ଡଳର ସଂପ୍ରସାରଣ ହୋଇ ପାରିବ । କିଛିଦିନ ତଳେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତ୍ରୀ ରାବ୍ରୀ ଦେବୀ କହିଥିଲେ କି ଖୁବଶୀଘ୍ର ନୀତୀଶ କୁମାର ମହାଗଠବନ୍ଧନରେ ଯୋଗ ଦେଇ ପାରନ୍ତି । ଏ ନେଇ ଆରଜେଡି ପକ୍ଷରୁ ମାନସ ମନ୍ଥନ ଚାଲିଛି । ରାବ୍ରୀଙ୍କ ବୟାନ ଓ ନୀତୀଶଙ୍କ ବୟାନ ଶୁଣିବା ପରେ ବିହାରରେ କୌଣସି ସମୟରେ ଏକ ରାଜନୈତିକ ଝଡ ଦେଖାଦେବ ବୋଲି ଅନୁମାନ କରାଯାଉଛି ।

ସମ୍ବନ୍ଧିତ ଖବର